ହିଙ୍ଗୁଳା ଯାତ୍ରାରେ ୨ ଲକ୍ଷ ଶ୍ରଦ୍ଧାଳୁ
ଲୋକ ମହୋତ୍ସବ ଉଦ୍ଘାଟିତ
ତାଳଚେର : ତାଳଚେରର ଅଧିଷ୍ଠାତ୍ରୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ଶୁକ୍ରବାର ପ୍ରସିଦ୍ଧ ଯାତ୍ରାରେ ୨ ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହୋଇଥିବା ଜଣାପଡ଼ିଛି। ମା’ଙ୍କର ଉଭାସ୍ଥଳ ଏବଂ ପୀଠସ୍ଥଳରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପ୍ରାତଃରୁ ରାତି ପର୍ଯ୍ୟନ୍ତ ଲାଗି ରହିଥିବା ଦେଖିବାକୁ ମିଳିଛି। ଚଳିତ ବର୍ଷ ମା’ ହିଙ୍ଗୁଳା ମନ୍ଦିରର ପଶ୍ଚିମ ଦିଗରେ ପ୍ରାୟ ଏକ କିଲୋମିଟର ଦୂରରେ ସ୍ଥିତ ଗୋପାଳପ୍ରସାଦ ଉଚ୍ଚ ବିଦ୍ୟାଳୟର ପାଚେରି ନିକଟସ୍ଥ ତଥା ଗଜରାଜ କ୍ରୀଡ଼ାଙ୍ଗନର ପଛ ପାର୍ଶ୍ବ ପଡିଆରେ ମା’ ଉଭା ହୋଇଥିଲେ। ଆଜିଠାରୁ ୯ ଦିନ ଧରି ମା’ ହିଙ୍ଗୁଳା ଅଗ୍ନିରୂପରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି।
କରୋନା କଟକଣା ଯୋଗୁଁ ଦୁଇ ବର୍ଷ ହେଲା ଭକ୍ତମାନେ ମା’ଙ୍କ ପ୍ରତ୍ୟକ୍ଷ ଦର୍ଶନ ପାଇ ନ ଥିଲେ। ଆଜି ମା’ଙ୍କୁ ଦର୍ଶନ କରିବା ପାଇଁ ଉଭା ସ୍ଥଳୀକୁ ବଡ଼ିଭୋରରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା। ଭକ୍ତମାନେ ମା’ଙ୍କ ପୀଠରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହିତ ଅଗ୍ନିରୂପୀ ମା’ ହିଙ୍ଗୁଳାଙ୍କୁ ବିନା ପୂଜକରେ ନଡ଼ିଆ, କଦଳୀ, ଗୁଡ଼, ଘିଅ, ଝୋଟ, ସିନ୍ଦୁର, ଚୁଡ଼ି, ଛିଟ, ପୁଷ୍ପ ଆଦି ଅର୍ପଣ କରିଥିଲେ।
ପ୍ରତ୍ୟୁଷରୁ ପାରମ୍ପରିକ ରୀତିନୀତି ଅନୁଯାୟୀ ମା’ଙ୍କ ପୀଠରେ ମଙ୍ଗଳ ଆଳତି, ବାଳ ଭୋଗ ଆଦି ନୀତି ସଂପନ୍ନ କରାଯାଇଥିଲା। ଅପରାହ୍ଣରେ ମା’ଙ୍କ ଆଲମକୁ ଏକ ଭବ୍ୟ ଶୋଭାଯାତ୍ରାରେ ଦିଅଁ ଘରୁ ବଡ ମଣ୍ଡପକୁ ଅଣାଯାଇଥିଲା। ସେଠାରେ ମା’ ହିଙ୍ଗୁଳାଙ୍କ ଚଳନ୍ତି ପ୍ରତିମା ଆଲମକୁ ମୁଖ୍ୟ ପୂଜକ ହୃଦାନନ୍ଦ ଦେହୁରୀ, କିଶୋର ଦେହୁରୀ ଓ ଟଙ୍କଧର ଦେହୁରୀ ପ୍ରମୁଖ ଶାବରୀ ମତରେ ପୂଜା କରିଥିଲେ।
ଆଜି ପ୍ରଚଣ୍ଡ ରୌଦ୍ର ତାପ ସତ୍ତ୍ବେ ମା’ଙ୍କ ଦର୍ଶନ ପାଇଁ ଉଭାସ୍ଥଳୀ ଏବଂ ପୀଠରେ ଭକ୍ତଙ୍କର ଲମ୍ବା ଧାଡି ଦେଖିବାକୁ ମିଳିଥିଲା। ସକାଳୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ମା’ଙ୍କ ଉଭା ସ୍ଥଳ ଓ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ।
ମା’ କରଡେଇ ପୀଠ ଏବଂ ଗୋପାଳପ୍ରସାଦ ସିଙ୍ଗଡା ଜୋର ପାଖରେ ଟ୍ରଷ୍ଟ ବୋର୍ଡ ପକ୍ଷରୁ ମାନସିକଧାରୀ ଭକ୍ତମାନଙ୍କ ଲାଗି ମୁଣ୍ଡନ ବ୍ୟବସ୍ଥା କରାଯାଇଥିଲା ବେଳେ ଶାଳବଣିଆ ଛକଠାରୁ ଗୋପାଳପ୍ରସାଦ ସିଙ୍ଗଡା ବ୍ରିଜ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁମାନେ ଶିଶୁମାନଙ୍କର ମୁଣ୍ଡନ କରିଥିବା ଦେଖାଯାଇଥିଲା।
ଭିଡ଼କୁ ନିୟନ୍ତ୍ରଣ ତଥା ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। ଅଂଶୁଘାତର ମୁକାବିଲା କରିବା ପାଇଁ ମା’ଙ୍କ ଉଭାସ୍ଥଳୀରେ ଜଳ ସିଞ୍ଚନ, ଅଂଶୁଘାତ ଚିକିତ୍ସା କେନ୍ଦ୍ର, ଆଶୁ ଚିକିତ୍ସା ପାଇଁ ପ୍ରାଥମିକ ଚିକିତ୍ସା କେନ୍ଦ୍ର, ବିଶ୍ରାମ ଗୃହ ଆଦି ଖୋଲା ଯାଇଥିଲା।
ତାଳଚେରର ରାଜା ରାଜେନ୍ଦ୍ରଚନ୍ଦ୍ର ଦେବ ବୀରବରହରିଚନ୍ଦନ ସନ୍ଧ୍ୟାରେ ଉଭାସ୍ଥଳକୁ ଯାଇ ମା’ଙ୍କୁ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ। ସଂଧ୍ୟାରେ ହିଙ୍ଗୁଳା ପୀଠରେ ୧୮ତମ ଲୋକ ମହୋତ୍ସବକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ କରିଥିଲେ। ଏହା ୯ ଦିନ ଧରି ଚାଲିବ।
Comments are closed.