ମହିଳା ଏସିଆନ ଚମ୍ପିଆନ୍ସ ଟ୍ରଫି ହକି : ଫାଇନାଲରେ ଭାରତ
ଡୋଂଘାଇ(କୋରିଆ) : ଭାରତ ଏଠାରେ ଚାଲିଥିବା ମହିଳା ଏସିଆନ ଚମ୍ପିଆନ୍ସ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟରେ ଫାଇନାଲକୁ ଉନ୍ନୀତ ହୋଇଛି। ଗୁରୁବାର ଖେଳାଯାଇଥିବା ରାଉଣ୍ଡ ରବିନ ଲିଗ୍ର ତୃତୀୟ ମ୍ୟାଚରେ ଭାରତ ୩-୨ ଗୋଲରେ ମାଲେସିଆକୁ ପରାସ୍ତ କରିଛି। ଫଳରେ ତିନିଟି ମ୍ୟାଚରେ ବିଜୟୀ ହୋଇ ମୋଟ ୯ ପଏଣ୍ଟ ସହ ଭାରତ ତାଲିକାର ଶୀର୍ଷରେ ରହିବା ସହ ଫାଇନାଲରେ ସ୍ଥାନ ପକ୍କା କରିପାରିଛି। ଭାରତ ତାହାର ପ୍ରଥମ ମ୍ୟାଚରେ ଜାପାନକୁ ୪-୧ ଗୋଲରେ ଓ ଦ୍ୱିତୀୟ ମ୍ୟାଚରେ ଚୀନକୁ ୩-୧ ଗୋଲରେ ପରାସ୍ତ କରି ସାରିଛି। ଆସନ୍ତା ଶନିବାର ଭାରତ ତାହାର ଶେଷ ଲିଗ୍ ମ୍ୟାଚରେ ଆୟୋଜକ କୋରିଆକୁ ଭେଟିବ।
ଭାରତ-ମାଲେସିଆ ମ୍ୟାଚ ପ୍ରାରମ୍ଭରୁ ସଂଘର୍ଷପୂର୍ଣ୍ଣ ହୋଇଥିଲା। ପ୍ରଥମାର୍ଦ୍ଧର ଏକ ମିନିଟରେ ଭାରତକୁ ପ୍ରଥମ ପେନାଲଟି କର୍ଣ୍ଣର ମିଳିଥିଲା। ତେବେ ଗୁରଜିତ୍ କୌରଙ୍କ ଶକ୍ତିଶାଳୀ ସଟ୍କୁ ମାଲେସିଆ ଗୋଲରକ୍ଷକ ଅଟକାଇବା ଫଳରେ ଭାରତ ଗୋଲ ଦେବା ସୁଯୋଗରୁ ବଞ୍ଚିତ ହୋଇଥିଲା। କିଛି ସମୟ ମଧ୍ୟରେ ମାଲେସିଆକୁ ମଧ୍ୟ ପେନାଲଟି କର୍ଣ୍ଣର ମିଳିଥିଲେ ସୁଦ୍ଧା ଭାରତୀୟ ରକ୍ଷଣଭାଗ ଖେଳାଳିଙ୍କ ତତ୍ପରତା ଯୋଗୁଁ ଗୋଲ ସମ୍ଭବ ହୋଇନଥିଲା। ଫଳରେ ପ୍ରଥମ କ୍ୱାର୍ଟର ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା। ଦ୍ୱିତୀୟ କ୍ୱାର୍ଟରରେ ଭାରତୀୟ ଦଳ ଆକ୍ରମଣାତ୍ମକ ଆଭିମୁଖ୍ୟ ବଜାୟ ରଖି ମାଲେସିଆ ଗୋଲ ଏରିଆ ଉପରେ ନିୟମିତ ଚାପ ସୃଷ୍ଟି କରିଥିଲା। ଏହି କ୍ୱାର୍ଟରର ୧୭ ମିନିଟରେ ଭାରତକୁ ଆଉ ଏକ ପେନାଲଟି କର୍ଣ୍ଣର ମିଳିଥିଲା। ଗୁରଜିତ କୌଣସି ତ୍ରୁଟି ନ ଦର୍ଶାଇ ଏହାକୁ ଗୋଲରେ ପରିବର୍ତ୍ତନ କରିବା ଫଳରେ ଭାରତ ୧-୦ରେ ଆଗୁଆ ରହିଥିଲା। ଏହି କ୍ୱାର୍ଟରରେ ଭାରତକୁ ଏକାଧିକ ପେନାଲଟି କର୍ଣ୍ଣର ମିଳିଥିଲେ ସୁଦ୍ଧା ମାଲେସିଆ ଗୋଲରକ୍ଷକଙ୍କ ତତ୍ପରତା ଯୋଗୁଁ ଭାରତର ଗୋଲସଂଖ୍ୟା ବୃଦ୍ଧି ପାଇପାରିନଥିଲା। ଫଳରେ ମଧ୍ୟାନ୍ତର ସୁଦ୍ଧା ସ୍କୋରଲାଇନ ଭାରତ ସପକ୍ଷରେ ୧-୦ ରହିଥିଲା।
ମଧ୍ୟାନ୍ତର ପରେ ଅର୍ଥାତ ତୃତୀୟ କ୍ୱାର୍ଟର ପ୍ରାରମ୍ଭରୁ ଭାରତ ପୁଣି ଆକ୍ରମଣ ଜାରି ରଖିଥିଲା। ୩୩ ମିନିଟରେ ମାଲେସିଆ ରକ୍ଷଣଭାଗ ସମ୍ମୁଖରେ ସୃଷ୍ଟି ହୋଇଥିବା ମେଳିରୁ ସୁଯୋଗ ପାଇ ବନ୍ଦନା କଟାରିଆ ଦଳ ପକ୍ଷରୁ ଦ୍ୱିତୀୟ ଗୋଲ ସ୍କୋର କରିବା ସହ ଭାରତକୁ ୨-୦ରେ ଆଗୁଆ କରିଥିଲେ। ୩୬ ମିନିଟରେ ଭାରତୀୟ ଡିଫେଣ୍ଡର ଦୀପଗ୍ରେସ ଏକ୍କା ମାଲେସିଆ ଫରୱାର୍ଡକୁ ଉଦ୍ଦେଶ୍ୟମୂଳକଭାବେ ବାଧା ଦେବାରୁ ଅମ୍ପାୟାର ମାଲେସିଆ ସପକ୍ଷରେ ପେନାଲଟି ଷ୍ଟ୍ରୋକ ନିର୍ଦେଶ ଦେଇଥିଲେ। ନୁରାନି ରସିଦ ଏହାକୁ ଗୋଲରେ ପରିବର୍ତ୍ତନ କରି ଭାରତର ଗୋଲ ବ୍ୟବଧାନ ୨-୧କୁ ହ୍ରାସ କରିଥିଲେ। ଏହି କ୍ୱାର୍ଟରରେ ଭାରତକୁ କ୍ରମାଗତ ୩ଟି ପେନାଲଟି କର୍ଣ୍ଣର ମିଳିଥିଲେ ହେଁ ଭାରତ ଗୋଟିଏକୁ ମଧ୍ୟ କାର୍ଯ୍ୟକାରୀ କରିପାରିନଥିଲେ। ୪୦ ମିନିଟରେ ଅଧିନାୟିକା ସୁନିତା ଲାକ୍ରାଙ୍କଠାରୁ ପାଇଥିବା ଏକ ଲମ୍ବା ପାସ୍ରୁ ଫରୱାର୍ଡ ଲାଲରେମ୍ସିଆମି ଗୋଲ ସ୍କୋର କରିବା ଫଳରେ ଭାରତ ୩-୧ରେ ଆଗୁଆ ରହିଥିଲା। ଚତୁର୍ଥ ତଥା ଅନ୍ତିମ କ୍ୱାର୍ଟରରେ ମାଲେସିଆ ଦଳକୁ ଅଧିକ ଆକ୍ରମଣାତ୍ମକ ମୁଦ୍ରାରେ ଦେଖିବାକୁ ମିଳିଥିଲା। ୪୮ ମିନିଟରେ ଭାରତୀୟ ରକ୍ଷଣଭାଗ ଖେଳାଳି ଅସାବଧାନତାର ସୁଯୋଗ ନେଇ ହାନିସ ଓନ୍ ମାଲେସିଆ ପକ୍ଷରୁ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ ସୁଦ୍ଧା ଭାରତ ୩-୨ ଗୋଲରେ ବିଜୟୀ ହୋଇ ଅଦ୍ୟାବଧି ଅପରାଜେୟ ରହିପାରିଛି।