www.samajalive.in
Monday, December 15, 2025
15.1 C
Bhubaneswar

ଅନ୍ତର୍ଜାତୀୟ କ୍ରୀଡ଼ା ମାନଚିତ୍ରରେ ସୁନ୍ଦରଗଡ଼ ଜିଲ୍ଲା ସ୍ୱତନ୍ତ୍ର ସ୍ଥାନ ପାଇଛି

ରାଉରକେଲା: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ଏବଂ ମହିଳା ହକି ଦଳରେ ଭାଗ ନେଇଥିବା ସୁନ୍ଦରଗଡ଼ ଜିଲ୍ଲାର ୪ ଜଣ ହକି ତାରକାଙ୍କୁ ରାଉରକେଲାରେ ଭବ୍ୟ ସ୍ୱାଗତ, ସମ୍ବର୍ଦ୍ଧନା ଦିଆଯାଇଛି। ରାଉରକେଲା ମହାନଗର ନିଗମ ଏବଂ ସ୍ମାର୍ଟ ସିଟି ପକ୍ଷରୁ ସ୍ଥାନୀୟ ସିଭିକ୍ ସେଣ୍ଟରଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅଲିମ୍ପିଆନ୍ ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ଦୀପଗ୍ରେସ୍ ଏକ୍କା ଏବଂ ନମିତା ଟପ୍ପୋଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

ଶନିବାର ପୂର୍ବାହ୍ନ ୧୧ଟା ବେଳେ ୪ ଜଣ ହକି ତାରକା ସିଭିକ୍ ସେଣ୍ଟରଠାରେ ପହଞ୍ଚିବା ପରେ ସେମାନଙ୍କୁ ପୋଲିସ୍ ବାହିନୀ ପକ୍ଷରୁ ବ୍ୟାଣ୍ଡ ବଜାଇ ସ୍ୱାଗତ କରାଯାଇଥିଲା। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡା, ଓଡ଼ିଶା ହକି ପ୍ରମୋସନ କାଉନସିଲର ଅଧ୍ୟକ୍ଷ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ପୂର୍ବତନ ଅଲିମ୍ପିୟାନ ଲାଜରୁସ ବାର୍ଲା ଏବଂ ରାଉରକେଲା ଏସ୍ପି ମୁକେଶ ଭାମୁଙ୍କ ସହିତ ଯୁବ ଗୋଷ୍ଠୀ, କ୍ରୀଡ଼ା ପ୍ରେମୀ ଏବଂ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ରହି ହକି ହିରୋମାନଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ।

- Advertisement -

“ସୁନ୍ଦରଗଡ଼ ଜିଲ୍ଲାର ଏହି ୪ ଜଣ ହକି ଅଲିମ୍ପିଆନ୍ ଆମ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଟୋକିଓ ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରି ସେମାନେ ସମସ୍ତଙ୍କ ହୃଦୟ ଜିତିଛନ୍ତି। ଆଗାମୀ ଦିନରେ ଯେଉଁ ପିଲାମାନେ ହକି ଖେଳିବାକୁ ପ୍ରସ୍ତୁତ ହେଉଛନ୍ତି ସେମାନଙ୍କ ପାଇଁ ଏହି ୪ ଜଣ ତାରକା ପ୍ରେରଣା ପାଲଟିଛନ୍ତି”, କହିଛନ୍ତି ବିଧାୟକ ସାରଦା ପ୍ରସାଦ ନାୟକ।

“ଖେଳାଳିମାନଙ୍କର ହକି ପ୍ରତି ଉତ୍ସର୍ଗୀକୃତ ମନୋଭାବ ଯୋଗୁଁ ଅନ୍ତର୍ଜାତୀୟ କ୍ରୀଡ଼ା ମାନଚିତ୍ରରେ ସୁନ୍ଦରଗଡ଼ ଜିଲ୍ଲା ସ୍ୱତନ୍ତ୍ର ସ୍ଥାନ ପାଇଛି। ହକି ଖେଳରେ ଆମକୁ ବିଶେଷ ସଫଳତା ମିଳିଛି। ଟୋକିଓ ଅଲମ୍ପିକ୍ସରେ ଭଲ ପ୍ରଦର୍ଶନ କରି ଏହି ୪ ଜଣ ତାରକା ଆଗାମୀ ପିିଢ଼ିର ଖେଳାଳିମାନଙ୍କ ମନରେ ଉତ୍ସାହ ଭରିଛନ୍ତି”, ସମ୍ବର୍ନ୍ଧନା ଉତ୍ସବରେ କହିଛନ୍ତି କମିଶନର ଦିବ୍ୟଜ୍ୟୋତି ପରିଡ଼ା।

ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେଇ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ କହିଥିଲେ ଯେ, ହକିର ବିକାଶ ପାଇଁ ରାଜ୍ୟ ସରକାର ଅନେକ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି। ୨୦୨୩ରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍ ଭୁବନେଶ୍ୱର ସହିତ ରାଉରକେଲାଠାରେ ଆୟୋଜନ ହେବାକୁ ଯାଉଛି। ଏଥିପାଇଁ ରାଉରକେଲାର ବିପିୟୁଟି କ୍ୟାମ୍ପସରେ ଅନ୍ତର୍ଜାତୀୟ ସ୍ତରର ହକି ଷ୍ଟାଡିୟମ ନିର୍ମାଣ କରାଯାଉଛି। ଏହା ସହିତ ତୃଣମୂଳ ସ୍ତରରୁ ପିଲାମାନଙ୍କୁ ହକି ଖେଳ ଲାଗି ପ୍ରସ୍ତୁତ କରିବା ପାଇଁ ଜିଲ୍ଲାର ସମସ୍ତ ୧୭ଟି ବ୍ଲକରେ ଅନ୍ତର୍ଜାତୀୟ ମାନର ଆଷ୍ଟ୍ରୋ ଟର୍ଫ ଷ୍ଟାଡିୟମ କରାଯାଉଛି।

ସ୍ମାର୍ଟ ସିଟି ରାଉରକେଲାରେ ଏଭଳି ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯାଇଥିବାରୁ ୪ ଜଣ ହକି ତାରକା ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ। ଆଗାମୀ ଦିନରେ ଲୋକମାନଙ୍କ ଭଲପାଇବାକୁ ଆଧାର କରି ଆହୁରି ଭଲ ପ୍ରଦର୍ଶନ କରିବାକୁ ଉଦ୍ୟମ କରିବେ ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମରେ ୪ ଅଲିମ୍ପିଆନଙ୍କ କୋଚ୍ ରାଜୁ ସାଇନି, ବିଜୟ କୁମାର ଲାକ୍ରା, ପ୍ରଦୀପ କୁମାର ଷଡ଼ଙ୍ଗୀ, ସିଲଭେଷ୍ଟର ଟପ୍ପୋଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଅନ୍ତର୍ଜାତୀୟ ସ୍ତରର ଖେଳାଳି ଷ୍ଟାନଲି ଭିକ୍ଟର ମିଞ୍ଜ, ସିଲାନନ୍ଦ ଲାକ୍ରା, ନିଲମ ସଞ୍ଜୀବ ଖେସ୍, ପଙ୍କଜ କୁମାର ରଜକ, ଜେରମ ଲାକ୍ରା, ରଶ୍ମିତା ମିଞ୍ଜଙ୍କ ସହିତ ରାଉରକେଲାସ୍ଥିତ ବିଭିନ୍ନ କ୍ରୀଡ଼ା ଛାତ୍ରାବାସର କୋଚମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସୁନ୍ଦରଗଡ଼ ଜିଲ୍ଲା ହେଉଛି ଭାରତୀୟ ହକିର ଅନ୍ତୁଡ଼ିଶାଳ। ଏହି ଜିଲ୍ଲାରୁ ଅନେକ ପ୍ରତିଭାବାନ ଖେଳାଳି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି। ତେଣୁ ଏହି କ୍ରୀଡ଼ାର ବିକାଶ ପାଇଁ ଭାରତୀୟ ହକି ଟିମକୁ ଓଡ଼ିଶା ପ୍ରୋତ୍ସାହନ ଦେଇ ଏକ ନୂଆ ପରିଚୟ ପାଇଛି। ଏହି କ୍ରମରେ ସ୍ମାର୍ଟ ସିଟି ରାଉରକେଲାକୁ ଅନ୍ତର୍ଜାତୀୟ କ୍ରୀଡ଼ା ମାନଚିତ୍ରରେ ସ୍ୱତନ୍ତ୍ର ପରିଚୟ ଦେବା ଲାଗି ବିଭିନ୍ନ ପଦକ୍ଷେପ ନିଆଯାଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories