ଭୁବନେଶ୍ବର : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଶନିବାର ସକାଳେ ପୂର୍ବ କେନ୍ଦ୍ରୀୟ ତତ୍ ସଂଲଗ୍ନ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇ ସକ୍ରିୟ ରହିଛି। ଏହା ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ। ଏହି ଲଘୁଚାପ ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ଗତି କରି ଦୁଇରୁ ତିନିଦିନ ମଧ୍ୟରେ ଉତ୍ତର ଓଡ଼ିଶା ଦେଇ ଉତ୍ତର ଛତିଶଗଡ ଅତିକ୍ରମ କରିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କାର୍ଯ୍ୟାଳୟ ପୂର୍ବାନୁମାନ କରିଛି।
ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଦୁଇଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଢେଙ୍କାନାଳ, ଯାଜପୁର ଓ ଭଦ୍ରକ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉପରୋକ୍ତ ଜିଲାଗୁଡିକୁ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କମଳା ଚେତାବନୀ (ଅରେଞ୍ଜ ୱାର୍ଣ୍ଣିଂ) ଜାରି କରାଯାଇଛି। ଗଞ୍ଜାମ, ବାଲେଶ୍ବର, ନୟାଗଡ, ଅନୁଗୋଳ, ବୌଦ୍ଧ, ସମ୍ବଲପୁର, ସୋନପୁର, ବଲାଙ୍ଗୀର ଏବଂ ମୟୂରଭଞ୍ଜ ଜିଲାରେ ପ୍ରବଳ ବର୍ଷା ହୋଇପାରେ। ଏସବୁ ଜିଲାଗୁଡିକୁ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ହଳଦିଆ ଚେତାବନୀ (ୟେଲୋ ୱାର୍ଣ୍ଣିଂ) ଜାରି କରାଯାଇଛି। ବୃଷ୍ଟିପାତକୁ ଦୃଷ୍ଟିରେ ରଖି ସମସ୍ତ ଜିଲାପାଳ ଏବଂ ମହାନଗର ନିଗମ ଆୟୁକ୍ତ ସତର୍କ ରହିବାକୁ ସ୍ବତନ୍ତ୍ର ରିଲିଫ ଆୟୁକ୍ତ(ଏସ୍ଆରସି) ପରାମର୍ଶ ଦେଇଛନ୍ତି। ସହରାଞ୍ଚଳ ତଳିଆ ଅଞ୍ଚଳରେ ପାଣି ଜମିବା, ଭୂସ୍ଖଳନ ଏବଂ ଗ୍ରାମାଞ୍ଚଳ ତଳିଆ ଅଞ୍ଚଳ ଉପରେ ନଜର ରଖିବାକୁ କୁହାଯାଇଛି। ଜଳ ନିଷ୍କାସନ ଓ ଆବଶ୍ୟକ ପଡିଲେ ନିୟନ୍ତ୍ରଣ କକ୍ଷ ଖୋଲିବାକୁ ଏସ୍ଆରସି ନିର୍ଦେଶ ଦେଇଛନ୍ତି। ଲଘୁଚାପ ପ୍ରଭାବରେ ଓଡ଼ିଶା ଉପକୂଳ, ପଶ୍ଚିମ କେନ୍ଦ୍ରୀୟ ତତ୍ ସଂଲଗ୍ନ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଝଡ଼ ପବନ ହେବ। ଘଣ୍ଟା ପ୍ରତି ୪୫ରୁ ୫୫କିମି ବେଗରେ ପବନ ବହିବ।
୮ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ
Popular Categories



