www.samajalive.in
Sunday, December 14, 2025
15.1 C
Bhubaneswar

ଜଳୁଛି ପଶ୍ଚିମ ; ଉପକୂଳ ଆଶ୍ବସ୍ତ

ଭୁବନେଶ୍ବର : ପ୍ରଚଣ୍ଡ ଗ୍ରୀଷ୍ମଲହରୀରେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାବାସୀ ଛଟପଟ ହେଉଛନ୍ତି; କିନ୍ତୁ ଆସନ୍ତା ୭ ତାରିଖ ଯାଏଁ ଉପକୂଳ, ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ତାପମାତ୍ରାରୁ କିଛିଟା ଆଶ୍ବସ୍ତି ମିଳିବା ନେଇ ପୂର୍ବାନୁମାନ କରାଯାଉଛି। କାରଣ ଉପକୂଳ, ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା ଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କତା ଜାରି କରିଛି। ଆସନ୍ତାକାଲି ୧୮ଟି ଜିଲାରେ କାଳବୈଶାଖୀ ସମ୍ଭାବନା ରହିଛି। ଏହି ସମୟରେ ଝଡ଼ ବର୍ଷା ସହ ବଜ୍ରପାତ ହେବା ଆକଳନ କରାଯାଇଛି ।
ସେହିପରି ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ଥିବାବେଳେ ବାତ୍ୟା ଚିତ୍ର ଏବେ ବି ଅସ୍ପଷ୍ଟ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଆସନ୍ତା ୬ତାରିଖରେ ସୃଷ୍ଟି ହେବ ଲଘୁଚାପ। ଦକ୍ଷିଣ ଆଣ୍ଡାମାନ ସାଗରରେ ୪ ତାରିଖରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏହି ଲଘୁଚାପ ସୃଷ୍ଟି ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ତେବେ ପରବର୍ତ୍ତୀ ୨୪ ଘଣ୍ଟା ଭିତରେ ଏହି ଲଘୁଚାପ ଅଧିକ ଘନୀଭୂତ
ହେବ। ହେଲେ, ଝଡର ରୂପ ନେବ କି ନାହିଁ ସେ ନେଇ ଏପର୍ଯ୍ୟନ୍ତ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ଆକଳନ କରାଯାଇନାହିଁ। ଦିନେ ଦୁଇ ଦିନ ଭିତରେ ଏହା ହୁଏତ ସ୍ପଷ୍ଟ ହେବ। ଗତ କିଛି ବର୍ଷ ହେଲା ଲଗାତାର ଭାବେ ମେ’ ମାସରେ ବଙ୍ଗୋପସାଗରରେ ବାତ୍ୟା ହେଉଛି। ଆଉ ଏବେ ପୁଣି ମେ’ ମାସରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଥିବାରୁ ବାତ୍ୟା ଆଶଙ୍କା ବଢ଼ିଯାଇଛି। ସମ୍ଭାବ୍ୟ ବାତ୍ୟାକୁ ନେଇ ଭାରତୀୟ ପାଣିପାଗ ବିଭାଗ କୌଣସି ଚିତ୍ର ସ୍ପଷ୍ଟ କରି ନ ଥିବାବେଳେ, ଭିନ୍ନ ଭିନ୍ନ ପାଣିପାଗ ସଂସ୍ଥା ଭିନ୍ନ ଭିନ୍ନ ଆକଳନ କରୁଛନ୍ତି।
ଅନ୍ୟପକ୍ଷରେ ସୋମବାର ଉପକୂଳ ଓଡ଼ିଶାବାସୀ ତାତିରୁ ସାମାନ୍ୟ ଆଶ୍ବସ୍ତି ଲାଭ କରିଛନ୍ତି। ତେବେ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର ୧୮ଟି ସ୍ଥାନରେ ତାପମାତ୍ରା ୪୦ କିମ୍ବା ଏହା ଉପରେ ରହିଥିଲା। ଏପରିକି ୫ଟି ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀ କିମ୍ବା ତା’ ଉପରେ ରହିଛି। ୪୩.୨ ଡିଗ୍ରୀ ସହ ସୁବର୍ଣ୍ଣପୁର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଅନୁଗୋଳ ୪୧.୩, ଝାରସୁଗୁଡ଼ା ୪୧.୪, ସମ୍ବଲପୁର ୪୦.୮, ସୁନ୍ଦରଗଡ଼ ୪୦.୫, ହୀରାକୁଦ ୪୦.୪, ତାଳଚେର ୪୨, ଭବାନୀପାଟଣା ୪୦, ବଲାଙ୍ଗୀର ୪୧.୮, ଫୁଲବାଣୀ ୪୨.୨, ଟିଟିଲାଗଡ଼, ୪୨, ମାଲକାନଗିରି ୪୧, ନୟାଗଡ଼ ୪୧, ବୌଦ୍ଧ ୪୨.୫, ପାରଳାଖେମୁଣ୍ଡି ୪୧.୫, ଯାଜପୁର ୪୦.୨, ଦେବଗଡ଼ ୪୦.୩ ଓ ନୂଆପଡ଼ା ୪୧.୪ ଡିଗ୍ରୀ ରେକର୍ଡ଼ କରାଯାଇଛି। ଭୁବନେଶ୍ବର ଓ କଟକରେ ତାପମାତ୍ରା ଯଥାକ୍ରମେ ୩୭.୭ ଓ ୩୭ ଡିଗ୍ରୀ ରେକର୍ଡ଼ କରାଯାଇଛି। ଗ୍ରୀଷ୍ମ ପ୍ରବାହରେ ସାରା ଦେଶ ଛଟପଟ ହେଉଥିବାବେଳେ ଆସନ୍ତା ୭ ତାରିଖ ଯାଏ ଦେଶରେ ଗ୍ରୀଷ୍ମଲହରୀ ସ୍ଥିତି ଉପୁଜିବ ନାହିଁ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ବିଭାଗର ବରିଷ୍ଠ ବୈଜ୍ଞାନିକ ଆରକେ ଜେନାମଣି କହିଛନ୍ତି ଯେ, ଭାରତର ବିଭିନ୍ନ ପ୍ରାନ୍ତରେ ଜାରି ଗ୍ରୀଷ୍ମଲହରୀ ସ୍ଥିତିରେ ସୁଧାର ଆସିଛି। ଏପ୍ରିଲ ୩୦ରୁ ଓଡ଼ିଶା ଓ ପଶ୍ଚିମବଙ୍ଗରେ ତାପମାତ୍ରା ହ୍ରାସ ପାଇଛି।
ଆସନ୍ତା ୭ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଦେଖାଦେବ। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହା କୁହାଯାଇଛି। ୨୪ ଘଣ୍ଟା ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲାର କେତେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ବର୍ଷା ଝଡ଼ର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ୪୦-୫୦ କିମି ରହିବ। ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼ ଓ ଦେବଗଡ଼ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତର ଆଶଙ୍କା ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories