www.samajalive.in
Friday, December 5, 2025
26.1 C
Bhubaneswar

ଜେଲ୍‌ର କାନ୍ଥ ଡେଇଁ ଫେରାର ହୋଇଥିଲା କଏଦୀ- ଏହି ସ୍ଥାନରୁ ଧରା ପଡିଲା

ସମ୍ବଲପୁର : ସମ୍ବଲପୁରର ମଣ୍ଡଳ କାରାଗାରରୁ ୩୦ ତାରିଖରେ ଫେରାର ହୋଇଥିବା ବିଚାରାଧୀନ କଏଦୀ ସଞ୍ଜୀବ କିଷାନ (୨୩)ଙ୍କୁ ଧରିବାରେ ପୁଲିସ ସକ୍ଷମ ହୋଇଛି। ଏ ସମ୍ପର୍କରେ ଧନୁପାଲି ଥାନାରେ ପୁଲିସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଏସଡିପିଓ ପ୍ରଦୀପ ସାହୁ କହିଛନ୍ତି ଯେ, ଫେରାର କଏଦୀ ଜଣକ ସମ୍ବଲପୁରରୁ ବାହାର ରାଜ୍ୟକୁ ଫେରାର ହେବାର ଉଦ୍ୟମ ସମୟରେ ପୁଲିସ ତାକୁ ଧରିଛି। ପୋକ୍ସୋ ଆଇନ ଅନୁଯାୟୀ ବିଚାରାଧୀନ କଏଦୀ ଜେଲ ମଧ୍ୟରେ ରୋଷେଇ କାର୍ଯ୍ୟରେ ସହାୟତା କରୁଥିଲା। ସମସ୍ତ କଏଦୀ ଖାଇ ସାରିବା ପରେ କାମ ସାରି ସେ ତାର ବ୍ୟାରେକକୁ ଯାଉଥିଲା। ଯେଉଁ ଦିନ ସେ ଫେରାର ହୋଇଥିଲା, ସେହି ଦିନ ଅନ୍ୟ ଜଣେ କଏଦୀଙ୍କ ପୋକ୍ସୋ ଅଦାଲତ ଦ୍ୱାରା ୨୦ ବର୍ଷର ସଶ୍ରମ କାରାଦଣ୍ଡ ଓ ୧ ଲକ୍ଷ ଟଙ୍କାର ଜୋରିମାନା କରାଯାଇଥିବା ନିର୍ଦେଶାନାମା ସନ୍ଧ୍ୟା ସମୟରେ ଜାଣିବାକୁ ପାଇଥିଲା। ଫଳରେ ସେ ଭୟଭୀତ ହୋଇ ପଡ଼ିଥିଲା ଏବଂ କାରାଦଣ୍ଡରୁ ନିଜକୁ ରକ୍ଷା କରିବା ପାଇଁ ଜେଲରୁ ଫେରାର ମାରିବାର ଯୋଜନା କରିଥିଲା। ଏଣୁ ସମସ୍ତ କାମ ସରିବା ପରେ ସେ ଶୌଚାଳୟ ଯିବାର ବାହାନା କରି ରହିଯାଇଥିଲା। ଏହା ପରେ ଶୌଚାଳୟ ପାଖରେ ଥିବା ରୋଷେଇ ଘର ନିକଟରେ ଏକ କମ ଉଚ୍ଚତା ବିଶିଷ୍ଟ କାନ୍ଥକୁ ଚଢିଯାଇ ରୋଷେଇ ଘରର କାନ୍ଥ ଉପରକୁ ଚଢ଼ି ଯାଇଥିଲା। ଏହା ପରେ ଅଧିକ ଉଚ୍ଚ ଥିବା ଜେଲ ପାଚେରୀକୁ କୌଣସି ଉପାୟରେ ଡେଇଁ ଅନ୍ଧକାରର ସୁଯୋଗ ନେଇ ଫେରାର ମାରିଥିଲା। ଏହି ଘଟଣା ରାତ୍ରିରେ ଜଣାପଡ଼ିବା ପରେ ଜେଲର ଧନୁପାଲି ଥାନାରେ ଲିଖିତ ଅଭିଯୋଗ କରିବାରୁ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଥିଲା। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବୁଧବାର ରାତ୍ରିରେ ସ୍ଥାନୀୟ ସିଟି ରେଳ ଷ୍ଟେସନ ନିକଟରୁ ପୁଲିସ ଦଳ ତାକୁ ଧରିଥିଲା। ଏ ପର୍ଯ୍ୟନ୍ତ ଏହି ମାମଲାରେ କୌଣସି ଜେଲ କର୍ମଚାରୀ ସମ୍ପୃକ୍ତିର ସୂଚନା ମିଳି ନାହିଁ ବୋଲି ଏସଡିପିଓ ଶ୍ରୀ ସାହୁ କହିଛନ୍ତି। ଅଭିଯୁକ୍ତ କଏଦୀ ନିକଟରୁ ଏକ ଡାଏରୀ ଓ ମୋବାଇଲ ଫୋନ ଜବତ ହୋଇଛି। ଚଢ଼ଉ ଦଳରେ ଧନୁପାଲି ଥାନାଧିକାରୀ ରାଜ କୁମାର ବିଶ୍ୱାଳ, ଟେକଚାନ୍ଦ ବାହୁବଲ ଖଟୁଆ, ଜେ. ସେଟଙ୍କ ସହିତ ଅନ୍ୟ କର୍ମଚାରୀ ମାନେ ସାମିଲ ରହିଥିଲେ।
ମହୁଲପାଲି ଥାନା ଅର୍ନ୍ତଗତ ଉଲୁଣ୍ଡା ନିବାସୀ ସଞ୍ଜୀବ କିଷାନଙ୍କୁ ସଦର ଥାନା ଅର୍ନ୍ତଗତ ଅଞ୍ଚଳରୁ ଗତବର୍ଷ ୬ ଡିସେମ୍ବରରେ ଜଣେ ୧୬ ବର୍ଷିୟ ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ କରିବା ଅଭିଯୋଗରେ ପୋକ୍ସୋ ଆଇନ ଅନୁଯାୟୀ ଗିରଫ କରାଯାଇ ଅଦାଲତକୁ ଚାଲାଣ କରାଯାଇଥିଲା। ତେବେ ସେ ଏହି ମାମଲାର ବିଚାର ଚାଲିଥିବାବେଳେ ସେ ଗତ ୩୦ ତାରିଖ ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ସମୟରେ ଫେରାର ମାରିଥିଲା। ଦାୟିତ୍ୱହୀନ କାର୍ଯ୍ୟ ପାଇଁ ଜେଲର ମୁଖ୍ୟ ୱାଡେନ ପ୍ରମୋଦ ବୁଡେକ ଓ ୱାଡେନ ସଞ୍ଜୟ ଡୁଙ୍ଗଡୁଙ୍ଗଙ୍କୁ ନିଲମ୍ବିତ କରିଥିଲେ।

 

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories