ଭୁବନେଶ୍ଵର: ଓଡ଼ିଶାର ପ୍ରାୟ ପ୍ରତ୍ୟେକ ସରକାରୀ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ କିଛି ନା କିଛି ପାଠ୍ୟକ୍ରମ ଛାତ୍ରଛାତ୍ରୀମାନେ ଦେଉଥିବା ଅର୍ଥରେ ପରିଚାଳନା କରନ୍ତି (ସେଲ୍ଫ-ଫାଇନାନ୍ସିଙ୍ଗ୍ କୋର୍ସେସ)। ଏ ପାଠ୍ୟକ୍ରମ ପାଇଁ କୌଣସି ସରକାରୀ ଅନୁଦାନ ମିଳେ ନାହିଁ। ବରଂ ଶିକ୍ଷାନୁଷ୍ଠାନମାନେ କିଛିଟା ଅର୍ଥ ଲାଭଆକାରରେ ପାଇଥାନ୍ତି। ଏଭଳି ଦ୍ବୈତ ବ୍ୟବସ୍ଥା – କିଛି ସରକାରୀ ଓ କିଛି ବେସରକାରୀ ପାଠ୍ୟକ୍ରମ – ପ୍ରାୟ ଦୁଇ-ତିନି ଦଶନ୍ଧି ଧରି ଚାଲି ଆସିଛି। କେଉଁ ପରିସ୍ଥିତିରେ ଏହା ଆରମ୍ଭ ହେଲା, ତାହା ଏ ଆଲୋଚନାର ବିଷୟ ବସ୍ତୁ ନୁହେଁ; କିନ୍ତୁ ଏଥିରେ କୌଣସି ସନ୍ଦେହ ନାହିଁ ଯେ ଲାଭ ଆଶାରେ ଚାଲୁଥିବା ପାଠ୍ୟକ୍ରମ ଆମ ଉଚ୍ଚ ଶିକ୍ଷାର ଉତ୍କର୍ଷତାକୁ କମାଇ ଦେଉଛି। ଶୁଣାଯାଏ ଯେ ଏକଦା ସରକାରୀ ଶିକ୍ଷାନୁଷ୍ଠାନରେ କ୍ଷିପ୍ର ଗତିରେ ବୈଷୟିକ ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ବେସରକାରୀ ଶିକ୍ଷା ଉଦ୍ୟୋକ୍ତାମାନଙ୍କୁ ବିନିଯୋଗ କରାଯାଇଥିଲା। ଏହା ସମସ୍ତଙ୍କୁ ସୁହାଇଥିଲା। ସରକାରଙ୍କୁ ଅର୍ଥ ବିନିଯୋଗ କରିବାକୁ ପଡ଼ିଲା ନାହିଁ। ଉଦ୍ୟୋଗୀମାନେ ମାଗଣାରେ ଜାଗା ଓ ଅନ୍ୟାନ୍ୟ ସୁବିଧା ପାଇଲେ। ପ୍ରତିଷ୍ଠିତ ଅନୁଷ୍ଠାନର ନାଁ (ବ୍ରାଣ୍ଡ୍ ନେମ୍) ବ୍ୟବହାର କଲେ। ସରକାରୀ ଅନୁଷ୍ଠାନ ଭିତରେ ଘରୋଇ ସଂସ୍ଥା ଚାଲିଲା। ବୈଷୟିକ ଶିକ୍ଷାରେ ଶିକ୍ଷକର ଆହେତୁକ ଅଭାବ ସତ୍ତ୍ବେ ନିମ୍ନମାନର ଶିକ୍ଷା ଦେଇ ଚାଲିଲେ। ଛାତ୍ରଛାତ୍ରୀମାନେ ପାଠ ଶେଷରେ ଗୋଟିଏ ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟରୁ ଡିଗ୍ରୀ ପାଇ ଖୁସି ହେଲେ। ଅବଶ୍ୟ ସେମାନେ ଜାଣି ନଥିବେ ଯେ ସେମାନଙ୍କ ପାଠ୍ୟକ୍ରମ ସର୍ବ ଭାରତୀୟ ବୈଷୟିକ ପରିଷଦ (ଅଲ ଇଣ୍ଡିଆ କାଉନ୍ସିଲ ଅଫ ଟେକ୍ନିକାଲ ଏଜୁକେସନ) ଦ୍ୱାରା ଅନୁମୋଦିତ ନୁହେଁ। ଘରୋଇ ସଂସ୍ଥାମାନେ ପ୍ରଚୁର ଆର୍ଥିକ ଲାଭ କଲେ। ସେଥିରୁ କିଛି ଅଂଶ ଶିକ୍ଷାନୁଷ୍ଠାନକୁ ମିଳିଲା –ଡିଗ୍ରୀ କାଗଜ ଖଣ୍ଡେ ଦେଇ ଦାୟିତ୍ବ ସାରିଦେଲେ ଓ ଏହା ବଦଳରେ ଅର୍ଥ ଉପାର୍ଜନ କଲେ। ସମସ୍ତେ ଏ ବ୍ୟବସ୍ଥାରେ ଖୁସି; କିନ୍ତୁ ଏହା ଦ୍ବାରା ସରକାରୀ ଶିକ୍ଷାନୁଷ୍ଠାନରେ ଉତ୍କର୍ଷତାର ମାତ୍ରା କେତେ କମିଲା, ସେ କଥା କେହି ଭାବିଲେ ନାହିଁ। ପରବର୍ତ୍ତୀ ସମୟରେ (ୟୁଜିସି) କୌଣସି ପାଠ୍ୟକ୍ରମ ବାହାର ସଂସ୍ଥାକୁ ନଦେବା ପାଇଁ (ଆଉଟ୍ ସୋର୍ସିଙ୍ଗ୍) ନିେର୍ଦଶ ଦେଲେ। କିଛି ବିଶ୍ବବିଦ୍ୟାଳୟ ଏହା ପାଳନ କରିବା ବାହାନାରେ ସ୍ବ-ଅର୍ଥ ପାଠ୍ୟକ୍ରମକୁ ନିଜେ ଚଳାଇ ରଖିଲେ; କିନ୍ତୁ ଶିକ୍ଷା ଘରୋଇକରଣ ସଂସ୍କୃତିରେ ପରିବର୍ତ୍ତନ ହେଲା ନାହିଁ।
ଅନେକ ପ୍ରଶ୍ନ କରନ୍ତି, ଯଦି ଏଭଳି ଦ୍ବୈତ ବ୍ୟବସ୍ଥାରେ ସମସ୍ତେ ଖୁସି ଅଛନ୍ତି, ଅସୁବିଧା କେଉଁଠି? ପ୍ରଥମେ, ଛାତ୍ରଛାତ୍ରୀଙ୍କ କଥା ବିଚାରକୁ ନିଆଯାଉ। ନିଜର ଦକ୍ଷତା ବିକାଶ ପାଇଁ ସେମାନେ ବିଭିନ୍ନ ବୈଷୟିକ ପାଠ୍ୟକ୍ରମରେ ନାମ ଲେଖାନ୍ତି। ସରକାରୀ ଶିକ୍ଷାନୁଷ୍ଠାନରୁ ଉପାଧି ପାଇବାର ସ୍ୱପ୍ନ ଥାଏ; କିନ୍ତୁ ସେମାନଙ୍କୁ ଜଣା ନଥାଏଯେ, ଅନେକ ସ୍ବ-ଅର୍ଥ ପାଠ୍ୟକ୍ରମରେ ଶିକ୍ଷାଦାନର ଭିତ୍ତିଭୂମି ନଥାଏ କିମ୍ବା ଯୋଗ୍ୟ ଅଧ୍ୟାପକ ନଥାନ୍ତି। କୌଣସି ପାଠ୍ୟକ୍ରମରେ ଯଥେଷ୍ଟ ପିଲା ନାମ ନଲେଖାଇଲେ ପାଠ୍ୟକ୍ରମ ବନ୍ଦ ହେବାର ବି ସମ୍ଭାବନା ଥାଏ। ଯେହେତୁ ଏ ପାଠ୍ୟକ୍ରମ ଅସ୍ଥାୟୀ, ଅଧ୍ୟାପକ ଓ କର୍ମଚାରୀ ମଧ୍ୟ ଅସ୍ଥାୟୀ। କାମଚଳା ଭାବରେ ଶିକ୍ଷାଦାନ ଚାଲେ। ଯେଉଁଠି ବାହାର ସଂସ୍ଥା ପାଠ୍ୟକ୍ରମ ପରିଚାଳନା କରନ୍ତି, ପାଠ ଖସଡା (ସିଲାବସ୍) କିମ୍ବା ପରୀକ୍ଷା ପଦ୍ଧତି ଉପରେ ଶିକ୍ଷାନୁଷ୍ଠାନର କୌଣସି ନିୟନ୍ତ୍ରଣ ନଥାଏ। ଯୋଗ୍ୟତା ନଥିଲେ ବି ଅଳ୍ପ ଦରମା ଦେଇ ଅଧ୍ୟାପକ ନିଯୁକ୍ତି କରନ୍ତି। ଏ ଲେଖକ ନିଜେ ଦେଖିଥିବା ଗୋଟିଏ ଉଦାହରଣ, ସ୍ନାତକ ଉପାଧି ଥିବା ଅଧ୍ୟାପକ ସ୍ନାତକୋତ୍ତର ଶ୍ରେଣୀରେ ପଢାଉଥିଲେ। ଶିକ୍ଷା ଶେଷରେ ଛାତ୍ରଛାତ୍ରୀମାନଙ୍କର କେତେ ବୈଷୟିକ ଦକ୍ଷତା ବଢେ ଜାଣିବା କଷ୍ଟ। ସେମାନେ ପାଉଥିବା ଉପାଧିକୁ ନିଜ ବିଶ୍ବବିଦ୍ୟାଳୟ ବାହାରେ କେତେ ସ୍ୱୀକୃତି ମିଳେ ତାହା ଜଣାନାହିଁ; କିନ୍ତୁ ନିଜ ଶିକ୍ଷାନୁଷ୍ଠାନରେ ଦ୍ବିତୀୟ ଶ୍ରେଣୀର ନାଗରିକ ପରି ବ୍ୟବହାର କରାଯାଏ। ସେମାନଙ୍କ ପରିଚୟ ପତ୍ର ଅନ୍ୟ ସାଧାରଣ ଛାତ୍ରଛାତ୍ରୀମାନଙ୍କଠାରୁ ଅଲଗା। ଅନେକ ଶିକ୍ଷାନୁଷ୍ଠାନରେ ସେମାନଙ୍କୁ ସାଧାରଣ ସୁବିଧା – ଯେପରିକି ଛାତ୍ରାବାସ, ପାଠାଗାର, ଇତ୍ୟାଦି – ମିଳେ ନାହିଁ। ପ୍ରାୟତଃ ଛାତ୍ର ସଂସଦ ନିର୍ବାଚନରେ ମତଦାନ କିମ୍ବା ପ୍ରାର୍ଥୀ ହେବାର ଅଧିକାର ନଥାଏ। ସାଧାରଣ ପାଠ୍ୟକ୍ରମ ଓ ସ୍ବ-ଅର୍ଥ ପାଠ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ କିଛିଟା ମାନସିକ ଦୂରତ୍ବ ପରିଲକ୍ଷିତ ହୁଏ।
ଦ୍ବିତୀୟରେ, ସ୍ବ-ଅର୍ଥ ପାଠ୍ୟକ୍ରମର ଅଧ୍ୟାପକମାନଙ୍କ ବିଷୟ ବିଚାର କରାଯାଉ। ଅଳ୍ପ ପାରିଶ୍ରମିକ ମିଳେ – ଯୁଜିସି ଦରମା କେହି ବି ପାଆନ୍ତି ନାହିଁ। ଅସ୍ଥାୟୀ ଚାକିରି – ବର୍ଷକ ପରେ ଚାକିରି ଥିବ କି ନାହିଁ ଆକଳନ କରିବା କଷ୍ଟ। ଭଲ ପଢାଇଲେ କୌଣସି ପ୍ରୋତ୍ସାହନ ନାହିଁ କିମ୍ବା ପଦୋନ୍ନତି ବ୍ୟବସ୍ଥା ନାହିଁ। ଗବେଷଣା କରିବାର ସୁବିଧା ନାହିଁ, ଏହାର ଆବଶ୍ୟକତା ମଧ୍ୟ ନାହିଁ। କେହି ନିଜ ପ୍ରଚେଷ୍ଟାରେ ଗବେଷଣା କଲେ ବା ତାକୁ ପ୍ରକାଶ କଲେ, ସେ ଶିକ୍ଷାନୁଷ୍ଠାନଦ୍ୱାରା ପ୍ରଶଂସିତ ବି ହୁଏ ନାହିଁ। ଏହାର କାରଣ ଅସ୍ଥାୟୀ ଅଧ୍ୟାପକଙ୍କ ପ୍ରକାଶନ ନାକ୍ କିମ୍ବା ଏନଆଇଆରଏଫ ମୂଲ୍ୟାଙ୍କନରେ ଗଣାଯାଏ ନାହିଁ। ଏଭଳି ଅଧ୍ୟାପନାକୁ କେହି ନିଜର ବୃତ୍ତି ନିର୍ବାହର ପନ୍ଥା ବୋଲି ଭାବନ୍ତି ନାହିଁ। ସବୁବେଳେ ଭଲ ଚାକିରିର ସନ୍ଧାନରେ ଥାଆନ୍ତି। ବୈଷୟିକ ଶିକ୍ଷାରେ ଶିକ୍ଷକ ଅଭାବ ପରିପ୍ରେକ୍ଷୀରେ ଭଲ ଅଧ୍ୟାପକମାନେ ଅନ୍ୟ ଅନୁଷ୍ଠାନ କିମ୍ବା ଶିଳ୍ପ ସଂସ୍ଥାକୁ ଚାଲିଯାନ୍ତି। ସ୍ବ-ଅର୍ଥ ପାଠ୍ୟକ୍ରମ ଅଧ୍ୟାପକମାନଙ୍କୁ ଯୁଜିସି ଦରମା ପାଉଥିବା ଅଧ୍ୟାପକମାନଙ୍କ ଠାରୁ ଭିନ୍ନ ଦୃଷ୍ଟିରେ ଦେଖାଯାଏ। ସେମାନଙ୍କୁ ପ୍ରାୟତଃ ପ୍ରଶାସନିକ କାର୍ଯ୍ୟ ଦିଆଯାଏ ନାହିଁ। ଶିକ୍ଷାନୁଷ୍ଠାନରେ ଥିବା ବାସଗୃହ ପାଇଁ ସେମାନଙ୍କର ଅଧିକାର ନଥାଏ। ଶିକ୍ଷକ ସଂଘରେ ସଦସ୍ୟତା ମିଳେ ନାହିଁ। ଜାତିପ୍ରଥା ପରି ଆମ ଶିକ୍ଷାନୁଷ୍ଠାନରେ ଅସମାନତା ଦେଖିବାକୁ ମିଳେ।
ତୃତୀୟରେ, ଶିକ୍ଷାନୁଷ୍ଠାନ ପରିଚାଳନା କଥା ଆଲୋଚନା କରାଯାଉ। ଦ୍ବୈତ ବ୍ୟବସ୍ଥା ଅନେକ ସମୟରେ ଅନୁଷ୍ଠାନର ମୁଖ୍ୟଙ୍କ ପାଇଁ ସମସ୍ୟା ସୃଷ୍ଟି କରେ – ସେ ମହାବିଦ୍ୟାଳୟର ଅଧ୍ୟକ୍ଷ ହୁଅନ୍ତୁ ବା ବିଶ୍ବବିଦ୍ୟାଳୟର କୁଳପତି। ତାଙ୍କ ଆଗରେ ଦୁଇ ପ୍ରକାରର ଛାତ୍ରସମାଜ ଓ ଦୁଇ ପ୍ରକାରର ଅଧ୍ୟାପକ ମଣ୍ଡଳୀ। ସରକାରୀ ପାଠ୍ୟକ୍ରମରେ ଥିବା ଗୋଷ୍ଠୀ ଭାବନ୍ତି ଯେ, ସେମାନଙ୍କର ଅଧିକାର ନ୍ୟାଯ୍ୟ। ସ୍ବ-ଅର୍ଥ ପାଠ୍ୟକ୍ରମ ଗୋଷ୍ଠୀ ଭାବନ୍ତି ଯେ, ସେମାନେ ଅଧିକ ଆର୍ଥିକ ସମ୍ବଳ ଯୋଗାନ୍ତି। ତେଣୁ ସେମାନେ ଅଧିକ ସୁବିଧା ସୁଯୋଗ ପାଇବାକୁ ହକ୍ଦାର। ଅଧିକ ସମ୍ବଳ ଯୋଗାଉ ଥିବା କେତେକ ବିଷୟର ଶ୍ରେଣୀ ଗୃହ ଅତ୍ୟାଧୁନିକ ହୋଇଥାଏ। ସାଧାରଣ ବିଷୟର ଶ୍ରେଣୀ ଗୃହରେ କଳାପଟା ମଧ୍ୟ ଠିକରେ ନଥାଏ। ବୈଷୟିକ ଶିକ୍ଷାର ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାମ୍ପସ ନିଯୁକ୍ତି ବ୍ୟବସ୍ଥା କରାଯାଇଥାଏ, ଯେଉଁଥିରେ ଅନ୍ୟମାନେ ସାମିଲ ହୋଇ ପାରନ୍ତିନି। ଏସବୁ ଅନୁଷ୍ଠାନ ମୁଖ୍ୟଙ୍କୁ ଧର୍ମ ସଙ୍କଟରେ ପକାଏ। ଯଦି ବାହାରର ଉଦ୍ୟୋଗୀଙ୍କୁ ପାଠ୍ୟକ୍ରମ ଚଲାଇବାକୁ ଦିଆଯାଇଥାଏ, ସେ ତାଙ୍କର ଦବ୍ଦବା ଜାହିର କରନ୍ତି। ପରିଚାଳନାର ଅଙ୍କୁଶ ନିଜ ହାତକୁ ନେଇଯାଇ ଅଧ୍ୟକ୍ଷଙ୍କ କ୍ଷମତାକୁ ଗୌଣ କରି ଦିଅନ୍ତି। ଯେହେତୁ ସେ ସଂସ୍ଥାର ଆର୍ଥିକ ସାହାଯ୍ୟରେ ଶିକ୍ଷାନୁଷ୍ଠାନର ଛୋଟ ମୋଟ ଖର୍ଚ୍ଚ ଚାଲେ, ଅଧ୍ୟକ୍ଷ ତାଙ୍କୁ ବିରୋଧ କରି ପାରନ୍ତି ନାହିଁ। ଅନେକ ସମୟରେ ଦେଖାଯାଏ ଯେ, ବାହାର ସଂସ୍ଥା ଛାତ୍ରଛାତ୍ରୀ ବାଛନ୍ତି, ଅଧ୍ୟାପକ ମନୋନୟନ କରନ୍ତି, ପାଠ୍ୟ ଖସଡା ତିଆରି କରନ୍ତି, ପରୀକ୍ଷା କରନ୍ତି ଓ ଫଳ ବି ପ୍ରକାଶ କରନ୍ତି। ଅଧ୍ୟକ୍ଷ କେବଳ ନିଜର ରବର ଷ୍ଟାମ୍ପ ମାରି ପ୍ରମାଣ ପତ୍ର ଦିଅନ୍ତି।
ସ୍ବ-ଅର୍ଥରେ ପରିଚାଳିତ ପାଠ୍ୟକ୍ରମକୁ ବନ୍ଦ କରିବାକୁ ପରାମର୍ଶ ଦେବା ଏ ଆଲୋଚନାର ଉଦ୍ଦେଶ୍ୟ ନୁହେଁ। ବରଂ ବୈମାତୃକ ଭାବ ବନ୍ଦ କରି ଏହାର ସରକାରୀ-କରଣ କରିବାର ଆବଶ୍ୟକତା ଅଛି। କୌଣସି ଐତିହାସିକ କାରଣରୁ ସରକାରୀ ଶିକ୍ଷାନୁଷ୍ଠାନରେ ବୈଷୟିକ ପାଠ୍ୟକ୍ରମ ଘରୋଇ ପ୍ରଣାଳୀରେ ଆରମ୍ଭ ହୋଇଥିଲା। ଏହାର ବ୍ୟାବହାରିକ ଉପଯୋଗିତା ଆଉ ନାହିଁ। ବର୍ତ୍ତମାନ ସମୟ ଆସିଛି, ଉଚ୍ଚଶିକ୍ଷା ବିଭାଗ ସେଗୁଡିକୁ ନିଜ ଅଧୀନକୁ ନେବା ଉଚିତ। ବୈଷୟିକ ଶିକ୍ଷା ପାଇଁ ଏବେ ପରି ଅଧିକ ଫି ଆଦାୟ କରାଯାଇ ପାରେ। ଏହି ଅର୍ଥ ବିନିଯୋଗ କରି ପାଠ୍ୟକ୍ରମର ମାନ ବୃଦ୍ଧି କରାଯାଇ ପାରିବ, ଯେପରି କି, ସ୍ୱଚ୍ଛ ଉପାୟରେ ଛାତ୍ରଛାତ୍ରୀ ବାଛିବା, ଯୁଜିସି ନିୟମ ଅନୁସାରେ ଯୋଗ୍ୟ ଅଧ୍ୟାପକ ମନୋନୟନ କରିବା, ଶିକ୍ଷା ଖସଡା ଓ ପରୀକ୍ଷା ସରକାରୀ ନୀତି ଅନୁସାରେ କରିବା ଏବଂ ପ୍ରକୃତ ଦକ୍ଷତା ବିକାଶରେ ସହାୟକ ହେବା। ଏହା ଦ୍ୱାରା ନୂତନ ଶିକ୍ଷା ନୀତିରେ ଆବଶ୍ୟକ ଥିବା ବହୁବିଧ ପାଠ୍ୟକ୍ରମ ସୁଚାରୁ ରୂପେ ଆରମ୍ଭ ହୋଇ ପାରିବ।
ଉଚ୍ଚଶିକ୍ଷାର ଦୁର୍ବଳ ଅଙ୍ଗ : ସ୍ଵାବଲମ୍ବୀ ପାଠ୍ୟକ୍ରମ
Popular Categories



