ଜାତୀୟ ୫-ଏ-ସାଇଡ୍ ହକି; ଓଡ଼ିଶା ମହିଳା ଓ ପୁରୁଷ ଦଳ ସେମିରେ

କଟକ: ଉତ୍ତର ପ୍ରଦେଶର କାନପୁରରେ ଚାଲିଥିବା ୪ର୍ଥ ହକି ଇଣ୍ଡିଆ ସିନିୟର ଜାତୀୟ ୫-ଏ-ସାଇଡ୍‌ ହକି ଚମ୍ପିଆନ୍‌ସିପ୍‌ରେ ଓଡ଼ିଶାର ଉଭୟ ମହିଳା ଓ ପୁରୁଷ ଦଳ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ବୁଧବାର ଖେଳା ଯାଇଥିବା କ୍ବାର୍ଟରଫାଇନାଲ ମ୍ୟାଚ୍‌ରେ ଓଡ଼ିଶା ମହିଳା ଦଳ ପେନାଲ୍‌ଟି ସୁଟ୍‌ଆଉଟରେ ୩-୨ ଗୋଲ୍‌ରେ ମହାରାଷ୍ଟ୍ରକୁ ପରାସ୍ତ କରିଛି। ପରେ ଓଡ଼ିଶା ପୁରୁଷ ଦଳ ୩-୨ ଗୋଲ୍‌​‌େ​‌ର ହରିୟାଣାକୁ ପରାସ୍ତ କରିଛି।
ବୁଧବାର ମହିଳା କ୍ବାର୍ଟରଫାଇନାଲରେ ଓଡ଼ିଶା ଓ ମହାରାଷ୍ଟ୍ର ମଧ୍ୟରେ ମୁକାବିଲା ସଂଘର୍ଷପୂର୍ଣ୍ଣ ରହିଥିଲା। ମ୍ୟାଚ୍ ଶେଷ ପର୍ଯ୍ୟନ୍ତ ସ୍କୋର୍ ୧-୧ ରହିଥିଲା। ମହାରାଷ୍ଟ୍ର ପାଇଁ ପ୍ରୀତି ଦୁବେ ୫ମ ମିନିଟରେ ଏକ ଫିଲ୍‌ଡ ଗୋଲ୍‌ଦେଇ ଦଳକୁ ଆଗୁଆ କରିଥିଲେ। ପରେ ଓଡ଼ିଶାର ପ୍ରେମିତା ବାରା ୧୪ ମିନିଟରେ ଗୋଲ୍ ସୁଝାଇ ଦେଇଥିଲେ। ପରେ ପେନାଲ୍‌ଟି ସୁଟ୍‌ଆଉଟ ହୋଇଥିଲା। ଏଥିରେ ଉଭୟ ଦଳ ୪ଟି ଲେଖାଏଁ ପ୍ରୟାସ କରିବା ପରେ ସ୍କୋର୍ ୨-୨ ରହିଥିଲା। ମହାରାଷ୍ଟ୍ର ପାଇଁ ପ୍ରୀତି ଦୁବେ ୫ମ ପ୍ରୟାସରେ ଗୋଲ୍‌ଦେବାରେ ବିଫଳ ହୋଇଥିଲେ। ଓଡ଼ିଶା ପାଇଁ ଜାହ୍ନବୀ ପ୍ରଧାନ ଅନ୍ତିମ ପ୍ରୟାସରୁ ଗୋଲ୍‌ଦେଇ ଓଡ଼ିଶାକୁ ବିଜୟୀ କରିଥିଲେ। ୨୭ରେ ଉଭୟ ସେମିଫାଇନାଲ ଓଡ଼ିଶା ଓ ହରିୟାଣା ମଧ୍ୟରେ ଏବଂ ଝାଡ଼ଖଣ୍ଡ ଓ ଉତ୍ତର ପ୍ରଦେଶ ମଧ୍ୟରେ ଖେଳାଯିବ। ସେହିଦିନ ସନ୍ଧ୍ୟାରେ ୩ୟ ସ୍ଥାନ ପାଇଁ ଏବଂ ଫାଇନାଲ ମ୍ୟାଚ୍ ଖେଳାଯିବ।
ମହିଳାଙ୍କ ପଦାଙ୍କ ଅନୁସରଣ କରି ଓଡ଼ିଶାର ପୁରୁଷ ହକି ଦଳ ମଧ୍ୟ ସେମିଫାଇନାଲରେ ପ୍ରବେଶ କରିଛି। ବୁଧବାର କ୍ବାର୍ଟରଫାଇନାଲରେ ଓଡ଼ିଶା ପୁରୁଷ ଦଳ ୩-୨ ଗୋଲ୍‌ରେ ହରିୟାଣାକୁ ପରାସ୍ତ କରିଛି। ଉଭୟ ଦଳ ଏକଦା ୨-୨ ଗୋଲ୍‌ ସ୍ଥିତିରେ ଥିବା ବେଳେ ଓଡ଼ିଶା ବିଜୟସୂଚକ ୩ୟ ଗୋଲ୍‌ ସ୍କୋର୍ କରିଥିଲା। ଓଡ଼ିଶା ପାଇଁ ସିରିଲ୍‌ ଲୁଗୁନ୍ ୨ୟ ମିନିଟରେ ଗୋଲ୍‌ଦେଇ ଦଳକୁ ଆଗୁଆ କରିଥିଲେ। ତେବେ ୪ର୍ଥ ମିନିଟରେ ହରିୟାଣାର ମନପ୍ରୀତ ଗୋଲ୍‌ ସୁଝାଇ ଦେଇଥିଲେ। ୭ମ ମିନିଟ୍‌ରେ ଗୋଲ୍‌ଦେଇ ମନୋଜ କିଣ୍ଡୋ ଓଡ଼ିଶାକୁ ୨ୟ ଥର ଆଗୁଆ କରିଥିବା ବେ​‌େ​‌ଳ ୮ମ ମିନିଟରେ ହରିୟାଣାର ଜଗୱନ୍ତ୍ ସିଂହ ଏହାକୁ ମଧ୍ୟ ସୁଝାଇ ଦେଇଥିଲେ। ୧୬ ମିନିଟରେ ଓଡ଼ିଶାର ମନୋଜ କିଣ୍ଡୋ ୩ୟ ତଥା ବିଜୟୀ ଗୋଲ୍‌ ସ୍କୋର୍ କରିଥିଲେ। ୨୭ରେ କର୍ଣ୍ଣାଟକ ବିପକ୍ଷରେ ଓଡ଼ିଶା ସେମିଫାଇନାଲ ମ୍ୟାଚ୍ ଖେଳିବ। ଅନ୍ୟ ସେମିଫାଇନାଲରେ ପଞ୍ଜାବ-ଉତ୍ତର ପ୍ରଦେଶ ମୁକାବିଲା ହେବ। ସେହିଦିନ ସନ୍ଧ୍ୟାରେ ୩ୟ ସ୍ଥାନ ପାଇଁ ଏବଂ ଫାଇନାଲ ମ୍ୟାଚ୍ ଖେଳାଯିବ।

Comments are closed.