ଚେନ୍ନଇ: ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ-୨୦୨୩ରେ ଆଜି ଘରୋଇ ଭାରତ ଚେନ୍ନଇର ଏମ.ଏ ଚିଦାମ୍ବରମ ଷ୍ଟାଡ଼ିୟମରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। ସର୍ବାଧିକ ୫ ଥର ବିଜେତା ଅଷ୍ଟ୍ରେଲିଆ ଓ ଦୁଇଥର ବିଜେତା ଭାରତ ଉକ୍ତ ବିଶ୍ବକପରେ ଅନ୍ୟତମ ଟାଇଟଲ ଫେବରିଟ୍ ରହିଛନ୍ତି। ଆଇସିସି ମାନ୍ୟତାରେ ଏବେ ଭାରତ ୧ ନମ୍ବର ଓ ଅଷ୍ଟ୍ରେଲିଆ ୩ୟ ସ୍ଥାନରେ ରହିଛନ୍ତି। ବର୍ତ୍ତମାନ ସ୍ଥିତିକୁ ଦେଖିଲେ ଦୁଇ ଦଳ କେହି କାହାରିଠାରୁ କମ୍ ନୁହଁନ୍ତି।
ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଭାରତୀୟ ଦଳ ନିକଟରେ ଏସିଆ କପ୍ ଓ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାକୁ ଜିତି ଚମତ୍କାର ଫର୍ମରେ ରହିଛି। ବ୍ୟାଟିଂ ବିଭାଗରେ ରୋହିତଙ୍କ ସହ ଲୋକେଶ ରାହୁଲ ଓପନିଂ କରିବାର ସମ୍ଭାବନା ରହିଛି। କାରଣ ଶୁବମାନ ଗିଲ୍ ଅସୁସ୍ଥତା ପାଇଁ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଖେଳିବା ନେଇ ଆଶଙ୍କା ରହିଛି। ତୃତୀୟ ସ୍ଥାନରେ ବିରାଟ କୋହଲି ଖେଳିବାବେଳେ ୪ର୍ଥ ସ୍ଥାନରେ ଶ୍ରେୟାସ ଆୟର, ୫ମ ସ୍ଥାନରେ ସୂର୍ଯ୍ୟକୁମାର ଯଦବ ଖେଳିବା ନିଶ୍ଚିତ ମନେ କରାଯାଉଛି। ଭାରତ ମୁଖ୍ୟତଃ ୫ଜଣ ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନଙ୍କୁ ନେଇ ଖେଳିବ। ବିରାଟ ଓ ରୋହିତଙ୍କ ଉପରେ ଭାରତର ମୁଖ୍ୟତଃ ବ୍ୟାଟିଂ ଭାର ନିର୍ଭର କରିବ। ହାର୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡେଜା ଅଲରାଉଣ୍ଡର ଭାବେ ଖେଳିବେ। ଦ୍ରୁତ ବୋଲିଂରେ ମହମ୍ମଦ ସିରାଜ ଓ ଯଶପ୍ରୀତ ବୁମ୍ରା , ସ୍ପିନର ଭାବେ କୁଳଦୀପ୍ ଯାଦବ ଖେଳିବା ନିଶ୍ଚିତ ଥିବାବେଳେ ୪ର୍ଥ ବୋଲର ଭାେବ ସାର୍ଦୁଳ ଠାକୁର କିମ୍ବା ରବିଚନ୍ଦ୍ରନ ଅଶ୍ବିନଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିବ। ଅଶ୍ବିନ ଖେଳିବାର ଅଧିକ ସମ୍ଭାବନା ରହିଛି। ହାର୍ଦିକ ତୃତୀୟ ଦ୍ରୁତ ବୋଲର ଭୂମିକା ତୁଲାଇବେ। ସିରାଜ ଏବେ ବିଶ୍ବର ଏକ ନମ୍ବର ଦିନିକିଆ ବୋଲର ରହିଛନ୍ତି।
ଅନ୍ୟପକ୍ଷରେ ପ୍ୟାଟ୍ କମିନ୍ସଙ୍କ ନେତୃତ୍ବାଧିନ ଅଷ୍ଟ୍ରେଲିଆ ଦଳ ବେଶ ଶକ୍ତିଶାଳୀ ରହିଛି। ଦଳରେ ଏକାଧିକ ଅଲରାଉଣ୍ଡର ଦଳକୁ ଶକ୍ତିଶାଳୀ କରିଛି। ବ୍ୟାଟିଂ ସ୍ପେଶାଲିଷ୍ଟ ଭାବେ ଡେଭିଡ୍ ୱାର୍ଣ୍ଣର, ଷ୍ଟିଭ୍ ସ୍ମିଥ୍, ଟ୍ରେଭିସ ହେଡ୍, ଜୋଶ ଇଂଲିଶ ରହିଛନ୍ତି। ଏହାବାଦ୍ ବ୍ୟାଟିଂ ଅଲରାଉଣ୍ଡର ଭାବେ ଗ୍ଲେନ ମ୍ୟାକ୍ସୱେଲ, କାମେରୁନ ଗ୍ରୀନ, ମିଚେଲ ଷ୍ଟାର୍କ ମଧ୍ୟ ଖେଳିବେ। ବୋଲିଂ ବିଭାଗରେ ମିଚେଲ ଷ୍ଟାର୍କ, ପ୍ୟାଟ୍ କମିନ୍ସ ଓ ଜୋଶ ହାଜେଲଉଡ୍ ଦ୍ରୁତ ବୋଲିଂ ଭାର ସମ୍ଭାଳିବାବେଳେ ଆଡାମ ଜାମ୍ପା ଏକମାତ୍ର ସ୍ପିନ ସ୍ପେଶାଲିଷ୍ଟ ଭାବେ ଖେଳିପାରନ୍ତି। ଏକାଧିକ ଅଲ୍ରାଉଣ୍ଡର ଅଷ୍ଟ୍ରେଲିଆକୁ ବେଶ ଶକ୍ତ୍ିଶାଳୀ କରିଛି। ଏପରିକି ୮ ନମ୍ବର ସ୍ଥାନ ପର୍ଯ୍ୟନ୍ତ ଦଳ ନିକଟରେ ବ୍ୟାଟ୍ସମ୍ୟାନ ରହିଛନ୍ତି। ବିଶ୍ବକପ ପୂର୍ବରୁ ଭାରତ ବିପକ୍ଷ ଦିନିକିଆ ଶୃଙ୍ଖଳାର ଶେଷ ମ୍ୟାଚରେ ଦଳ ବିଜୟୀ ହୋଇଛି। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ୫ଟି ମ୍ୟାଚର ପ୍ରଦର୍ଶନକୁ ଦେଖିଲେ ଅଷ୍ଟ୍ରେଲିଆ ୩ଟି ଓ ଭାରତ ୨ଟି ମ୍ୟାଚରେ ବିଜୟୀ ହୋଇଛି। ଚେପକ୍ରେ ଭାରତୀୟ ବ୍ୟାଟ୍ସମ୍ୟାନ ଓ ଅଷ୍ଟ୍ରେଲିଆ ବୋଲରଙ୍କ ମଧ୍ୟରେ କଡା ସଂଘର୍ଷ ହେବା ନେଇ ଆଶା କରାଯାଉଛି।



