ଉପରକୁ ଉଠିଲେ ରୋହିତ, ଜୟସୱାଲ
ଆଇସିସି ଟେଷ୍ଟ ବ୍ୟାଟିଂମାନ୍ୟତା
ନୂଆଦିଲ୍ଲୀ : ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଓ ଯୁବ ଓପନର ଯଶସ୍ବୀ ଜୟସୱାଲ ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତାର ଉପରକୁ ଉନ୍ନୀତ ହୋଇଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ଶୃଙ୍ଖଳାରେ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ ଲାଗି ରୋହିତ ଗୋଟିଏ ସ୍ଥାନ ଉପରକୁ ଉନ୍ନୀତ ହୋଇ ୯ତମ ସ୍ଥାନରେ ପହଞ୍ଚିଛନ୍ତି। ରୋହିତ ଦ୍ବିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୮୦ ଓ ଦ୍ବିତୀୟ ଇନିଂସରେ ୫୭ରନ କରିଥିଲେ। ରୋହିତ ଏକମାତ୍ର ଭାରତୀୟ ଭାବେ ଶ୍ରେଷ୍ଠ ୧୦ରେ ରହିବାରେ ସଫଳ ହୋଇଛନ୍ତି। ରୋହିତ ଶ୍ରୀଲଙ୍କାର ଦିମୁତ କରୁଣାରତ୍ନେକୁ ପଛରେ ପକାଇ ଉପରକୁ ଉନ୍ନୀତ ହୋଇଛନ୍ତି ।
ଯୁବ ଭାରତୀୟ ଓପନର ଯଶସ୍ବୀ ଜୟସୱାଲ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ବିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୫୭ ଓ ଦ୍ବିତୀୟ ଇନିଂସରେ ୩୮ରନ କରିଥିଲେ। ଉକ୍ତ ପ୍ରଦର୍ଶନ ବଳରେ ଯଶସ୍ବୀ ୧୧ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୬୩ତମ ସ୍ଥାନେର ପହଞ୍ଚିଛନ୍ତି। ଅନ୍ୟ ଭାରତୀୟଙ୍କ ମଧ୍ୟରେ ୱିକେଟରକ୍ଷକ ଋଷଭ ପନ୍ତ୍ ୭୪୩ ପଏଣ୍ଟ ସହ ୧୨ତମ ଓ ବିରାଟ କୋହଲି ୭୩୩ ପଏଣ୍ଟ ସହ ୧୪ତମ ସ୍ଥାନରେ ରହିଛନ୍ତି। ନ୍ୟୁଜିଲାଣ୍ଡର କେନ୍ ୱିଲିୟମସନ ୮୮୩ ପଏଣ୍ଟ ସହ ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ଅଷ୍ଟ୍ରେଲିଆର ମାର୍ନୁସ ଲାବୁସାନେ ଦ୍ବିତୀୟ ଓ ଇଂଲଣ୍ଡର ଜୋ ରୁଟ୍ ୩ୟ ସ୍ଥାନରେ ରହିଛନ୍ତି। ଇଂଲଣ୍ଡର ଜ୍ୟାକ କ୍ରଲି ୧୩ଟି ସ୍ଥାନ ଉପରକୁ ଉନ୍ନୀତ ହେବା ସହିତ ୩୫ତମ ସ୍ଥାନରେ ପହଞ୍ଚିଛନ୍ତି। ଅନ୍ୟତମ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ହ୍ୟାରି ବ୍ରୁକ୍ ୧୧ତମ ସ୍ଥାନରେ ରହିଥିବାବେଳେ ଜନି ବେୟାରଷ୍ଟୋ ୩ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୧୯ତମ ସ୍ଥାନରେ ରହିଛନ୍ତି। ବୋଲିଂ ମାନ୍ୟତାରେ ଭାରତର ବରିଷ୍ଠ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ୮୭୯ ପଏଣ୍ଟ ସହ ଏକ ନମ୍ବର ସ୍ଥାନ ବଜାୟ ରଖିଥିବାବେଳେ ରବୀନ୍ଦ୍ର ଜାଡେଜା ୭୮୨ ପଏଣ୍ଟ ସହ ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଦ୍ରୁତ ବୋଲର ମହମ୍ମଦ ସିରାଜ୍ ୫ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୩୩ତମ ସ୍ଥାନରେ ରହିଛନ୍ତି। ପାକିସ୍ତାନ ବିପକ୍ଷ ଗାଲେ ଟେଷ୍ଟରେ ୭ଟି ୱିକେଟ ନେଇଥିବା ଶ୍ରୀଲଙ୍କା ସ୍ପିନର ପ୍ରଭାତ ଜୟସୂରିଆ ୭ମ ସ୍ଥାନରେ ରହିଛନ୍ତି। ଇଂଲଣ୍ଡର ଦ୍ରୁତ ବୋଲର ମାର୍କ ଉଡ୍ ୩ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୨୩ତମ,କ୍ରିସ୍ ୱକ୍ସ ୫ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୩୧ତମ ସ୍ଥାନରେ ରହିଛନ୍ତି। ଅଲରାଉଣ୍ଡର ମାନ୍ୟତାରେ ଭାରତର ରବୀନ୍ଦ୍ର ଜାଡେଜା ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ଅଶ୍ବିନ ଦ୍ବିତୀୟ ସ୍ଥାନରେ ରହିଛନ୍ତି।
Comments are closed.