ହରିୟାଣା: ହରିଆଣାରେ ଥିବା ଏକ ଘରୋଇ ବିଶ୍ଵବିଦ୍ୟାଳୟର ଜଣେ ଛାତ୍ର ଟ୍ରଲି ବ୍ୟାଗ ଭିତରେ ଜଣେ ଯୁବତୀକୁ ଲୁଚାଇ ସେ ରହୁଥିବା ବଏଜ୍ ହଷ୍ଟେଲ ରୁମକୁ ଆଣୁଥିଲେ। ଅଧାବାଟରେ ଟ୍ରଲି ବ୍ୟାଗକୁ ଅଟକାଇ ହଷ୍ଟେଲ ସୁରକ୍ଷା କର୍ମଚାରୀମାନେ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଟ୍ରଲି ବ୍ୟାଗ ଭିତରୁ ଜଣେ ଯୁବତୀ ବାହାରିଥିଲା। ଏହି ଘଟଣା ଏବେ ହରିୟାଣାରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାଟି ହରିୟାଣାର ସୋନିପତ ଜିଲାରେ ଅବସ୍ଥିତ ଏକ ଘରୋଇ ବିଶ୍ୱବିଦ୍ୟାଳୟ ଓପି ଜିନ୍ଦଲ ବିଶ୍ୱବିଦ୍ୟାଳୟରେ ଘଟିଛି।
ଓପି ଜିନ୍ଦଲ ବିଶ୍ୱବିଦ୍ୟାଳୟ ଛାତ୍ର ଏକ ଟ୍ରଲି ବ୍ୟାଗରେ ଜଣେ ଯୁବତୀକୁ ନେଇ ସେ ରହୁଥିବା ବଏଜ ହଷ୍ଟେଲରେ ପଶିବାକୁ ଚେଷ୍ଟା କରୁଥିବାବେଳେ ଧରାପଡ଼ିଥିଲେ। ବିଶ୍ୱବିଦ୍ୟାଳୟର ସୁରକ୍ଷା କର୍ମଚାରୀମାନେ ଯାଞ୍ଚ କଲାବେଳେ ଟ୍ରଲି ବ୍ୟାଗରୁ ଜଣେ ଯୁବତୀ ବାହାରିଥିଲା। ସୁରକ୍ଷା କର୍ମଚାରୀମାନେ ପଚରାଉଚୁରା ସମୟରେ ଯୁବତୀ ଜଣକ ଛାତ୍ରଙ୍କ ପ୍ରେମିକା ବୋଲି ଜଣାପଡ଼ିଥିଲା ଏବଂ ହଷ୍ଟେଲ ରୁମକୁ ଟ୍ରଲି ବ୍ୟାଗରେ ଯୁବତୀଙ୍କୁ ନେବାର ପ୍ରୟାସ ବିଫଳ ହୋଇଥିଲା। ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ବିଶ୍ୱବିଦ୍ୟାଳୟର କର୍ମଚାରୀମାନେ ବ୍ୟାଗକୁ କିପରି ଅଟକାଇ ପାରିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ନୁହେଁ, କିନ୍ତୁ କିଛି ରିପୋର୍ଟ କହୁଛି ଯେ ବ୍ୟାଗଟି ଧକ୍କା ଦେବା ପରେ ଝିଅଟି ଚିତ୍କାର କରିଥିଲା। ଝିଅଟି ସମାନ ବିଶ୍ୱବିଦ୍ୟାଳୟର ଛାତ୍ରୀ କି ନାହିଁ ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ।
ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରି ବିଶ୍ୱବିଦ୍ୟାଳୟ ପିଆରଓ କହିଛନ୍ତି ଯେ ଏହା କୌଣସି ବଡ଼ କଥା ନୁହେଁ ଏବଂ ଛାତ୍ରମାନେ କେବଳ ଦୁଷ୍ଟାମି କରୁଥିଲେ ଏବଂ ଆମର ସୁରକ୍ଷା କଡ଼ାକଡ଼ି ହୋଇଥିବାରୁ ଛାତ୍ର ଜଣକ ଧରାପଡ଼ିଲେ। ଆମର ସୁରକ୍ଷା ସର୍ବଦା କଡ଼ା ଏବଂ କେହି ଏହି ବିଷୟରେ କୌଣସି ପ୍ରକାରର ଅଭିଯୋଗ ଦାଖଲ କରିନାହାଁନ୍ତି।



