ଆଜିଠାରୁ ଭାରତ-ଅଷ୍ଟ୍ରେଲିଆ ବିଶ୍ବ ଟେଷ୍ଟ ଚମ୍ପିଆନ୍ସିପ୍ ଫାଇନାଲ

ଓଭାଲ୍: ଆଜିଠାରୁ ଆରମ୍ଭ ହେଉଛି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଇସିିସି ବିଶ୍ବ ଟେଷ୍ଟ ଚମ୍ପିଆନ୍ସିପ୍ ଫାଇନାଲ। ୨ ବର୍ଷ ତଳେ ମଧ୍ୟ ଇଂଲଣ୍ଡରେ ଭାରତ ବିଶ୍ବ ଟେଷ୍ଟ ଚମ୍ପିଆନ୍ସିପ୍ ଫାଇନାଲ ଖେଳିଥିଲା। ଭାରତକୁ ୮ ୱିକେଟରେ ନ୍ୟୁଜିଲାଣ୍ଡ ପରାସ୍ତ କରିଥିଲା। କ୍ରମାଗତ ୨ୟ ଥର ଫାଇନାଲ ଖେଳିବାକୁ ଯାଉଥିବା ଭାରତ ଏଥର ଟ୍ରଫି ଜିତିବାର ପ୍ରୟାସ କରିବ। ଗତ ୨ ବର୍ଷରେ ଟେଷ୍ଟମ୍ୟାଚ୍ରେ ଉଭୟ ଅଷ୍ଟ୍ରେଲିଆ ଓ ଭାରତ ସବୁଠାରୁ ଭଲ ପ୍ରଦର୍ଶନ କରିଛନ୍ତି। ତେଣୁ ଉଭୟ ଦଳ ଟେଷ୍ଟ କ୍ରିକେଟ୍ର ଶ୍ରେଷ୍ଠ ପୁରସ୍କାର ପାଇବାକୁ ଲଢ଼େଇରେ ଅବତୀର୍ଣ୍ଣ ହୋଇଛନ୍ତି।
ମ୍ୟାଚ୍ରେ ଭାରତ ନିଶ୍ଚୟ ଫେଭରିଟ୍। କିଛିମାସ ତଳେ ଉଭୟ ଦଳ ବର୍ଡର-ଗାଭାସ୍କର ଟ୍ରଫି ଖେଳିଥିଲେ ଏବଂ ଭାରତ ଏଥିରେ ବିଜୟୀ ହୋଇଥିଲା। ତେଣୁ ଦୃଢ଼ ମନୋବଳ ନେଇ ଭାରତ ଏହି ମ୍ୟାଚ୍ରେ ଓହ୍ଲାଇବ। ଉଭୟ ଦଳଙ୍କ ମଧ୍ୟରେ ଗତ ୪ଟି ଟେଷ୍ଟ ଶୃଙ୍ଖଳା ଭାରତ ଜିତିଛି; ସେଥିରୁ ୨ଟି ଅଷ୍ଟ୍ରେଲିଆ ମାଟିରେ। ହେଲେ ଆହତ ଥିବା ଦଳର ୪ ପ୍ରମୁଖ ଖେଳାଳି- ଋଷଭ ପନ୍ତ୍, ଯଶପ୍ରୀତ ବୁମ୍ରା, କେ.ଏଲ୍. ରାହୁଲ ଓ ଶ୍ରେୟାସ ଆୟରଙ୍କ ଅନୁପସ୍ଥିତି ଭାରତ ଅନୁଭବ କରିବ। ଅଷ୍ଟ୍ରେଲିଆର ପ୍ରମୁଖ ଫାଷ୍ଟବୋଲର ଜୋସ୍ ହାଜେଲ୍ଉଡ୍ ଆହତ ହୋଇ ଏହି ମ୍ୟାଚ୍ ଖେଳିବେନାହିଁ। ତାଙ୍କ ଅନୁପସ୍ଥିତି ମଧ୍ୟ ଅଷ୍ଟ୍ରେଲିଆ ଅନୁଭବ କରିବ। ଅଷ୍ଟ୍ରେଲିଆ ଘୋଷଣା କରିଛି ଯେ ହାଜେଲ୍ଉଡ୍ଙ୍କ ସ୍ଥାନରେ ସ୍କଟ୍ ବୋଲାଣ୍ଡ ଖେଳିବେ। ତେଣୁ ଅଷ୍ଟ୍ରେଲିଆର ଚୂଡ଼ାନ୍ତ ଏକାଦଶ ବାଛିସାରିଛି। ଦୁଇ ଅଭିଜ୍ଞ ଡେଭିଡ୍ ୱାର୍ଣ୍ଣର ଓ ଉସ୍ମାନ ଖାୱାଜା ଇନିଂସ ଓପନ୍ କରିବେ। ଟ୍ରାଭିସ୍ ହେଡ୍ ୫ନଂ ସ୍ଥାନରେ ଖେଳିବାକୁ ଥିବା ବେଳେ ପିଟର ହ୍ୟାଣ୍ଡ୍ସକମ୍ବ୍ଙ୍କୁ ବସିବାକୁ ପଡ଼ିପାରେ। ବିଶେଷଜ୍ଞ ଅଲ୍ରାଉଣ୍ଡର ଭାବେ ଖେଳିବେ କାମେରନ୍ ଗ୍ରୀନ୍। ଚୂଡ଼ାନ୍ତ ଏକାଦଶ ବାଛିବା ନେଇ ଭାରତକୁ ମାନସ ମନ୍ଥନ କରିବାକୁ ପଡ଼ିବ। ତଥାପି ଭାରତ ଦୁଇ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଓ ରବୀନ୍ଦ୍ର ଜାଡ଼େଜାଙ୍କୁ ଖେଳାଇପାରେ। କାରଣ ଓଭାଲ୍ର ପିଚ୍ ଶୁଖିଲା ଥିବାରୁ ଏଥିରେ ସ୍ପିନରଙ୍କୁ ସହାୟତା ମିଳିବ। ପିଚ୍ରେ ଯଦି ଘାସ ଥାଏ; ତେବେ ଅଶ୍ବିନଙ୍କ ସ୍ଥାନରେ ସାର୍ଦୁଳ ଠାକୁର ଖେଳିବେ। ପୁଣି ୱିକେଟ ରକ୍ଷକ ଭାବେ ଈଶାନ୍ କିଷନ୍ ଓ ଶ୍ରୀକର ଭରତଙ୍କ ମଧ୍ୟରୁ କାହାକୁ ଖେଳାଯିବ; ତାହା ସ୍ପଷ୍ଟ ହୋଇନାହିଁ। ବ୍ୟାଟିଂ ଦକ୍ଷତାରେ କିଶନ୍ ଆଗରେ ଥିବା ବେେଳ ଭରତ ଭଲ ୱିକେଟ ରକ୍ଷକ। ଦେଢ଼ବର୍ଷ ପରେ ଟେଷ୍ଟ ଦଳକୁ ଫେରିଥିବା ଅଜିଙ୍କ୍ୟ ରାହାଣେ ଖେଳିବା ନିଶ୍ଚିତ ଥିବା ବେଳେ ସୂର୍ଯ୍ୟକୁମାରଙ୍କୁ ସ୍ଥାନ ମିଳିବ ନାହିଁ। ଆହତ ଥିବା ଶ୍ରେୟାସ ଆୟରଙ୍କ ୫ନଂ ସ୍ଥାନରେ ରାହାଣେ ବ୍ୟାଟିଂକରିବେ। ମହମ୍ମଦ ସାମି ଓ ମହମ୍ମଦ ସିରାଜ୍ ଦୁଇ ପେସ୍ ବୋଲର ଭାବେ ଖେଳିବାକୁ ଥିବା ବେଳେ ୩ୟ ପେସ୍ ବୋଲର ସ୍ଥାନ ପାଇଁ ଉମେଶ ଯାଦବ ଓ ଜୟଦେବ ଉନାଦ୍କତଙ୍କ ମଧ୍ୟରୁ ଜଣଙ୍କୁ ବାଛିବାକୁ ହେବ।
ବ୍ୟାଟିଂ ସଫଳତା ହିଁ ମ୍ୟାଚ୍ରେ ନିର୍ଣ୍ଣାୟକ ହୋଇପାରେ। ଅଷ୍ଟ୍ରେଲିଆ ବ୍ୟାଟିଂରେ ଅଭିଜ୍ଞତା ରହିଛି। ଓପ୍ନର ୱାର୍ଣ୍ଣର ଓ ଖାୱାଜାଙ୍କୁ ଛାଡ଼ି ମଧ୍ୟକ୍ରମରେ ମାର୍ନସ ଲାବୁସେନ୍ ଓ ଷ୍ଟିଭେନ୍ ସ୍ମିଥ୍ ଭଲ ବ୍ୟାଟ୍ସମ୍ୟାନ୍। ଦୁହେଁ ଫର୍ମରେ ମଧ୍ୟ ଅଛନ୍ତି। ଓଭାଲ୍ରେ ୩ଟି ଟେଷ୍ଟରେ ସ୍ମିଥ୍ ୩ଟି ଟେଷ୍ଟରୁ ୨ଟି ଶତକ ଓ ଗୋଟିଏ ୮୦ ରନ୍ ସହ ୯୭.୭୫ ଆଭ୍ରେଜରେ ୩୯୧ ରନ୍ କରିଛନ୍ତି। ଟ୍ରାଭିସ୍ ହେଡ୍ ଓ କାମେରନ୍ ଗ୍ରୀନ୍ ମଧ୍ୟ ବଡ଼ ଇନିଂସ ଖେଳିପାରନ୍ତି। ଅନ୍ୟପକ୍ଷରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ସହ ଇନିଂସ ଓପନ୍ କରିବାର ଥିବା ଶୁବ୍ମାନ ଗିଲ୍ ଜୀବନର ଶ୍ରେଷ୍ଠ ଫର୍ମରେ ଅଛନ୍ତି। ଚଳିତବର୍ଷ ୩ଟିଯାକ ଫର୍ମାଟ୍ ଶତକ ମାରିବା ସହ ଆଇପିଏଲ୍ରେ ୩ଟି ଶତକ ମାରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ କୋହଲି ସର୍ବଦା ଭଲ ପ୍ରଦର୍ଶନ କରିଥାଆନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟମ୍ୟାଚ୍ରେ ବର୍ତ୍ତମାନର ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଚେତେଶ୍ବର ପୂଜାରା ସର୍ବାଧିକ ରନ୍ କରିଛନ୍ତି। ପେସ୍ ବୋଲିଂ ବିପକ୍ଷରେ ରାହାଣେଙ୍କ ଟେକ୍ନିକ ଚମତ୍କାର। ରବୀନ୍ଦ୍ର ଜାଡ଼େଜା ଓ ରବିଚନ୍ଦ୍ରନ ଅଶ୍ବିନ ମଧ୍ୟ ରନ୍ ସ୍କୋର୍ କରିପାରନ୍ତି।
Comments are closed.