www.samajalive.in
Sunday, December 7, 2025
26.1 C
Bhubaneswar

ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ ମ୍ୟାଚ୍ ଆଜି

ଧର୍ମଶାଳା,୧୧ା୩ : ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଓ ଘରୋଇ ଭାରତୀୟ କ୍ରିକେଟ୍ ଦଳ ମଧ୍ୟରେ ଖେଳାଯିବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍ ଗୁରୁବାର  ଖେଳାଯିବ। କିଛିଦିନ ତଳେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇ ଦିନିକିଆ ସିରିଜ୍‌ରେ ଶୋଚନୀୟ ଭାବେ ୩-୦ରେ ପରାସ୍ତ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଦକ୍ଷିଣ ଆଫ୍ରିକାକୁ ଦିନିକିଆ ସିରିଜ୍‌ରେ ହରାଇବାକୁ ଭାରତୀୟ ଦଳ ଉତ୍କଣ୍ଠାର ସହ ଅନାଇ ବସିଛି।

ଅନ୍ୟପକ୍ଷରେ ଭାରତୀୟ ଦିନିକିଆ ଦଳକୁ ଫେରିଛନ୍ତି ଦ୍ରୁତ ବୋଲର ଭୁବନେଶ୍ବର କୁମାର, ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଓ ଓପନର୍‌ ଶିଖର ଧାୱନ୍‌। ଫଳରେ ଦଳର ଶକ୍ତି ବୃଦ୍ଧି ପାଇବ ବୋଲି ଆାଶା କରାଯାଉଛି। କାନ୍ଧରେ ଆଘାତଜନିତ କାରଣରୁ ଧାୱନ୍‌ ବେଶ୍‌ କିଛିଦିନ କ୍ରିକେଟ୍‌ରୁ ଦୂରେଇ ରହିଥିଲେ। ବର୍ତ୍ତମାନ ସେ ସଂପୂର୍ଣ୍ଣ ସୁସ୍ଥ ହୋଇ ଦଳକୁ ଫେରିଛନ୍ତି। ତେବେ ଭାରତୀୟ ଦଳର ତାରକା ଓପନର୍‌ ରୋହିତ ଶର୍ମା ଏହି ସିରିଜ୍‌ ନିମନ୍ତେ ଦଳରେ ନ ଥିବାରୁ ଶିଖରଙ୍କ ସହ ପୃଥ୍ବୀ ସ’ କିମ୍ବା କେଏଲ୍‌ ରାହୁଲଙ୍କ ମଧ୍ୟରୁ କିଏ ବ୍ୟାଟିଂ ଓପନ୍‌ କରୁଛନ୍ତି ତାହା ଦେଖିବାକୁ ବାକି ରହିଛି। ସେହିପରି ଦଳକୁ ଫେରିଥିବା ଦ୍ରୁତ ବୋଲର ଭୁବନେଶ୍ବର କୁମାର ପ୍ରଥମ ଦିନିକିଆରେ କିପରି ପ୍ରଦର୍ଶନ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି। ଅନ୍ୟତମ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ଏହି ସିରିଜ୍‌ ନିମନ୍ତେ ବିଶ୍ରାମ ଦିଆଯାଇଥିବାରୁ ପ୍ରଥମ ଦିନିକିଆରେ ଭାରତ ତରଫରୁ ଦ୍ରୁତ ବୋଲର ଭାବେ ଯଶପ୍ରୀତ୍‌ ବୁମରା, ଭୁବନେଶ୍ବର କୁମାର ଓ ନବଦୀପ ସୈନି ଖେଳିବା ସମ୍ଭାବନା ଅଧିକ।
ଭାରତ ପାଇଁ ଖୁସିର ଖବର ହେଉଛି ଦଳକୁ ଫେରିଛନ୍ତି ତାରକା ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା। ହାର୍ଦିକ ପିଠିରେ ଅ‌େ‌ସ୍ତ୍ରାପଚାରଜନିତ କାରଣରୁ ଦୀର୍ଘଦିନ ହେବ କ୍ରିକେଟ୍‌ରୁ ଦୂରେଇ ରହିଥିଲେ। ତାଙ୍କ ସ୍ଥାନରେ ଅଲରାଉଣ୍ଡର ଭାବେ ଶିବମ୍ ଦୁବେଙ୍କୁ ସୁଯୋଗ ମିଳିଥିବା ବେଳେ ସେ ମନୋନୟନକାରୀଙ୍କୁ ପ୍ରଭାବିତ କରିବାରେ ଏତେଟା ସଫଳ ହୋଇପାରିନଥିଲେ। ତେଣୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ ନିମନ୍ତେ ହାର୍ଦିକଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି। କିଛିଦିନ ତଳେ ଏକ ଘରୋଇ କ୍ରିକେଟ୍ ପ୍ରତିଯୋଗିତାରେ ହାର୍ଦିକ ଚମତ୍କାର ପ୍ରଦର୍ଶନ କରିଥିବାରୁ ଦଳ ତାଙ୍କ ଠାରୁ ବହୁତ କିଛି ଆଶା ରଖିଛି।
ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ରେ ଭାରତୀୟ ଦଳର ନେତୃତ୍ବ କୋହଲି ନେଉଥିବା ବେଳେ କିଛିଦିନ ତଳେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍‌ରେ ସେ ବିଫଳ ହୋଇଥିଲେ। ସେ ନ୍ୟୁଜିଲାଣ୍ଡ ବିପକ୍ଷ ସିିରିଜ୍‌ରେ ମାତ୍ର ୭୫ରନ୍ କରିଥିବା ଦୃଷ୍ଟିରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିିରିଜ୍‌ରେ ଅଧିକରୁ ଅଧିକ ରନ୍‌ ସଂଗ୍ରହ କରି ନିଜ ଫର୍ମ ଫେରିବାକୁ ଚେଷ୍ଟା କରିବେ। ସେହିପରି ଭାରତୀୟ ଦଳ ତରଫରୁ ମଧ୍ୟଭାଗରେ ଶ୍ରେୟାସ ଆୟାର ଓ ମନୀଷ ପାଣ୍ଡେ ଖେଳିବା ନିଶ୍ଚିତ ବୋଲି ଆଲୋଚନା ହେଉଛି। ଭାରତୀୟ ଦଳରେ ୱିକେଟରକ୍ଷକ ଭାବେ ଋଷଭ ପନ୍ତ ରହିଛନ୍ତି। ସେ ଦିନିକିଆ ମ୍ୟାଚ୍‌ରେ ଖେଳିବାର ସମ୍ଭାବନା ରହିଛି। ଅନ୍ୟତମ ଯୁବ ବ୍ୟାଟସମ୍ୟାନ୍‌ ଶୁବମାନ୍‌ ଗିଲ୍ ଭାରତୀୟ ଦଳରେ ରହିଥିଲେ ମଧ୍ୟ ସେ ପ୍ରଥମ ଦିନିକିଆରେ ଖେଳିବା ଆଶା କମ୍‌। ସ୍ପିନର ଭାବେ ରବୀନ୍ଦ୍ର ଜାଡେଜା ଖେଳିବା ଏକପ୍ରକାର ନିଶ୍ଚିତ ଥିବା ବେଳେ ଦ୍ବିତୀୟ ସ୍ପିନର ଭାବେ କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ୍‌ଙ୍କ ମଧ୍ୟରୁ କାହାକୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଉଛି ତାହା ଦେଖିବାକୁ ବାକି ରହିଛି।
ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଦଳ ବେଶ୍‌ ଭଲ ଫର୍ମ​‌ରେ ରହିଛି। ଦଳ କିଛିଦିନ ତଳେ ଅଷ୍ଟ୍ରେଲିଆକୁ ଦିନିକିଆ ସିରିଜ୍‌ରେ ପରାସ୍ତ କରିଥିଲା। ଭାରତ ବିପକ୍ଷ ଦିନିକିଆ ସିରିଜ୍‌ ନିମନ୍ତେ ଦକ୍ଷିଣ ଆଫ୍ରିକା ଦଳକୁ ଫେରିଛନ୍ତି ପୂର୍ବତନ ଅଧିନାୟକ ଫାଫ୍‌ ଡୁପ୍ଳେସି ଓ ଡୁସେନ୍‌। ସେହିପରି ଏହି ଦଳରେ ହେନ୍‌ରିଚ୍‌ କ୍ଲାସେନ୍‌, କେଲ୍‌ ଭେରେନେ ରହିଛନ୍ତି। ଦ୍ରୁତ ବୋଲର ଲୁଙ୍ଗି ଏନ୍‌ଗିଡି କିପରି ପ୍ରଦର୍ଶନ କରୁଛନ୍ତି ତାହା ଉପରେ କ୍ରିକେଟ୍‌ପ୍ରେମୀଙ୍କ ନଜର ରହିଛି। ପ୍ରଥମ ଦିନିକିଆ ସମୟରେ ବର୍ଷା​ ହେବାର ଆଶଙ୍କା ରହିଥିବା ପାଣିପାଗ ସୂତ୍ରରୁ ଜଣାପଡ଼ିିଛି।
ଆଜିର ମ୍ୟାଚ୍‌
ଭାରତ-ଦକ୍ଷିଣ ଆଫ୍ରିକା (ପ୍ରଥମ ଦିନିକିଆ)
ସମୟ : ଅପରାହ୍ଣ ୧.୩୦ରୁ, ପ୍ରସାରଣ : ଷ୍ଟାର ସ୍ପୋର୍ଟସ୍‌
କରୋନା ଭୟ  ଷ୍ଟାଡିୟମ ଖାଲି ପଡ଼ିବା ଆଶଙ୍କା- 
ବିଶ୍ବବ୍ୟାପୀ କରୋନା ଭାଇରସ୍‌ ଆତଙ୍କ ସୃଷ୍ଟି କରିଥିବା ବେଳେ ଏହି ମ୍ୟାଚ୍ ଉପରେ ଏହାର ପ୍ରଭାବ ପଡ଼ିବ ବୋଲି ଆଲୋଚନା ହେଉଛି। ଷ୍ଟାଡ଼ିୟମରେ କେତେ ସଂଖ୍ୟକ ଦର୍ଶକ ଉପସ୍ଥିତ ରହୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି। ଏଥିସହ ଷ୍ଟାଡ଼ିୟମରେ ଅଧିକ ସଂଖ୍ୟକ ଦର୍ଶକ ଉପସ୍ଥିତ ରହିଲେ କରୋନା ଭାଇରସ୍‌ ସଂକ୍ରମଣର ଭୟ ବଢ଼ିଯିବ ବୋଲି ସ୍ଥାନୀୟ ପ୍ରଶାସନ ତରଫରୁ ହିମାଚଳପ୍ରଦେଶ କ୍ରିକେଟ୍ ଆସୋସିଏସନ୍‌ ଓ ବିସିସିଆଇକୁ ଲିଖିତ ଭାବେ ଜଣାଇ ଦିଆଯାଇଛି। ଏହି ମ୍ୟାଚ୍‌ ପାଇଁ ପୁଲିସ ମୁତୟନକୁ ନେଇ ସ୍ଥାନୀୟ ଏସ୍‌ପି ଚିନ୍ତାବ୍ୟକ୍ତ କରିଛନ୍ତି। କର୍ତ୍ତବ୍ୟରତ ପୁଲିସ ଅଧିକାରୀ ଷ୍ଟାଡ଼ିୟମକୁ ଆସିବାକୁ ଥିବା ଦର୍ଶକଙ୍କ ସଂପର୍ଶରେ ଆସିବା ନିଶ୍ଚିତ ଥିବାରୁ ସେମାନଙ୍କୁ ହାତରେ ଗ୍ଲୋଭସ୍‌ ଓ ମୁହଁରେ ମାକ୍ସ ପିନ୍ଧିବାକୁ ନିର୍ଦେଶ ଦିଆଯାଇଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories