ସୁବର୍ଣ୍ଣପୁରରେ ସୂର୍ଯ୍ୟଙ୍କ କୋପ ; ଦେଶର ସର୍ବୋଚ୍ଚ ଉତ୍ତାପ ୪୪.୨ ଡିଗ୍ରୀ ଛୁଇଁଲା

୧୬ ସହରରେ ୪୦ ଟପିଲା, ୧୭ ଜିଲାକୁ କାଳବୈଶାଖୀ ସତର୍କତା, ଅଂଶୁଘାତରେ ବିରଳ ରେକର୍ଡ଼

ଭୁବନେଶ୍ବର : ଉତ୍ତପ୍ତ ଧରା। ମହାବିଷୁବ ସଂକ୍ରାନ୍ତି ତଥା ହିନ୍ଦୁ ନବବର୍ଷରୁ ରାଜ୍ୟରେ ବଢିଛି ଗ୍ରୀଷ୍ମପ୍ରବାହ। ସୂର୍ଯ୍ୟଙ୍କ ଚଳନ ପରିବର୍ତ୍ତନ ଯୋଗୁଁ ପ୍ରଚଣ୍ଡ ରୌଦ୍ରତାପ ଏବେ ଅଧା ଓଡ଼ିଶାକୁ ସିଝାଉଛି। ଏହିକ୍ରମରେ ଗୁରୁବାର ଦେଶରେ ସବୁଠୁ ଉତ୍ତପ୍ତ ସହର ପାଲଟିଛି ପଶ୍ଚିମ ଓଡ଼ିଶାର ନଦୀକୂଳ ସହର ସୁବର୍ଣ୍ଣପୁର। ଏଠାରେ ସର୍ବାଧିକ ତାପମାତ୍ରା ୪୪.୨ ଡିଗ୍ରୀ ରେକର୍ଡ ହୋଇଛି। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଗତ କିଛି ଦିନ ହେଲା ଗ୍ରୀଷ୍ମ ଲହରୀ ଜନଜୀବନ ଅସ୍ତବ୍ୟସ୍ତ କରି ପକାଇଛି। ଗୁରୁବାର ଉତ୍ତର ଓଡ଼ିଶା ସମେତ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ବଢିଛି। ୧୬ ସହରରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ଗତକାଲି ଝାରସୁଗୁଡାରେ ପାରଦ ୪୪ ଡିଗ୍ରୀ ଉପରେ ଥିବାବେଳେ ଆଜି ସୁବର୍ଣ୍ଣପୁରରେ ସର୍ବାଧିକ ତାପମାତ୍ରା ୪୪.୨ ଡିଗ୍ରୀ ରେକର୍ଡ ହୋଇଛି। ଯାହାକି ଦେଶ ତଥା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ସୁବର୍ଣ୍ଣପୁର ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ୩ ଡିଗ୍ରୀ ପର୍ଯ୍ୟନ୍ତ ବଢିବାର ସମ୍ଭାବନା ରହିଛି। ଫଳସ୍ବରୂପ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲା ଗୁଡିକ ମଧ୍ୟ ଅଧିକ ତାତିବ। ବିଶେଷକରି ଏବେ ବଲାଙ୍ଗୀର, ବୌଦ୍ଧ, ଝାରସୁଗୁଡା ଓ ବାରିପଦାରେ ତାପମାତ୍ରା ଅଧିକ ରହୁଛି।
ନୟାଗଡ ଜିଲାର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡଘଡି ସହ ବର୍ଷା ପବନ ହୋଇଛି। ଜିଲାରେ ୪୦ ମିମି ବର୍ଷା ରେକର୍ଡ କରାଯାଇଛି। ଆଗାମୀ ୨୪ ଘଣ୍ଟାରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡା, କୋରାପୁଟ ଏବଂ ମାଲକାନଗିରି ଜିଲାର ଗୋଟିଏରୁ ଦୁଇଟି ଅଞ୍ଚଳରେ କାଳବୈଶାଖୀ ପ୍ରଭାବରୁ ବଜ୍ରପାତ ସହ ଝଡବର୍ଷା ସମ୍ଭାବନା ରହିଛି। ଉପରୋକ୍ତ ଜିଲାଗୁଡିକୁ ପାଣିପାଗ ବିଭାଗ ହଳଦିଆ ସତର୍କ ସୂଚନା ଜାରି କରିଛି। ନବରଙ୍ଗପୁର, କଳାହାଣ୍ଡି, ଅନୁଗୋଳ ଏବଂ କେନ୍ଦୁଝରର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। କାଳବୈଶାଖୀ ଜନିତ ବଜ୍ରପାତ ଏବଂ ଝଡ଼ବର୍ଷାକୁ ଦୃଷ୍ଟିରେ ରଖି ସତର୍କ ରହିବା ନିମନ୍ତେ ସ୍ବତନ୍ତ୍ର ରିଲିଫ ଆୟୁକ୍ତ(ଏସଆରସି) ପକ୍ଷରୁ ଜିଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି।
ଗୁରବାର ବାଲେଶ୍ବର ୪୦, ଅନୁଗୋଳ ୪୧.୭, ବାରିପଦା ୪୨.୫, ଝାରସୁଗୁଡା ୪୨.୨, ସମ୍ବଲପୁର ୪୦.୮, ସୁନ୍ଦରଗଡ ୪୧.୫, ତାଳଚେର ୪୧.୮, ଭବାନୀପାଟଣା ୪୦.୫, ବଲାଙ୍ଗୀର ୪୨.୮, ଟିଟିଲାଗଡ ୪୧.୫, ମାଲକାନଗିରି ୪୦, ନୟାଗଡ ୪୦.୫, ବୌଦ୍ଧ ୪୨, ଛାତ୍ରପୁର ୪୦, ପାରଳାଖେମୁଣ୍ଡି ୪୧, ଭୁବନେଶ୍ବର ୩୭.୭ ଏବଂ କଟକରେ ୩୮.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ପାଣିପାଗ କେନ୍ଦ୍ରର ଆକଳନ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ; କିନ୍ତୁ କେତେକ ସ୍ଥାନରେ ପାରଦ ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିପାରେ। ଗ୍ରୀଷ୍ମ ପ୍ରବାହ ସମୟରେ ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୩ଟା ମଧ୍ୟରେ ଅତି ଜରୁରୀ କାମ ନ ଥିଲେ ପଦାକୁ ବାହାରିବାକୁ ବାରଣ କରାଯାଇଛି।
ଓଡ଼ିଶା, ଆନ୍ଧ୍ର ଓ ତେ‌େ‌ଲଙ୍ଗାନା: ବିରଳ ଅଂଶୁଘାତ ରେକର୍ଡ଼
 ବଢୁଛି ତାପମାତ୍ରା। ଡରାଉଛି ଅଂଶୁଘାତ ତଥା ଗ୍ରୀଷ୍ମଲହରୀ ମୃତ୍ୟୁ। ଗତ ୫୦ ବର୍ଷରେ ତାପମାତ୍ରା ବୃଦ୍ଧିଜନିତ ଗ୍ରୀଷ୍ମଲହରୀ ନେଇଛି ୧୭ ହଜାର ଜୀବନ। ୧୯୭୧ରୁ ୨୦୧୯ ମଧ୍ୟରେ ଦେଶରେ ୭୦୬ଟି ଗ୍ରୀଷ୍ମଲହରୀ ଘଟଣା ଘଟିଛି। ଗ୍ରୀଷ୍ମଲହରୀ, ଅଂଶୁଘାତ ଭଳି ପ୍ରଚଣ୍ଡ ତାପମାତ୍ରା ବୃଦ୍ଧିଜନିତ ପ୍ରାକୃତିକ ବିପର୍ଯ୍ୟୟରେ ଏହି ସମୟ ମଧ୍ୟରେ ଯାଇଛି ୧ ଲକ୍ଷ ୪୧ ହଜାର ୮୦୩ ଜୀବନ। ସେଥିମଧ୍ୟରୁ ୧୨ ପ୍ରତିଶତ ଅର୍ଥାତ୍ ୧୭ ହଜାର ୩୬୨ ଜଣଙ୍କ ମୃତ୍ୟୁ ଗ୍ରୀଷ୍ମଲହରୀ ଯୋଗୁଁ ଘଟିଥିବା ଏକ ପରିସଂଖ୍ୟାନରୁ ଜଣାପଡିଛି। ସବୁଠୁ ଉଦ୍‌ବେଗର ବିଷୟ ହେଉଛି ସର୍ବାଧିକ ଗ୍ରୀଷ୍ମ ଲହରୀଜନିତ ମୃତ୍ୟୁ ଘଟଣା ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଓଡ଼ିଶା ଭଳି ରାଜ୍ୟରେ ଘଟୁଛି। ପରିସଂଖ୍ୟାନ ତଥ୍ୟ କହୁଛି, ବିଗତ ଦଶନ୍ଧିରେ ୨୦୧୩ ଓ ୨୦୧୫ ମସିହା ଥିଲା ସର୍ବାଧିକ ଗ୍ରୀଷ୍ମଲହରୀ ଜନିତ ମୃତ୍ୟୁକାଳୀନ ବର୍ଷ। ୨୦୧୩ରେ ପ୍ରଚଣ୍ଡ ଗ୍ରୀଷ୍ମଲହରୀରେ ୧୪୩୩ ଓ ୨୦୧୫ରେ ୨୦୮୧ ଜଣଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ବିପର୍ଯ୍ୟୟ ବର୍ଷ ମଧ୍ୟରେ ୨୦୧୨ରେ ୭୨୯ ଜଣ, ୨୦୧୪ରେ ୫୪୭ ଜଣ, ୨୦୧୬ରେ ୫୧୦ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୦୧୯ରେ ପ୍ରଚଣ୍ଡ ଗ୍ରୀଷ୍ମଲହରୀ କାରଣରୁ ୪୯୮ ଜଣ ପ୍ରାଣ ହରାଇଥିଲେ। ପ୍ରଚଣ୍ଡ ଗ୍ରୀଷ୍ମଲହରୀ ଜନିତ ପ୍ରାଣହାନି ଘଟଣାରେ ସବୁଠୁ ଆଶ୍ବସନାର ବର୍ଷ ଥିଲା କରୋନା ମହାମାରୀଜନିତ ୨୦୨୦ ଓ ୨୦୨୧ ବର୍ଷ। ଦେଶବ୍ୟାପୀ ତାଲାବନ୍ଦ କାରଣରୁ ଲୋକମାନେ ଗୃହବନ୍ଦୀ ଥିବାରୁ ପ୍ରଚଣ୍ଡ ରୌଦ୍ରତାପଜନିତ ଜୀବନହାନିରୁ ସୁରକ୍ଷିତ ରହିଥିଲେ। ୨୦୨୦ ବର୍ଷରେ ମାତ୍ର ୨ ଜଣଙ୍କର ପ୍ରଚଣ୍ଡ ଗ୍ରୀଷ୍ମଲହରୀ କାରଣୁ ମୃତ୍ୟୁ ଘଟିଥିବା କୁହାଯାଇଛି। ଜଳବାୟୁ ପରିବର୍ତ୍ତନ, ସବୁଜ ଘର ବାଷ୍ପ ପ୍ରଭାବ ଓ ବାୟୁମଣ୍ଡଳରେ ଅଙ୍ଗାରକାମ୍ଲ ଏବଂ ମିଥେନ୍‌ ଆଦି ବାଷ୍ପର ପରିମାଣ ବୃଦ୍ଧି ହିଁ ପ୍ରଚଣ୍ଡ ରୌଦ୍ରତାପ ବୃଦ୍ଧିର କେତେକ କାରଣ କୁହାଯାଉଛି।

kalyan agarbati

Comments are closed.