ଖୋଲିଲା ଚାରି ଦ୍ଵାର: ହେଲେ ସୁଧୁରୁନି ଦର୍ଶନ ବ୍ୟବସ୍ଥା, ବଢ଼ୁଛି ଭକ୍ତଙ୍କ ଦୁର୍ଦ୍ଦଶା

ପୁରୀ : ତିନିଦିନ ସରକାରୀ ଛୁଟି ଯୋଗୁଁ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଛି। ଚାରିଦ୍ୱାର ସମ୍ମୁଖରେ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି ଲାଗୁଛି। ଡହଡହ ଖରାରେ ଡହଳ ବିକଳ ହେଉଛନ୍ତି ଶ୍ରୀଜଗନ୍ନାଥ ପ୍ରେମୀ। ଶ୍ରୀମନ୍ଦିର ଭିତରେ ଠାକୁରଙ୍କ ଦର୍ଶନ ପାଇଁ ନାହିଁ ନଥିବା ଦୁର୍ଦଶା ଭୋଗିବାକୁ ପଡୁଛି। ବାହାରେ ଘଣ୍ଟା ଘଣ୍ଟା ଅପେକ୍ଷା କରି ଭିତରେ ପ୍ରବେଶ କରିବା ପରେ ମଧ୍ୟ ମହାପ୍ରଭୁଙ୍କ ଅବାଧ ଦର୍ଶନ ମିଳୁନାହିଁ। ସାତପାହାଚଠାରୁ ଭିତରକାଠ ଏବଂ ବାହାରକାଠ ପର୍ଯ୍ୟନ୍ତ ପ୍ରବଳ ଭିଡ଼ ସମେତ ଧସ୍ତାଧସ୍ତି ଏବଂ ଠେଲାପେଲା ହେଉଛି। ଏଭଳି ସ୍ଥିତିରେ ଠାକୁରଙ୍କୁ ଭଲ ଭାବେ ଟିକିଏ ଦେଖିବା ସମ୍ଭବପର ହେଉନାହିଁ। ବାରମ୍ବାର ଦାବି ସତ୍ତ୍ୱେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରୁନାହିଁ ମନ୍ଦିର ପ୍ରଶାସନ। ସୁରକ୍ଷା ଦାୟିତ୍ବରେ ଥିବା ପୁଲିସ କର୍ମଚାରୀ ନିରବଦ୍ରଷ୍ଟା ସାଜିଛନ୍ତି। ଭକ୍ତଙ୍କ ପାଇଁ କେବଳ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିଦେଇ ନିଧଡ଼କ ହୋଇ ବସିଛନ୍ତି ରାଜ୍ୟ ସରକାର। ଏଥିଯୋଗୁଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ରଜଛୁଟି ଯୋଗୁଁ ଦୁଇଦିନ ଧରି ପୁରୀରେ ହଜାର ହଜାର ଲୋକଙ୍କ ସମାଗମ ହୋଇଛି। ଶ୍ରୀମନ୍ଦିର ଭିତରେ ପ୍ରବେଶ ପାଇଁ ସିଂହଦ୍ବାର, ଦକ୍ଷିଣଦ୍ୱାର, ପଶ୍ଚିମଦ୍ବାର ଏବଂ ଉତ୍ତର ଦ୍ବାର ସମ୍ମୁଖରେ ଭକ୍ତଙ୍କ ଭିଡ଼ ହେବାସହ ଲମ୍ୱା ଧାଡ଼ି ଲାଗୁଛି। ଶନିବାର ପ୍ରବଳ ଖରାରେ ଭକ୍ତମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିଲେ। ସିଂହଦ୍ବାର ଏବଂ ପଶ୍ଚିମଦ୍ବାର ସମ୍ମୁଖରେ କରାଯାଇଥିବା ଛାମୁଣ୍ଡିଆ ଭକ୍ତଙ୍କ ତୁଳନାରେ ଯଥେଷ୍ଟ ହୋଇନଥିଲା। ତେଣୁ ବହୁ ଭକ୍ତ ଖରାରେ ଖୋଲା ଆକାଶ ତଳେ ଛିଡ଼ା ହୋଇଥିଲେ। ସକାଳୁ ରାତି ପର୍ଯ୍ୟନ୍ତ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା। ଏହାସତ୍ତ୍ୱେ ପ୍ରଶାସନ ପକ୍ଷରୁ ପାନୀୟ ଜଳ ବିତରଣ, ଅସ୍ଥାୟୀ ବିଶ୍ରାମ ସ୍ଥଳ କିମ୍ୱା ଆଶୁ ଚିକିତ୍ସା ବ୍ୟବସ୍ଥା କରାଯାଇ ନଥିଲା। ନାଟ ମଣ୍ଡପ ଓ ଜଗମୋହନ ଭିତରେ ଲୋକେ ଠେଲାପେଲା ହେବାସହ ଅଟକି ରହିବାରୁ ବାହାରେ ବେଳକୁ ବେଳ ଧାଡ଼ି ବଢ଼ି ଚାଲିଥିଲା। ମନ୍ଦିର ଭିତରେ ଭିଡ଼ ନିୟନ୍ତ୍ରଣ ସମେତ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଅନୁଧ୍ୟାନ ପାଇଁ କୌଣସି ବରିଷ୍ଠ ଅଧିକାରୀ ସେଠାକୁ ଯାଇ ନଥିଲେ। ଶ୍ରୀମନ୍ଦିର ଭିତରେ ଏବଂ ବାହାରେ ପ୍ରବଳ ଭିଡ଼ ଯୋଗୁଁ ପରିବାର ସହ ଆସିଥିବା ବହୁ ଭକ୍ତ ଶ୍ରୀଜୀଉଙ୍କ ଦର୍ଶନ କରି ନପାରି ଫେରିଯାଇଥିଲେ। ରବିବାର ଛୁଟି ଯୋଗୁଁ ଭକ୍ତଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ। ଶ୍ରୀମନ୍ଦିର ଭିତରେ ଗହଳି ନିୟନ୍ତ୍ରଣ ବ୍ୟବସ୍ଥା କରାନଗଲେ ଦଳାଚକଟା ହୋଇ ବଡ଼ଧରଣର ଅଘଟଣ ଘଟିବା ସମ୍ଭାବନା ରହିଛି। ତେଣୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ଜିଲା ପ୍ରଶାସନ, ପୁଲିସ ବିଭାଗ ଅଧିକାରୀମାନେ ଏହି ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଯତ୍ନବାନ ହେବାକୁ ସାଧାରଣରେ ମତ ପ୍ରକାଶ ପାଇଛି।

Comments are closed.