ଇମ୍ରାନ ବିଦା ; ଚିନ୍ତାରେ ଚୀନ୍‍

ବେଜିଂ/ଇସଲାମାବାଦ : ଚୀନ ରାଷ୍ଟ୍ରପତି ସି ଜିନ୍‍ପିଙ୍ଗଙ୍କର ଅନ୍ୟତମ ମିତ୍ର ଇମ୍ରାନ ଖାଁ ଅନାସ୍ଥା ଭୋଟରେ ପରାସ୍ତ ହୋଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ପଦରୁ ବିଦା ହେବାପରେ ତାହାକୁ ନେଇ ଚୀନ ଯଥେଷ୍ଟ ଚିନ୍ତିତ ହୋଇପଡ଼ିଛି। ଇମ୍ରାନଙ୍କ ସମୟରେ ଚୀନ ପାକିସ୍ତାନରେ ବିଭିନ୍ନ ପ୍ରକଳ୍ପରେ ବିପୁଳ ପୁଞ୍ଜିନିବେଶ ସହିତ ଏହାକୁ ନିଜ ଆଡକୁ ଆକୃଷ୍ଟ କରିବାରେ ସଫଳ ହୋଇଥିଲା। ବିଶେଷକରି ଚୀନ୍‍ର ବହୁ ଆକାଂକ୍ଷିତ ଚୀନ-ପାକିସ୍ତାନ ଅର୍ଥନୈତିକ କରିଡର (ସିପେକ୍‍) ଓ ବେଲ୍ଟ ରୋଡ ଇନିସିଏଟିଭ୍‍ ଇମ୍ରାନଙ୍କ ସମୟରେ ବିଶେଷ ଭାବରେ ଅଗ୍ରଗତି ହାସଲ କରିଥିଲା। ଭାରତ ସହିତ ଉଭୟ ଚୀନ୍‍ ଓ ପାକିସ୍ତାନର ସୀମା ବିବାଦ ଲାଗିରହିଥିବାବେଳେ ଭାରତର ମୁକାବିଲା କରିବାକୁ ପାକିସ୍ତାନକୁ ଚୀନ୍‍ ରାଷ୍ଟ୍ରପତି ସି ଜିନ୍‍ପିଙ୍ଗ ପୂର୍ଣ୍ଣ ପ୍ରତିଶୃତି ଦେବା ସହିତ ଅସ୍ତ୍ରଶସ୍ତ୍ର ସହାୟତା ମଧ୍ୟ ଯୋଗାଇ ଦେଇଥିଲେ। କିନ୍ତୁ ଇମ୍ରାନ ଖାଁ କ୍ଷମତାରୁ ବିଦାହେବା ଏବଂ ତାଙ୍କର ବିରୋଧୀ ତଥା ପାକିସ୍ତାନରେ ପୂର୍ବରୁ ତିନିଥର ପ୍ରଧାନମନ୍ତ୍ରୀ ଆସନରେ ଅଧିଷ୍ଠିତ ହୋଇସାରିଥିବା ନୱାଜ ସରିଫଙ୍କ ସାନଭାଇ ଶେହବାଜ ସରିଫ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାର ଯଥେଷ୍ଟ ସମ୍ଭାବନା ରହିଥିବାରୁ ତାହା ଚୀନକୁ ଚିନ୍ତାରେ ପକାଇ ଦେଇଛି। କାରଣ ନୱାଜ ସରିଫଙ୍କ ସମୟରେ ଭାରତ ସହିତ ତାଙ୍କର ସୁସମ୍ପର୍କ ରହିଥିବା ଏବଂ ବିଶେଷକରି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ନୱାଜ ସରିଫଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଉପୟ ରାଷ୍ଟ୍ରବାସୀ ଭଲଭାବରେ ଜାଣନ୍ତି। ଶେହବାଜ ସରିଫ ମଧ୍ୟ ଭାଇଙ୍କ ପଦାଙ୍କ ଅନୁସରଣ କରିବା ଅନେକ ଆଶା କରୁଛନ୍ତି। ଇମ୍ରାନ ଗାଦି ଛାଡିବା ପୂର୍ବରୁ ଆମେରିକାକୁ ସିଧାସଳଖ ଆକ୍ଷେପ କରିଥିବାବେଳେ ପାକିସ୍ତାନର ସେନାଧ୍ୟକ୍ଷ କ୍ୱମର ବାଜୱା ଆମେରିକାକୁ ପ୍ରଶଂସା କରିଛନ୍ତି। ଦୁଇଦେଶ ମଧ୍ୟରେ ମଜଭୁତ ସାମରିକ ସମ୍ପର୍କ ରହିଛି ଏବଂ ଏହା ଅତୁଟ ରହିବ ବୋଲି ବାଜୱାଙ୍କ ଘୋଷଣା ଚୀନ୍‍ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ତେବେ ପାକିସ୍ତାନ ଓ ଚୀନର ରାଜନୈତିକ ଏବଂ କୂଟନୈତିକ ବିଶାରଦମାନଙ୍କର ମତ ଯେ ପାକିସ୍ତାନରେ ସରକାର ବଦଳିଲେ ମଧ୍ୟ ଚୀନ ସହିତ ଏହାର ରହିଥିବା ପୁରାତନ ସମ୍ପର୍କ ପ୍ରଭାବିତ ହେବନାହିଁ। ସେମାନଙ୍କ କହିବା କଥା ଯେ ସରିଫଙ୍କ ଶାସନ ସମୟରେ ମଧ୍ୟ ପାକିସ୍ତାନ-ଚୀନ ସମ୍ପର୍କରେ ବିଶେଷ ଉନ୍ନତି ଘଟିଥିଲା। ନୱାଜ ସରିଫ ପ୍ରାଦେଶିକ ମୁଖ୍ୟ ଥିବାବେଳେ ଚୀନ ସହିତ ଏକାଧିକ ବେଲ୍ଟ ରୋଡ ଇନିସିଏଟିଭ୍‍ ରାଜିନାମା ସ୍ୱାକ୍ଷରିତ ହୋଇଥିଲା। ତାଙ୍କ ସାନଭାଇ ଶେହବାଜଙ୍କ ସମୟରେ ହୁଏତ ଏହା ଅଧିକ ମଜଭୁତ ହୋଇପାରେ।

kalyan agarbati

Comments are closed.