ବେଆଇନ୍ ପଥର ବ୍ଲାଷ୍ଟିଂରେ ଥରୁଛି ଗାଁ, ଫାଟୁଛି ଘର

ଲଡୁଗାଁ: ପଥର କ୍ୱାରିରେ ବେଆଇନ ବ୍ଲାଷ୍ଟିଂ ସ୍ଥାନୀୟ ବାସିନ୍ଦାଙ୍କ ସୁରକ୍ଷାକୁ ବିପନ୍ନ କରିଛି । ଭୟଙ୍କର ବିସ୍ଫୋରଣରେ ଘର ଛାତ, କାନ୍ଥ ଫାଟି ଆଁ କଲାଣି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ସମସ୍ୟାର ପ୍ରତିକାର ଲାଗି ପ୍ରଶାସନ ପଦକ୍ଷେପ ନେଉନାହିଁ । ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ପୁଞ୍ଜୀଭୂତ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର କାଶିବହାଲ ଗାଁ । ଗାଁ ପାଖକୁ ଲାଗି ରହିଛି ଡୋକରି ପାହାଡ଼। ପାହାଡ଼ରେ ଆଇନ ଉଲ୍ଲଂଘନ କରି ଦିନରାତି ବ୍ଲାଷ୍ଟିଂ କରାଯାଉଛି। ଏଥିରେ ସମ୍ପୃକ୍ତ ଆଇନ୍ ଉଲ୍ଲଙ୍ଘନକାରୀ ବ୍ୟବସାୟୀ ଲୋକମାନଙ୍କ ସୁରକ୍ଷାକୁ ବିପନ୍ନ କରି ନିଜ ବ୍ୟବସାୟ ବଢ଼ାଇବାରେ ଲାଗିଛନ୍ତି। କେବଳ ଏତିକି ନୁହେଁ, ସମ୍ପୃକ୍ତ ଅଞ୍ଚଳରେ ରହୁଥିବା ସାଧାରଣ ପରିବାର ମଧ୍ୟ ଏଥିରେ ପ୍ରଭାବିତ ହେଉଛନ୍ତି। ବ୍ଲାଷ୍ଟିଂ ପରେ ପଥର ଗୁଣ୍ଡ ଘର ଉପରେ ପଡୁଛି। ବିସ୍ଫୋରଣ ଶବ୍ଦ ଏତେ ତୀବ୍ର ହେଉଛି ଯେ, ରାତିରେ ଶୋଇଥିବା ଲୋକ ଭୟଭୀତ  ହୋଇପଡୁଛନ୍ତି। ପଥର ଖଣି ଯୋଗୁ ସୃଷ୍ଟି ହେଉଥିବା ପ୍ରଦୂଷଣ ବିଭିନ୍ନ ରୋଗର କାରଣ ସାଜୁଛି। ଛୋଟ ଛୋଟ ପିଲାମାନେ ପ୍ରଚଣ୍ଡ ଶବ୍ଦରେ ଭୟଭୀତ ହେଉଛନ୍ତି। ପୂର୍ବରୁ ମତୁଆଲଗୁଡା, ଜଳତାମୁଣ୍ଡା ଓ କାଶୀବହାଲ ଗାଁରେ ଥିବା କ୍ରସରଗୁଡ଼ିକର ଏଭଳି କାର୍ଯ୍ୟକଳାପ ନେଇ ବସ୍ତିବାସିନ୍ଦା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ । ଅଥଚ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କଲେନି କି କାହାରି ଗୁହାରି ଶୁଣିଲେନି।

କମ୍ପ୍ରେସର ବଦଳରେ ବୋରୱେଲ ମାଧ୍ୟମରେ ୧୫ରୁ ୨୦ ଫୁଟ ଗାତ କରି କେମିକାଲ ଭର୍ତ୍ତି କରି ବ୍ଲାଷ୍ଟିଂ କରିବା ମନୁଷ୍ୟକୃତ ଭୂମିକମ୍ପ ସଦୃଶ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। କ୍ରସର ଆଖ ପାଖ ଅଞ୍ଚଳରେ ଥିବା ଘରର କାନ୍ଥ ଫାଟିଯାଉଛି। ଅନ୍ୟପଟେ ଅଞ୍ଚଳରେ ଥିବା ୩ରୁ ଉର୍ଦ୍ଧ୍ବ କ୍ରସରରୁ ଶହ ଶହ ଚିପ୍ସ ଓ ମେଟାଲ ବୋଝେଇ ହାଇୱା ଚଳାଚଳ ଯୋଗୁଁ ରାସ୍ତା ମରଣଯନ୍ତା ପାଲଟିଛି। ଖାଲି ସେତିକି ନୁହେଁ କ୍ରସରର ଧୂଳିଗୁଣ୍ଡ ଯୋଗୁଁ ଲୋକଙ୍କ ସ୍ବାସ୍ଥ୍ୟ ଖରାପ ହେବା ସହ ସ୍ଥାନୀୟ ଚାଷ ଜମି ନଷ୍ଟ ହେବାରେ ଲାଗିଛି। ସେସବୁ ଆଉ ଚାଷ ଉପଯୋଗୀ ହୋଇପାରୁନାହିଁ । ଉର୍ବରତା କମି ଆସିଥିବା ବେଳେ  ଗୋଚର ଜମିରେ ଘାସ ମଧ୍ୟ ଠିକ ଭାବେ ବଢ଼ି ପାରୁନାହିଁ।

ନିୟମାନୁସାରେ ଜନ ବସତି ଥିବା ଅଞ୍ଚଳରେ କ୍ରସର ୟୁନିଟ ନ ବସିବା ସହ ଡିନାମାଇଟ ଓ ଜିଲୋନିଟ ବ୍ଲାଷ୍ଟ କରି ପାହାଡରୁ ପଥର ଫଟାଇବାର ଅନୁମତି ନାହିଁ। କିନ୍ତୁ ନିୟମକୁ ବେଖାତିର କରାଯାଉଥିବା ଓ ପ୍ରଶାସନିକ ମିଲିଭଗତରେ  ବେଆଇନ ପଥର ଖନନ କରି ସରକାରଙ୍କ ରାଜସ୍ବ ହାନି କରାଯାଉଥିବା ଅଭିଯୋଗ ହୋଇଛି।

Comments are closed.