୯ରୁ ଲଘୁଚାପ, ୧୧ରୁ ପ୍ରବଳ ବର୍ଷା
୧୩ଜିଲାକୁ ୟେଲୋୱାର୍ଣ୍ଣିଂ
ଭୁବନେଶ୍ୱର: ଓଡ଼ିଶା ଉପକୂଳ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗର ମଧ୍ୟରେ ଥିବା ଲଘୁଚାପ ଓ ଘୂର୍ଣ୍ଣିବଳୟ ପ୍ରଭାବ ଏବେ ବି ସକ୍ରିୟ ରହିଛି। ଏହାଦ୍ୱାରା ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗିରହିଛି। ଆସନ୍ତାକାଲି ସକାଳ ସୁଦ୍ଧା ଉଭୟ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। ବିଶେଷ କରି ଗଜପତି, ଗଞ୍ଜାମ, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ସମ୍ବଲପୁର ଓ ସୋନପୁର ଆଦି ରାଜ୍ୟର ୧୩ଟି ଜିଲାରେ ବର୍ଷାର ସମ୍ଭାବନା ଥିବାରୁ ଏସବୁ ଅଞ୍ଚଳ ପାଇଁ ୟେଲୋ ୱାର୍ଣ୍ଣିଂ କରାଯାଇଛି। ଏହାର ପରବର୍ତ୍ତୀ ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବ। ଏହି ସମୟରେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବରଗଡ଼, ବଲାଙ୍ଗୀର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଆଦି ୧୩ଟି ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବାରୁ ଏଠାରେ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ପରବର୍ତ୍ତୀ ତିନି ଦିନ ରାଜ୍ୟରେ କାଁ ଭାଁ ବର୍ଷାର ସମ୍ଭାବନା ଥିବାବେଳେ କୌଣସି ସତର୍କ ସୂଚନା ଦିଆଯାଇ ନାହିଁ।
ତେବେ ଆସନ୍ତା ୯ତାରିଖ ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପ ଘନୀଭୂତ ହେବା ସହିତ ଦୁଇରୁ ତିନି ଦିନ ଭିତରେ ଅବପାତରେ ପରିଣତ ହେବ। ଏହା ଉତ୍ତର ପଶ୍ଚିମରେ ଗତି କରି ଉତ୍ତର ଆନ୍ଧ୍ର ଏବଂ ଓଡ଼ିଶା ଉପକୂଳକୁ ମୁହାଁଇବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୧୧ରୁ ୧୩ ପର୍ଯ୍ୟନ୍ତ ତିନିଦିନ ଧରି ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।
Comments are closed.