ଭାରତ ଓ ଆମେରିକା ମଧ୍ୟରେ ଟୁ ପ୍ଲସ୍‍ ଟୁ ଆଲୋଚନା ଆରମ୍ଭ

0

ନୂଆଦିଲ୍ଲୀ : ଭାରତ ଓ ଆମେରିକା ମଧ୍ୟରେ ଆଜି ନୂଆଦିଲ୍ଲୀଠାରେ ଟୁ ପ୍ଲସ୍‍ ଟୁ ଆଲୋଚନା ଆରମ୍ଭ ହୋଇଛି । ଏହି ଆଲୋଚନାରେ ଯୋଗଦେବା ପାଇଁ ଆମେରିକା ବୈଦେଶିକ ସଚିବ ମାଇକେଲ୍‍ ପମ୍ପିଓ ଏବଂ ଜେମ୍‍ସ ମାଟିସ୍‍ ଇତିମଧ୍ୟରେ ନୂଆଦିଲ୍ଲୀରେ ଆସି ପହଞ୍ଚିଛନ୍ତି। ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ପମ୍ପିଓ ଓ ମାଟିସ୍‍ଙ୍କ ସହ ଆଲୋଚନା କରୁଛନ୍ତି । ଦ୍ୱିପାକ୍ଷିକ ବାଣିଜ୍ୟ ସଂପର୍କ ବୃଦ୍ଧି, ଆତଙ୍କବାଦର ମୁକାବିଲା, ଆମେରିକାର ଭିସା ନୀତିରେ କ୍ଷତିଗ୍ରସ୍ତ ହେଉଥିବା ଭାରତୀୟଙ୍କ ପ୍ରସଙ୍ଗ ଆଦି ଏହି ଆଲୋଚନାରେ ସ୍ଥାନ ପାଇବ ବୋଲି ଅନୁମାନ କରାଯାଉଛି। ଆଲୋଚନା ପରେ ପମ୍ପିଓ ଓ ମାଟିସ୍‍ ମିଳିତ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ଅଛି। ଇରାନରୁ ତୈଳ ଆମଦାନୀ ଉପରେ ଆମେରିକା କଟକଣା ଜାରି କରିଥିବାରୁ ଏହି ପ୍ରସଙ୍ଗ ନେଇ ମଧ୍ୟ ଆଲୋଚନା ହୋଇପାରେ ବୋଲି ସୂଚନା ମିଳିଛି। ଆମେରିକାର ଦୁଇ ସଚିବ ମଧ୍ୟ ଭାରତର ନିରାପତ୍ତା ପରାମର୍ଶଦାତା ଅଜିତ୍‍ ଡୋଭାଲ୍‍ଙ୍କ ସହ ବିଭିନ୍ନ ଆଞ୍ଚଳିକ ଓ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

Leave A Reply