ମଦଭାଟିରେ ଟଙ୍କାର ଗଦା – ହାତରେ ଗଣି ପାରିଲେନି ବ୍ୟାଙ୍କକୁ ନେଲେ

ବଳଦେବ ସାହୁ ଆଣ୍ଡ୍ ଗ୍ରୁପ୍ ଅଫ୍ କମ୍ପାନୀରେ ଆଇଟି ଚଢ଼ଉ -୩୦୦ କୋଟିରୁ ଊର୍ଦ୍ଧ୍ବ ଜବତ

ବଲାଙ୍ଗିର/ଭୁବନେଶ୍ବର : ମଦ ଭାଟିରେ ଟଙ୍କାର ଭଣ୍ଡାର। ବିଡ଼ା ବିଡ଼ା ଟଙ୍କା ଦେଖି ଆୟକର ବିଭାଗ (ଆଇଟି)ର ତାଜୁବ୍‌ ହୋଇଛି। ଦ୍ବିତୀୟ ଦିନରେ ଚଢ଼ଉ ଜାରି ରହିଛି। ୩୦୦ କୋଟିରୁ ଅଧିକ ଟଙ୍କା ଜବତ ହୋଇଥିବା ଅନୁମାନ କରାଯାଉଛି। ଜବତ ଟଙ୍କା ସଂକ୍ରାନ୍ତରେ ଆଇଟି ପକ୍ଷରୁ କୌଣସି ସୂଚନା ଦିଆଯାଇନଥିଲେ ହେଁ ବସ୍ତା ବସ୍ତା ଟଙ୍କା ଟ୍ରକ୍‌ ଜରିଆରେ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ବଲାଙ୍ଗୀର ମୁଖ୍ୟ ଶାଖାକୁ ପଠାଯାଇଛି। ଏତେ ପରିମାଣର ଟଙ୍କା ଗଣିବା ଲାଗି ବ୍ୟାଙ୍କ୍‌ରେ ଗଣତି ମେସିନ୍‌ ଅଭାବ ରହିଛି। ନିକଟ ବ୍ୟାଙ୍କ୍‌ରୁ ମେସିନ୍‌ ଆଣି ଟଙ୍କା ଗଣା ଚାଲିଛି। ଏହି ମଦ କମ୍ପାନୀର ଚେର ଟିଟିଲାଗଡ଼ରୁ ଝାଡ଼ଖଣ୍ଡକୁ ଲମ୍ବିଛି। ଏଥିରେ ରାଜନେତାଙ୍କ ସମ୍ପୃକ୍ତି ପଦାକୁ ଆସିଛି। ଓଡ଼ିଶାର ବଲାଙ୍ଗୀର, ଟିଟିଲାଗଡ଼, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର, ସୁନ୍ଦରଗଡ଼, ଭୁବନେଶ୍ବର ସମେତ ବିହାର, ରାଞ୍ଚି ଓ ଝାଡ଼ଖଣ୍ଡର କେତେକ ସ୍ଥାନରେ ଆଇଟି ଦଳ ଚଢ଼ଉ ଜାରି ରଖିଛି। ଓଡ଼ିଶାରେ ଆଇଟିର ଏହି ଚଢ଼ଉ ଟଙ୍କା ଜବତରେ ସର୍ବାଧିକ ବୋଲି କୁହାଯାଉଛି।
ଆୟକର ଫାଙ୍କିବା ଅଭିଯୋଗରେ ଆଇଟି ବିଭାଗ ପକ୍ଷରୁ ବୁଧବାର ରାଜ୍ୟର ବିଭିନ୍ନ ସ୍ଥାନରେ ବଡ଼ଧରଣର ଚଢ଼ଉ କରାଯାଇଥିଲା। ପଶ୍ଚିମ ଓଡ଼ିଶାର
ଅନ୍ୟତମ ବଡ଼ ଦେଶୀ ମଦ ପ୍ରସ୍ତୁତକାରୀ ଓ ବିକ୍ରୟକାରୀ ସଂସ୍ଥା ବଳଦେବ ସାହୁ ଆଣ୍ଡ୍ ଗ୍ରୁପ୍ ଅଫ୍ କମ୍ପାନୀର ବଲାଙ୍ଗୀର କାର୍ଯ୍ୟାଳୟରେ ଚଢ଼ଉ କରାଯାଇ ପ୍ରାୟ ୧୫୦କୋଟି ଜବତ କରାଯାଇଥିଲା। ସେହିପରି ସୁନ୍ଦରଗଡ଼ କାର୍ଯ୍ୟାଳୟରୁ ୫୦କୋଟି, ରାଉରକେଲାରୁ ୫୦କୋଟି, ଟିଟିଲାଗଡ଼ରୁ ୫୦କୋଟି ଟଙ୍କା ଆଇଟି ଅଧିକାରୀମାନେ ଜବତ କରିଥିଲେ। ଝାଡ଼ଖଣ୍ଡ, ରାଞ୍ଚି ଓ ବିହାରର କେତେକ ସ୍ଥାନରେ ଥିବା ଏହି ମଦ କମ୍ପାନୀ କାର୍ଯ୍ୟାଳୟରେ ଚଢ଼ଉ କରାଯାଇ କୋଟି କୋଟି ଟଙ୍କା ଜବତ ହୋଇଥିବା ସୂଚନା ରହିଛି। ଏହି କମ୍ପାନୀରେ ରାଜନେତାଙ୍କ ଭାଗିଦାରୀ ଥିବା ଜଣାପଡ଼ିବା ପରେ ସ୍ଥାନୀୟ ଆୟକର ବିଭାଗ କାର୍ଯ୍ୟାଳୟର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ସେହିପରି ଟଙ୍କା ଗଣା ଯାଉଥିବା ବ୍ୟାଙ୍କକୁ ପୁଲିସ ସୁରକ୍ଷା ବଳୟ ମଧ୍ୟରେ ରଖିଛି।
ଦ୍ୱିତୀୟ ଦିନ ତଥା ଗୁରୁବାର ସକାଳୁ ଟିଟିଲାଗଡ଼, ବୌଦ୍ଧ, ବଲାଙ୍ଗୀରର ସୁତପଡ଼ାସ୍ଥିତ ମଦଭାଟିରେ ଆଇଟି ଅଧିକାରୀ ପହଞ୍ଚି ତନଖି ଜାରି ରଖିଛନ୍ତି। ବୀରମିତ୍ରପୁରରେ ଥିବା ରାଜେଶ ସାହୁ ମଦ କମ୍ପାନୀରେ ଚଢ଼ଉ ଜାରି ରହିଛି। ରାଉରକେଲାର କାମେଶ୍ବର ତିୱାରୀଙ୍କ ମଦ କାରଖାନାରେ ଆଇଟି ଖୋଳତାଡ଼ ଚଳାଇଛି। ଆଗାମୀ ଦିନରେ ତଦନ୍ତ ପରିସର ବଢ଼ିବା ଆଶଙ୍କା ରହିଛି। ଏତେ ଟଙ୍କା କାହିଁକି କାର୍ଯ୍ୟାଳୟରେ ରଖାଯାଇଥିଲା, କେଉଁ ସୂତ୍ରରୁ ଏହା ଆସିଥିଲା, ଏହାର ଉତ୍ସ କ’ଣ, କେବେଠାରୁ ଏତେ ଟଙ୍କା ସେଠାରେ ରଖାଯାଇଥିଲା, କେଉଁ କ୍ଷେତ୍ରରେ ଏହାକୁ ଖର୍ଚ୍ଚ କରାଯାଇଥାନ୍ତା, ଏସବୁର ଉତ୍ତର ଖୋଜିବା ଆରମ୍ଭ କରିଛି ତଦନ୍ତକାରୀ ସଂସ୍ଥା। ସୁନ୍ଦରଗଡ଼ରେ ରାଜକିଶୋର ଜୟସ୍ବାଲଙ୍କ ଘରେ ଚଢ଼ଉ ଜାରି ରହିଛି। ରାଜ କିଶୋରଙ୍କ ବ୍ୟବସାୟ ସମ୍ବଲପୁର, ବଲାଙ୍ଗୀର ଏବଂ ଝାଡ଼ଖଣ୍ଡ ସହ କଲକାତା ପର୍ଯ୍ୟନ୍ତ ଲମ୍ବିଛି। ସେହିପରି ରାଉରକେଲା ସହରର କାମେଶ୍ୱର ତିୱାରୀଙ୍କ ବାସଗୃହରେ ମଧ୍ୟ ଚଢ଼ଉ ଜାରି ରହିଛି। କାମେଶ୍ବରଙ୍କର ରାଉରକେଲା, ଝାଡ଼ଖଣ୍ଡ, ସୁନ୍ଦରଗଡ଼ ଆଦି ଅଞ୍ଚଳରେ ମଦ କାରଖାନା ସହ ବିଭିନ୍ନ ବ୍ୟବସାୟ ଅଛି। ତାଙ୍କ ବାସଭବନ ସହ ପାହାଡ଼ି ବାର୍‌, ସେକ୍ଟର ୧୯ସ୍ଥିତ ସରୋବରରେ ମଧ୍ୟ ଚଢ଼ଉ ଚାଲିଛି। ଏହି ଦୁଇ ବ୍ୟବସାୟୀଙ୍କଠାରୁ ବହୁ ପରିମାଣର ଟଙ୍କା ଜବତ ହୋଇଛି।
ଭୁବନେଶ୍ୱରରେ ଆୟକର ବିଭାଗ ମହା ନିର୍ଦେଶକ (ଡାଇରେକ୍ଟର ଜେନେରାଲ) ସଞ୍ଜୟ ବାହାଦୂର। ହାଇଦରାବାଦରୁ ଭୁବନେଶ୍ୱର ଆସି ଏକ ଘରୋଇ ହୋଟେଲରେ ବୈଠକ କରିଛନ୍ତି। ଏଥିରେ ଓଡ଼ିଶା ଆଇଟିର ମୁଖ୍ୟ ସୁନିଲ କୁମାର ଝା ମଧ୍ୟ ସାମିଲ ହୋଇଥିଲେ। ରାଜ୍ୟରେ ଚାଲିଥିବା ବଡ଼ଧରଣର ଚଢ଼ଉକୁ ନେଇ ବୈଠକରେ ଆଲୋଚନା ହୋଇଥିବା ସୂଚନା ମିଳିଛି।

Comments are closed.