୬୦୦ ଫୁଟକୁ ଖସିଲା ହୀରାକୁଦ ଜଳସ୍ତର

ମୌସୁମୀ ବିଳମ୍ବିତ ହେଲେ ବଢ଼ିବ ସମସ୍ୟା

ଝାରସୁଗୁଡ଼ା : ଆଷାଢ଼ ୧୫ ଦିନ ଗଲାଣି। ଆଉ ଦିନକ ପରେ ଆୟୋଜିତ ହେବ ରଥଯାତ୍ରା। ହେଲେ ବର୍ଷାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ମହାନଦୀର ଉପରମୁଣ୍ଡ ଶୁଖିଲା ପଡିଛି। ଝାରସୁଗୁଡ଼ା ଜିଲାର ଲଖନପୁର ବ୍ଲକର କେତେକ ସ୍ଥାନରେ ନଦୀର ଜଳଧାର ଏକ କିମିରୁ ଊର୍ଦ୍ଧ୍ବ ଦୂରକୁ ଘୁଞ୍ଚି ଗଲାଣି। ସୁଖାସୋଡ଼ାରେ ଆଦୌ ପାଣି ନାହିଁ। ଏପରି ସ୍ଥିିତିରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ କମି ଚାଲିଛି। ଶନିବାର ଜଳସ୍ତର ୬୦୦.୯୧ ଫୁଟକୁ ଖସି ଆସିଛି। ଏହାସହ ଜଳସ୍ତର ଡେଡ୍‌ ଷ୍ଟୋରେଜ ଲେଭଲ୍‌ ବା ସ୍ଥିର ଜଳସ୍ତର ୫୯୦ ଫୁଟର ନିକଟବର୍ତ୍ତୀ ହୋଇଛି। ଗତବର୍ଷ ୧୮ ଜୁନରେ ଜଳସ୍ତର ୬୦୦ ଫୁଟ ପାଖାପାଖି (୫୯୯.୯୩ ଫୁଟ) ଥିବା ବେଳେ ଉପରମୁଣ୍ଡରେ ବୃଷ୍ଟିପାତ ଆରମ୍ଭ ହୋଇ ସାରିଥିଲା। ଉକ୍ତଦିନ ଉପରମୁଣ୍ଡରେ ୧୧.୨୫ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା। ଅନୁରୂୂପ ଭାବେ ତହିଁ ପୂର୍ବବର୍ଷ ୨୦୨୧ ଜୁନ୍ ୧୮ ତାରିଖ​‌େ​‌ର ଜଳସ୍ତର ୬୦୧.୩୧ ଫୁଟ ଥିବା ବେଳେ ବୃଷ୍ଟିପାତ ଜାରି ରହିଥିଲା। ଉକ୍ତଦିନ ଉପରମୁଣ୍ଡ​‌େ​‌ର ୨୦.୭୯ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା।
ବୃଷ୍ଟିପାତ ହେତୁ ଦିନକରେ ଜଳସ୍ତର ବୃଦ୍ଧି ପାଇ ୬୦୨.୩୭ ଫୁଟକୁ ବୃଦ୍ଧି ପାଇଥିଲା। ତେବେ ଚଳିତ ବର୍ଷ ଏବେ ସୁଦ୍ଧା ଜଳଭଣ୍ଡାରରେ ଚିନ୍ତାଜନକ ସ୍ଥିତି ଲାଗି ରହିଛି। ଅନ୍ୟପକ୍ଷରେ ଉପରମୁଣ୍ଡରେ ଛତିଶଗଡ଼ ସରକାର ମହାନଦୀ ନ୍ୟାୟାଧିକରଣର ଗସ୍ତ ସମୟରେ କଲ୍‌ମା ବ୍ୟାରେଜରୁ ୨ହଜାର କ୍ୟୁସେକରୁ ଅଧିକ ଜଳ ନିଷ୍କାସନ କରି ନ୍ୟାୟାଧିକରଣକୁ ପ୍ରଭାବିତ କରିବା ପ୍ରୟାସ କରିଥିବା ବେଳେ ଏବେ କିନ୍ତୁ କଲ୍‌ମାର ସବୁ ଫାଟକ ବନ୍ଦ ରହିଛି। ଓଡ଼ିଶାକୁ ମହାନଦୀ ପ୍ରବେଶ କରିଥିବା ସୁଖାସୋଡ଼ାରେ ମହାନଦୀ କେବଳ ଏକ ଛୋଟ କେନାଲ ହୋଇ ରହିଯାଇଛି। ସୁଖାସୋଡ଼ାରୁ ନଦୀକୂଳବର୍ତ୍ତି ନୂଆଁ ରମ୍ପେଲା ପର୍ଯ୍ୟନ୍ତ ଲଖନପୁର ବ୍ଲକ ବାସିନ୍ଦା ସ୍ନାନାଦି ନିତ୍ୟକର୍ମ ସହିତ ଚାଷବାସ ସକାଶେ ମହାନଦୀ ଜଳଭଣ୍ଡାର ଉପରେ ନିର୍ଭର କରୁଥିବା​ ବେଳେ ଏବେ ଅଞ୍ଚଳବାସୀ ଉତ୍କଟ ଜଳସମସ୍ୟାର ସମ୍ମୁଖୀନ ହେଉଛନ୍ତି। ହୀରାକୁଦ ଉପରମୁଣ୍ଡର ସମସ୍ତ ସ୍ରୋତରୁ କେବଳ ୪୮୯ କ୍ୟୁସେକ୍‌ ଜଳ ଜଳଭଣ୍ଡାରକୁ ପ୍ରବେଶ କରୁଛି। ଅନ୍ୟପକ୍ଷରେ ସେଥିରୁ ଅଧିକ ଜଳ ହାରାହାରି ୫୫୦ କ୍ୟୁସେକ ବାଷ୍ପୀଭୂତ ହୋଇ ଉଡ଼ିଯାଉଛି। ଶନିବାର ଜଳବିଦ୍ୟୁତ ଉତ୍ପାଦନ ପାଇଁ ବୁର୍ଲା ଶକ୍ତିକେନ୍ଦ୍ରରେ ୬,୧୧୦ କ୍ୟୁସେକ୍‌ ଜଳ ନିଷ୍କାସନ କରାଯାଉଥିବା ବେଳେ ହାରାହାରି ୩୭.୨୫୦ ମେଗାୱାଟ ଏବଂ ଚିିପିଲିମା ଶକ୍ତିକେନ୍ଦ୍ରରୁ ୨୯.୭୯୨ ମେଗାୱାଟ ଜଳବିଦ୍ୟୁତ ଉତ୍ପାଦନ ରେକର୍ଡ କରାଯାଇଛି।
ଜଳଭଣ୍ଡାରରେ ଜଳସ୍ତର ହ୍ରାସ ପାଉଥିବାବେଳେ ମୌସୁମର ଆଗମନ ବିଳମ୍ବିତ ହୋଇଚାଲିଛି। ଏହାଦ୍ବାରା ଆଗାମୀ ଦିନରେ ମହାନଦୀର ନିମ୍ନ ଅବବାହିକାରେ ଘୋର ଜଳାଭାବ ପରିସ୍ଥିତି ସୃଷ୍ଟି ​‌େ​‌ହବା ସହିତ ବିଦ୍ୟୁତ୍‌ ଉତ୍ପାଦନ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ବିଦ୍ୟୁତ୍‌ ଚାହିଦା ଢ଼େର୍‌ ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ ଜଳ ବିଦ୍ୟୁତ୍‌ ଉତ୍ପାଦନ ହ୍ରାସ ଘଟିଲେ ଜନଜୀବନ ଗୁରୁତର ଭାବରେ ବ୍ୟାହତ ହେବା ଆଶଙ୍କା ସୃଷ୍ଟି ହୋଇଛି।

Comments are closed.