ଯଦି ଗୋଟିଏ ଦିନ ପାଇଁ ଇଣ୍ଟରନେଟ୍ ସେବା ବନ୍ଦ ହୁଏ . . .
ସମାଜ ଡିଜିଟାଲ ଡେସ୍କ: ଶୁକ୍ରବାର ଗୋଟିଏ ଝଟକାରେ ଠପ୍ ହୋଇଯାଇଥିଲା ବିଶ୍ୱ । ଏୟାରପୋର୍ଟ, ଫ୍ଲାଇଟ୍, ବ୍ୟାଙ୍କ ଏବଂ ସେୟାର ବଜାର ସବୁକିଛି ଠପ୍ ହୋଇଥିଲା । ମାଇକ୍ରୋସଫ୍ଟ ସର୍ଭର ଡାଉନ ପରେ ଦିଲ୍ଲୀଠୁ ଆରମ୍ଭ କରି ମୁମ୍ବାଇ, ଆମେରିକା, ଜର୍ମାନୀ, ଅଷ୍ଟ୍ରେଲିଆ ଏବଂ ଲଣ୍ଡନରେ ସେବା ଠପ୍ ହୋଇଯିବାରୁ ହଜାର ହଜାର କୋଟିର କ୍ଷତି ସହିବାକୁ ପଡିଥିଲା । ଏଭଳି ପରିସ୍ଥିତିରେ ଅନୁମାନ କରନ୍ତୁ ଯେ ଯଦି ବିଶ୍ୱରେ ଗୋଟିଏ ଦିନ ପାଇଁ ଇଣ୍ଟରନେଟ୍ ସେବା ବନ୍ଦ ହୋଇଯାଏ, ତେବେ କଣ ହେବ । ଇଣ୍ଟରନେଟ ଆମ ଜୀବନରେ ଏକ ଅତ୍ୟାବଶ୍ୟକ ଅଂଶ ହୋଇଯାଇଛି । ବ୍ୟକ୍ତିଗତ, ବ୍ୟବସାୟ, ଶିକ୍ଷାଗତ ଏବଂ ସରକାରୀ କାର୍ଯ୍ୟରେ ଏହା ବହୁଳ ଭାବରେ ବ୍ୟବହୃତ ହେଉଛି । ଯଦି ସମଗ୍ର ବିଶ୍ୱରେ ଇଣ୍ଟରନେଟ୍ ସେବା ଗୋଟିଏ ଦିନ ପାଇଁ ବି ବନ୍ଦ ହୋଇଯାଏ ତେବେ ଏହାର ପ୍ରଭାବ ଅନେକ କ୍ଷେତ୍ରରେ ପଡିବା ସହ କୋଟି କୋଟି ଟଙ୍କାର କ୍ଷତି ମଧ୍ୟ ସହିବାକୁ ପଡିବ । ତେବେ ଯଦି ଇଣ୍ଟରନେଟ ସେବା ବନ୍ଦ ହୁଏ ତେବେ କଣ କଣ ହେବ ଚାଲନ୍ତୁ ଜାଣିବା…
ଗୋଟିଏ ଝଟକାରେ ଯୋଗାଯୋଗ ବିଚ୍ଛିନ୍ନ ହେବ-
ଆଧୁନିକ ଯୁଗରେ ଇଣ୍ଟରନେଟ ସେବା ହେତୁ ବ୍ୟକ୍ତିଗତ ଯୋଗାଯୋଗ ଖୁବ ସହଜ ହୋଇପାରିଛି । ଇଣ୍ଟରନେଟ୍ ବନ୍ଦ ହେଲେ ଏହି ସେବା ତୁରନ୍ତ ବନ୍ଦ ହୋଇଯିବ । ବିନା ଇଣ୍ଟରନେଟରେ ସୋସିଆଲ ମିଡ଼ିଆ, ଇମେଲ ଏବଂ ମେସେଜିଂ ଆପ୍ ବନ୍ଦ ହେତୁ ଲୋକମାନେ ପରସ୍ପର ସହ ଯୋଗାଯୋଗ କରିପାରିବେ ନାହିଁ । ଏହା ପରିବାର ଏବଂ ସାଙ୍ଗମାନଙ୍କ ମଧ୍ୟରେ ଥିବା ସମ୍ପର୍କ ଉପରେ ପ୍ରଭାବ ପକାଇପାରେ । ଅନେକ ବ୍ୟବସାୟୀମାନେ ଆଭ୍ୟନ୍ତରୀଣ ଏବଂ ବାହ୍ୟ ଯୋଗାଯୋଗ ପାଇଁ ଇଣ୍ଟରନେଟ ଉପରେ ନିର୍ଭର କରିଛନ୍ତି । ଇଣ୍ଟରନେଟ୍ ବନ୍ଦ ହେଲେ କମ୍ପାନୀଗୁଡିକ ମଧ୍ୟରେ ଯୋଗାଯୋଗରେ ବାଧା ସୃଷ୍ଟି ହେବା ସହ କାର୍ଯ୍ୟ ପ୍ରଭାବିତ ହୋଇ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡିବ ।
ବ୍ୟାଙ୍କ ଅବସ୍ଥା ଶୌଚନୀୟ ହେବ-
ଆଜିର ସମୟରେ ଅଧିକାଂଶ ବ୍ୟାଙ୍କିଙ୍ଗ୍ ସେବା ଅନଲାଇନରେ ଉପଲବ୍ଧ ହେଉଛି । ଇଣ୍ଟରନେଟ ବନ୍ଦ ହେଲେ ଏଟିଏମ୍, ଅନଲାଇନ ବ୍ୟାଙ୍କିଙ୍ଗ୍ ଏବଂ ଡିଜିଟାଲ ପେମେଣ୍ଟ ବୃହତ ଉପରେ ପ୍ରଭାବ ପଡିବ । ନଗଦ ଟଙ୍କା ଉଠାଣ, ଦେୟ ଏବଂ କାରବାରରେ ବଡ ସମସ୍ୟା ସୃଷ୍ଟି କରିବ । ଆପଣ ବୁଝିପାରୁଥିବେ ଯେ ଏହି କାରଣରୁ ବ୍ୟାଙ୍କ ଗୁଡିକରେ କେତେ କ୍ଷତି ହେବ ।
ଅର୍ଥନୀତିକୁ ଲାଗିବ ବଡ ଝଟକା-
ସେୟାର ବଜାରରେ ଷ୍ଟକ କାରବାରେ ଅନେକ ବାଧା ସୃଷ୍ଟି ହେବ । ଇଣ୍ଟରନେଟ ବନ୍ଦ ହେତୁ ବାଣିଜ୍ୟ ସେବା ବନ୍ଦ ହୋଇଯିବ, ଯେଉଁ କାରଣରୁ ନିବେଶକମାନେ ବହୁ କ୍ଷତି ସହିବେ । ଏହାବ୍ୟତୀତ ଆଜିକାଲି ଅନେକ ସ୍ୱାସ୍ଥ୍ୟ ସେବା ଅନଲାଇନରେ ଉପଲବ୍ଧ ହେଉଛି । ମେଡିସିନ୍, ଅନଲାଇନ ପଞ୍ଜିକରଣ, ଟିକେଟ, ସ୍ୱାସ୍ଥ୍ୟଗତ ରେକର୍ଡ ଉପଲବ୍ଧିରେ ବ୍ୟାପକ ପ୍ରଭାବିତ ହେବ । ଫଳରେ ରୋଗୀମାନେ ଠିକ୍ ସମୟରେ ଚିକିତ୍ସା ସହାୟତା ପାଇପାରିବେ ନାହିଁ ।
ଯୁବପିଢିଙ୍କ ଭବିଷ୍ୟତ ନଷ୍ଟ ହେବ କି?
ଆଜିକାଲି ଅଧିକାଂଶ ଶିକ୍ଷାନୁଷ୍ଠାନରେ ଅନଲାଇନରେ ଶିକ୍ଷା ପ୍ରଦାନ କରାଯାଉଛି । ଇଣ୍ଟରନେଟ ବନ୍ଦ ପରେ ଭର୍ଚୁଆଲ କ୍ଲାସ, ଇ-ଲର୍ଣ୍ଣିଂ ପ୍ଲାଟଫର୍ମ ଏବଂ ଅନଲାଇନ ପରୀକ୍ଷା ବାତିଲ ହୋଇଯିବ । ଏହାଦ୍ୱାରା ଛାତ୍ରଛାତ୍ରୀ ଅଧ୍ୟୟନରୁ ବଞ୍ଚିତ ହୋଇପାରନ୍ତି । ଅନୁସନ୍ଧାନକାରୀ ଏବଂ ଛାତ୍ରମାନେ ଇଣ୍ଟରନେଟ ମାଧ୍ୟମରେ ବିଭିନ୍ନ ସମସ୍ୟାର ସମାଧାନ ଏବଂ ଉପର ସ୍ତରରେ ପହଞ୍ଚି ଥାନ୍ତି । ଇଣ୍ଟରନେଟ ବନ୍ଦ ଗବେଷଣା କାର୍ଯ୍ୟାରେ ବାଧା ସୃଷ୍ଟି କରିବ ।
ବିମାନ ଗୁଡିକ ଆକାଶରେ ଅଟକି ଯିବ
ଏୟାର ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ଇଣ୍ଟରନେଟ ଉପରେ ନିର୍ଭର କରେ । ଯଦି ଇଣ୍ଟରନେଟ ବନ୍ଦ ହୋଇଯାଏ ତେବେ ବିମାଣ ଉଡାଣ ଏବଂ ଅବତରଣରେ ବହୁତ ବଡ ସମସ୍ୟା ସୃଷ୍ଟି ହୋଇପାରେ । ଲଜିଷ୍ଟିକ୍ ଏବଂ ସିପିଂ କମ୍ପାନୀଗୁଡିକ ସେମାନଙ୍କର ଟ୍ରାକିଂ ସିଷ୍ଟମ ଏବଂ ଯୋଗାଯୋଗ ପାଇଁ ଇଣ୍ଟରନେଟ ବ୍ୟବହାର କରିଥାନ୍ତି । ଇଣ୍ଟରନେଟ ବନ୍ଦ ହେଲେ ଏସବୁରେ ବାଧା ସୃଷ୍ଟି ହେବ ।
ଲୋକଙ୍କ ମାନସିକ ସ୍ଥିତି ବିଗିଡିବ–
ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ହେତୁ ଲୋକାମାନେ ପରସ୍ପର ସହ ସଂଯୋଗ ରଖିପାରୁଛନ୍ତି । ଏହା ବନ୍ଦ ହେଲେ ଲୋକଙ୍କ ମାନସିକ ସ୍ଥିତି ବିଗିଡିପାରେ । କାରଣ ଅନେକ ଲୋକ ନିଜର ଖାସ୍ ବନ୍ଧୁ, ପରିବାର ଓ ପ୍ରିୟଜନଙ୍କ ସହ ଯୋଡି ହୋଇଥାନ୍ତି । ମନୋରଞ୍ଜନ କ୍ଷେତ୍ରରେ ମଧ୍ୟ ବ୍ୟାପକ ପ୍ରଭାବ ପଡିବ । ନେଟଫ୍ଲିକ୍ସ, ୟୁଟ୍ୟୁବ, ସ୍ପୋର୍ଟସ୍ ଇତ୍ୟାଦି ସେବା ବନ୍ଦ ହୋଇଯିବ । ଅନଲାଇନ ବିଷୟବସ୍ତୁ ଉପଭୋଗ କରିପାରିବେ ନାହିଁ ।
ସମଗ୍ର ବିଶ୍ୱରେ ଗୋଟିଏ ଦିନ ପାଇଁ ଇଣ୍ଟରନେଟ ବନ୍ଦ ହେଲେ ବ୍ୟାପକ ପ୍ରଭାବ ପକାଇବ । ଯୋଗାଯୋଗ, ଅର୍ଥନୀତି, ସ୍ୱାସ୍ଥ୍ୟ, ଶିକ୍ଷା, ପରିବହନ ଏବଂ ମନୋରଞ୍ଜନ କ୍ଷେତ୍ରରେ ଅନେକ ସମସ୍ୟା ଉପୁଜିବା ସହ ବ୍ୟାପକ କ୍ଷତି ସହିବାକୁ ପଡିବ । ଏଭଳି ପରିସ୍ଥିତିରେ ଆମକୁ ଚିନ୍ତା କରିବାକୁ ବାଧ୍ୟ କରୁଛି ଯେ ଆମେ ଇଣ୍ଟରନେଟ କେତେ ନିର୍ଭରଶୀଳ ହୋଇଛୁ । ଏହା ବିନା ଜୀବନକୁ କିପରି ପରିଚାଳନା କରିବାକୁ ପଡିବ । ଇଣ୍ଟରନେଟ ବିନା ଗୋଟିଏ ଦିନ ରହିବା ବିଶ୍ୱରେ ଜରୁରିକାଳୀନ ପରିସ୍ଥିତି ସୃଷ୍ଟି କରିପାରେ । ବର୍ତ୍ତମାନ ସମୟରେ ଆମର ଜୀବନଶୈଳୀ ଏବଂ କାର୍ଯ୍ୟଶୈଳୀ ଉପରେ ପୁର୍ନବିଚାର କରିବାକୁ ପଡିବ ।
Comments are closed.