ମହାଭିଯୋଗ ଉପରେ କଂଗ୍ରେସରୁ ଉଠିଲା ବିରୋଧର ସ୍ୱର, ଦସ୍ତଖତ କଲେନି ମନମୋହନ
ନୂଆଦିଲ୍ଲୀ : କଂଗ୍ରେସ ସମେତ ୭ଟି ବିରୋଧୀ ଦଳ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ଆଣିବାକୁ ୭୧ ସାଂସଦଙ୍କ ଦସ୍ତଖତ ସମ୍ବଳିତ ପତ୍ର ଉପରାଷ୍ଟ୍ରପତିଙ୍କୁ ପ୍ରଦାନ କରିଛନ୍ତି । ହେଲେ ମହାଭିଯୋଗ ପ୍ରସ୍ତାବ ଉପରେ କଂଗ୍ରେସରୁ ବିରୋରଧର ସ୍ୱର ଉଠିବାରେ ଲାଗିଲାଣି । ପ୍ରସ୍ତୁତି ବିନା ମହାଭିଯୋଗ ଅଣାଯାଇଥିବାବେଳେ କଂଗ୍ରେସର ସମସ୍ତ ନେତା ଏହାକୁ ସମର୍ଥନ ଦେଇନାହାନ୍ତି । କଂଗ୍ରେସର ବରିଷ୍ଠ ନେତା ସଲମାନ ଖୁର୍ସିଦ ଏଥିରୁ ନିଜକୁ ଦୂରରେ ରଖିଥିବାବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମହାଭିଯୋଗ ପ୍ରସ୍ତାବ ପତ୍ରରେ ଦସ୍ତଖତ କରିନାହାନ୍ତି । ସଲମାନ ଖୁର୍ସିଦ ମହାଭିଯୋଗକୁ ଏକ ଜଟିଳ ପ୍ରକ୍ରିୟା କହିବା ସହ ସେ ଦଳର ଏହି ଚର୍ଚ୍ଚା ମଧ୍ୟରେ ନାହାନ୍ତି ବୋଲି କହିଛନ୍ତି । ଅପରପକ୍ଷରେ ମନମୋହନ ପୂର୍ବତନ ପ୍ରଧାନମନ୍ତ୍ରୀ ହୋଇଥିବାରୁ ମହାଭିଯୋଗ ପ୍ରସ୍ତାବ ପତ୍ରରେ ଦସ୍ତଖତ କରିନାହାନ୍ତି ବୋଲି ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ ସ୍ପଷ୍ଟୋକ୍ତି ଦେଇଛନ୍ତି । ମହାଭିଯୋଗ ପ୍ରସ୍ତାବ ପତ୍ର ଉପରେ ୭ ଦଳର ୬୪ ସାଂସଦ ଏବଂ ୭ ଜଣ ପୂର୍ବତନ ସାଂସଦ ସ୍ୱାକ୍ଷର କରିଛନ୍ତି। ଏଥିରେ କଂଗ୍ରେସ, ସପା, ଏନ୍ସିପି, ସିପିଆଇ, ସିପିଆଇ(ଏମ୍), ବିଏସ୍ପି ଏବଂ ମୁସଲିମ୍ ଲିଗ୍ର ସାଂସଦମାନେ ଦସ୍ତଖତ କରିଛନ୍ତି। ମହାଭିଯୋଗ ପ୍ରସ୍ତାବ ପାଇଁ ୫ଟି କାରଣ ଦର୍ଶାଯାଇଛି । ପ୍ରଧାନ ବିଚାରପତି ପଦ ଅନୁସାରେ ଆଚରଣ ପ୍ରଦର୍ଶନ କରୁନାହାନ୍ତି, ମିଥ୍ୟା ସତ୍ୟାପାଠ ଦ୍ୱାରା ଭୂମି ଗ୍ରହଣ କରିଛନ୍ତି, ସମ୍ବେଦନଶୀଳ ମାମଲାଗୁଡ଼ିକୁ କିଛି ବଛା ବଛା ଖଣ୍ଡପୀଠଙ୍କୁ ପ୍ରଦାନ କରୁଛନ୍ତି, ପ୍ରସାଦ ଏଜୁକେସନ ବିବାଦରେ ନ୍ୟାୟିକ ପ୍ରାଶାସନିକ ପ୍ରକ୍ରିୟାକୁ ଆପଣାଯାଇନାହିଁ, ସେ ପ୍ରସାଦ ଏଜୁକେସନ ଟ୍ରଷ୍ଟ ମାମଲାରୁ ଫାଇଦା ନେଇଛନ୍ତି ଭଳି ୫ ଅଭିଯୋଗ ପ୍ରଧାନ ବିଚାରପତିଙ୍କ ବିରୋଧରେ ଅଣାଯାଇଛି। ତେବେ କଂଗ୍ରେସର ଏହି ମହାଭିଯୋଗ ପ୍ରସ୍ତାବକୁ ବିହାରର ଲାଲୁ ପ୍ରସାଦ ଯାଦଙ୍କ ଦଳ ଆରଜେଡି ଏବଂ ପଶ୍ଚିମବଙ୍ଗର ତୃଣମୁଳ କଂଗ୍ରସ ସମର୍ଥନ ଦେଇନାହାନ୍ତି । ଏହି ଦୁଇ ଦଳ ମହାଭିଯୋଗ ପ୍ରସ୍ତାବ ପାଇଁ କଂଗ୍ରେସ ପକ୍ଷରୁ ଆୟୋଜିତ ବୈଠକରେ ସାମିଲ ହୋଇନାହାନ୍ତି । ସିପିଆଇ(ଏମ)ର ସମସ୍ତ ନେତା ଏହି ପ୍ରସ୍ତାବ ସପକ୍ଷରେ ନାହାନ୍ତି । ସିପିଆଇ(ଏମ୍) ନେତା ସୀତାରାମ ୟେଚୁରୀ ଏହି ପ୍ରସ୍ତାବକୁ ସମର୍ଥନ ଜଣାଇଥିବାବେଳେ ଦଳର ବରିଷ୍ଠ ନେତା ପ୍ରକାଶ କରାତ ଏ ବିଷୟରେ ତାଙ୍କୁ ଅବଗତ କରାଯାଇନଥିବା ପ୍ରକାଶ କରିଛନ୍ତି । ଓଡ଼ିଶାର ଶାସକ ଦଳ ବିଜେଡି ପ୍ରଥମରୁ ଏହି ପ୍ରସ୍ତାବକୁ ବିରୋଧ କରିଆସୁଛି ।