ନଏଡା: ବଜାରରୁ ପରିବା ଆଣିବା ଲାଗି ସ୍ତ୍ରୀ ୩୦ ଟଙ୍କା ମାଗିବାରୁ ସ୍ବାମୀ ତାଙ୍କୁ ଅକଥନୀୟ ନିର୍ଯାତନା ଦେବା ପରେ ୩ ଥର ତଲାକ କହି ଛାଡ଼ପତ୍ର ଦେବା ସହିତ ଘରୁ ତଡ଼ି ଦେଇଛନ୍ତି। ଉତ୍ତରପ୍ରଦେଶର ଗ୍ରେଟର ନଏଡ଼ା ଅନ୍ତର୍ଗତ ଦାଦ୍ରି ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଏ ନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।
ସୂଚନା ମୁତାବକ, ୩୦ ବର୍ଷୀୟା ଜୈନାବ ନାମ୍ନୀ ମହିଳା ତାଙ୍କ ସ୍ବାମୀ ସବିରଙ୍କ ସହିତ ରୁହନ୍ତି। ସେମାନଙ୍କର ୩ଜଣ ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି। ଜୈନାଦ ଥାନାରେ ଅଭିଯୋଗ କରିଛନ୍ତି ଯେ, ଗତ ଶନିବାର ଦିନ ସେ ତାଙ୍କ ସ୍ବାମୀଙ୍କୁ ପରିବା କିଣିବା ଲାଗି ୩୦ ଟଙ୍କା ମାଗିଥିଲେ। କିନ୍ତୁ ସ୍ବାମୀ ଟଙ୍କା ନ ଦେଇ ତାଙ୍କ ସହିତ ଯୁକ୍ତିତର୍କ କରିଥିଲେ। ପରେ ସ୍ବାମୀ, ଦିଅର, ନଣଦ, ଶାଶୁ ମିଶି ତାଙ୍କୁ ମାରପିଟ କରିଥିଲେ। ଏପରି କି ତାଙ୍କ ଶରୀରକୁ ବିଦ୍ୟୁତ ଆଘାତ ଦେଇଥିଲେ। ପରେ ତିନି ଥର ତଲାକ କହି ତାଙ୍କୁ ଘରୁ ତଡ଼ିଦେଇଥିଲେ। ଖବର ପାଇ ତାଙ୍କ ବାପ ଘର ଲୋକେ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହିତ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଅଭିଯୋଗ ପରେ ଥାନାରେ ଆଇପିସି ଦଫା ୪୯୮-ଏ, ୫୦୪, ୫୦୬ରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ଅଭିଯୁକ୍ତ ସ୍ବାମୀ ସବିରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବା ଦାଦ୍ରି ଥାନା ପୁଲିସ ପକ୍ଷରୁ କୁହାଯାଇଛି।



