ସୁନ୍ଦରଗଡ଼ ଜିଲ୍ଲାରେ ହଷ୍ଟେଲ ରୂପାନ୍ତରଣ କାର୍ଯ୍ୟକ୍ରମ
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧୀନରେ ପରିଚାଳିତ ସମସ୍ତ ସରକାରୀ ହାଇସ୍କୁଲର ଛାତ୍ରୀନିବାସ ଓ ଛାତ୍ରାବାସର ରୂପାନ୍ତରଣ କାର୍ଯ୍ୟ ହାତକୁ ନିଆଯାଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୧୩୫ଟି ହଷ୍ଟେଲର ରୂପାନ୍ତରଣ କରାଯାଉଛି।
ଗୁରୁବାର ଦିନ ସୁନ୍ଦରଗଡ଼ସ୍ଥିତ ସଂସ୍କୃତି ଭବନଠାରେ ଜିଲ୍ଲା ପାଇଁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ ଅବସରରେ ଜିଲ୍ଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀ ସହ ବିଭିନ୍ନ ପ୍ରମୁଖ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ସଂପ୍ରସାରଣ କରାଯାଇଛି।
ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ଓ ବିଭିନ୍ନ ଦକ୍ଷତା ବୃଦ୍ଧି ସହିତ ସେମାନଙ୍କ ଭିତରେ ଉଦଭାବନଶୀଳ ଓ ସର୍ଜନାତ୍ମକ କାର୍ଯ୍ୟ ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ବିଶେଷ ଧ୍ୟାନ ଦିଆଯାଉଛି। ତେଣୁ ହଷ୍ଟେଲ ଭିତ୍ତିଭୂମିରେ ଆଧୁନିକ ପାଠାଗାର ଓ ରିଡିଙ୍ଗ ରୁମ୍, ବିଜ୍ଞାନ ଓ ପ୍ରୟୋଗଶାଳା, ବ୍ୟାୟାମ ତଥା ବିଭିନ୍ନ ଇନଡୋର କ୍ରୀଡ଼ା ବ୍ୟବସ୍ଥା ସହ ଅନ୍ତେବାସୀଙ୍କ ପୋଷଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ।
ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ନୂତନ ୱେବ୍ସାଇଟକୁ www.dmfsundargarh.in ଉନ୍ମୋଚନ କରାଯାଇଛି। ସେହିପରି ସୁନ୍ଦରଗଡ଼ ଜିଲ୍ଲାର ଗ୍ରାମାଞ୍ଚଳରେ ଥିବା ପୋଖରୀଗୁଡ଼ିକର ପୁନରୁଦ୍ଧାର ଓ ବିକାଶ ଲାଗି ଏକ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଗୁରୁବାର ଶୁଭାରମ୍ଭ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଲାଗି ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଆର୍ଥିକ ସହାୟତା ଯୋଗାଇ ଦେଉଛି।
ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସୁନ୍ଦରଗଡ଼ ସଦର ବିଧାୟିକା କୁସୁମ ଟେଟେ, ତଲସରା ବିଧାୟକ ଭବାନୀ ଶଙ୍କର ଭୋଇ, ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁନ୍ତୀ ପ୍ରଧାନ, ସୁନ୍ଦରଗଡ଼ ପୌରାଧ୍ୟକ୍ଷା ତନୟା ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ସୁନ୍ଦରଗଡ଼ ସାଂସଦଙ୍କ ପ୍ରତିନିଧି ସୁକେଶୀ ଓରାମ ଯୋଗ ଦେଇଥିଲେ। ସେହିପରି ଆରଜିଏଚ୍ ନିର୍ଦ୍ଦେଶକ ଡାକ୍ତର ସନ୍ତୋଷ କୁମାର ସ୍ୱାଇଁ, ଏଡିପିଏଚଓ ଡାକ୍ତର କାହ୍ନୁଚରଣ ନାୟକ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପୂର୍ଣ୍ଣଚନ୍ଦ୍ର ସାହୁ, ଏନଏଚଏମ ଡିପିଏମ୍ ଶଙ୍କର ଆଚାର୍ଯ୍ୟ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରବାସିନୀ ଚକ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ କୁଲଦୀପ ଖାଖା ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।
ଶ୍ରମଜୀବୀ ମହିଳାଙ୍କ ପିଲାଙ୍କ ଯତ୍ନ ପାଇଁ ଖୋଲିଲା ‘କଳିକା’ ଗୃହ
ସୁନ୍ଦରଗଡ଼ ଜିଲ୍ଲାର ଶ୍ରମଜୀବୀ ମହିଳାମାନଙ୍କ ସୁବିଧା ପାଇଁ, ବିଶେଷକରି ସେମାନଙ୍କ କୁନି କୁନି ପିଲାଙ୍କୁ ସେବା ଯତ୍ନ ଯୋଗାଇଦେବା ଲାଗି ‘କଳିକା’ ଗୃହର ଶୁଭାରମ୍ଭ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ସୁନ୍ଦରଗଡ଼ ଜିଲ୍ଲାର ୬ଟି ଖଣି ପ୍ରଭାବିତ ବ୍ଲକ୍ରେ ୯୦ଟି ‘କଳିକା’ ଗୃହ ପ୍ରତିଷ୍ଠା କରାଯାଉଛି।
ମା’ମାନେ ପ୍ରତିଦିନ କାମକୁ ଗଲା ବେଳେ ଏଠାରେ ସାନ ସାନ ପିଲାଙ୍କୁ ଛାଡ଼ି ଯାଇପାରିବେ। ‘କଳିକା’ ଗୃହରେ ପିଲାମାନଙ୍କ ପାଇଁ ସୁରକ୍ଷା ଓ ପୋଷଣ ସହ ଆନନ୍ଦମୟ ଶିକ୍ଷା ପରିବେଶ ସୃଷ୍ଟି କରାଯିବ।
Comments are closed.