ଶ୍ରୀନଗର: ଜାମ୍ମୁ-କାଶ୍ମୀରର କିସ୍ତୱାର ଜିଲାରେ ଏକ ଯାତ୍ରୀବାହୀ ମିନିବସ୍ ନାଳକୁ ଖସିପଡ଼ିବାରୁ ୩୩ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୨୨ ଜଣ ଗୁରୁତର ଆହତ ହୋଇଛନ୍ତି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି କିସ୍ତୱାର ହସ୍ପିଟାଲରେ ଭର୍ତ୍ତି କରିଥିବା ପୁଲିସ କଂଟ୍ରୋଲ ରୁମର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ଜାମ୍ମୁଠାରୁ କିସ୍ତୱାର ଜିଲାର ଦୂରତା ୨୩୦ କିଲୋମିଟର। ପାହାଡ଼ିଆ ଏହି ଜିଲା ଅନ୍ତର୍ଗତ କେଶୱାନର ସିର୍ଗୱାରି ଅଞ୍ଚଳରେ ସକାଳ ପ୍ରାୟ ୭ଟା ୫୦ରେ ଏହି ଦୁର୍ଘଟଣା ଘଟିଛି। ସ୍ଥାନୀୟ ଲୋକମାନେ ପ୍ରଥମେ ଦୁର୍ଘଟଣା ସମ୍ପର୍କରେ ଜାଣି ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ସେମାନେ ପୁଲିସକୁ ଖବର ଦେଇଥିଲେ। କ୍ଷମତାଠାରୁ ଅଧିକ ଯାତ୍ରୀ ପରିବହନ କାରଣରୁ ବସ୍ଟି ଭାରସାମ୍ୟ ହରାଇ ଖାଇକୁ ଖସିପଡ଼ିଥିବା ସନ୍ଦେହ କରାଯାଉଛି।
ସୂଚନାଯୋଗ୍ୟ, ଗତ ୨୭ ତାରିଖରେ ମୁଗଲ ରୋଡ୍ରେ ଏକ ସ୍କୁଲ ଭ୍ୟାନ ଖାଇକୁ ଖସିପଡ଼ିବାରୁ ୧୧ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ପିଲାମାନେ ବଣଭୋଜି କରିବା ଲାଗି ପୁଞ୍ଚ ଜିଲା ସୁରନକୋଟ ତହସିଲ ଅଞ୍ଚଳରୁ ମୁଗଲ ରୋଡ୍ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା।



