ଖଟ୍ଟର ସରକାରଙ୍କ ନିଷ୍ପତ୍ତି : ବଳାତ୍କାର ଅଭିଯୋଗ ଲାଗିଲେ ବନ୍ଦ ହେବ ପେନସନ୍‍, ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ

0

ନୂଆଦିଲ୍ଲୀ : ହରିୟାଣା ସରକାର ରାଜ୍ୟରେ ବୃଦ୍ଧି ପାଉଥିବା ମହିଳା ବିରୋଧୀ ଅପରାଧରେ ଲଗାମ ଲଗାଇବା ପାଇଁ କିଛି ନୂଆ ପଦକ୍ଷେପ ନେଇଛନ୍ତି। ଏ କ୍ରମରେ ବଳାତ୍କାର ଅପରାଧ କ୍ଷେତ୍ରରେ ପୀଡ଼ିତାଙ୍କୁ ତୁରନ୍ତ ନ୍ୟାୟ ଦେବା ପାଇଁ ହରିୟାଣା ସରକାର ଗୁରୁବାର କେତେକ ବଡ଼ ନିଷ୍ପତ୍ତିର ଘୋଷଣା କରିଛନ୍ତି। ମନୋହରଲାଲ ଖଟ୍ଟରଙ୍କ ସରକାର ବଳାତ୍କାର ମାମଲାରେ ଓକିଲ ନିଯୁକ୍ତି ପାଇଁ ପୀଡ଼ିତାଙ୍କୁ ୨୨,୦୦୦ ଟଙ୍କାର ଆର୍ଥିକ ସହାୟତା ଦେବ। ମହିଳାଙ୍କ ସହ ଅସଦାଚରଣ, କମେଣ୍ଟମରା ଏବଂ ଅନ୍ୟ ଅପରାଧ ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ କରାଯିବ। ହରିୟାଣା ସରକାରଙ୍କ ନିଷ୍ପତ୍ତି ଅନୁସାରେ ବଳାତ୍କାର ଭଳି ମାମଲାରେ ଅଭିଯୁକ୍ତଙ୍କ ତତ୍କାଳ ପ୍ରଭାବରେ ପେନ୍‍ସନ୍‍ ବନ୍ଦ କରିଦିଆଯିବ। ସେହିପରି ବଳାତ୍କାର ଅଭିଯୁକ୍ତଙ୍କ ଡ୍ରାଇଭିଂ ଲାଇସେନ୍ସ ଏବଂ ବନ୍ଧୁକ ଭଳି ଅସ୍ତ୍ର ଲାଇସେନ୍ସ ରଦ୍ଦ କରାଯିବ। ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେଲେ ସବୁଦିନ ପାଇଁ ସମସ୍ତ ସୁବିଧାରୁ ସେ ବଞ୍ଚିତ ହେବେ। ସେହିପରି ଅସଦାଚରଣ ମାମଲାରେ ତଦନ୍ତକାରୀ ଅଧିକାରୀ ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବେ। ୧୫ ଦିନ ମଧ୍ୟରେ ତଦନ୍ତକାରୀ ଅଧିକାରୀ ରିପୋର୍ଟ ଦାଖଲ ନକଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ତଦନ୍ତ ପୂର୍ଣ୍ଣ ହେବାର ୩୦ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ମହିଳାଙ୍କ ସୁରକ୍ଷା ପାଇଁ ଦୁର୍ଗା ଶକ୍ତି ନାମକ ଏକ ପିସିଆର ଭ୍ୟାନ ମୁତୟନ କରାଯିବ। ହରିୟାଣାର ବିଭିନ୍ନ ଜିଲାକୁ ଦୁର୍ଗା ଶକ୍ତି ପିସିଆର ଯୋଗାଇ ଦିଆଯିବ। ହରିୟାଣାରେ ୬ଟି ଫାଷ୍ଟଟ୍ରାକ୍‍ କୋର୍ଟ ପ୍ରତିଷ୍ଠା କରାଯିବ। ଏହି ଅଦାଲତ ନିଜ ରିପୋର୍ଟ ଉଚ୍ଚନ୍ୟାୟାଳୟଙ୍କୁ ପ୍ରଦାନ କରିବେ। ସମସ୍ତ ଫାଷ୍ଟଟ୍ରାକ୍‍ କୋର୍ଟ ହରିୟାଣା ଉଚ୍ଚନ୍ୟାୟାଳୟ ଅଧୀନରେ ରହିବେ। ସମସ୍ତ ମାମଲାର ଏକ ସମୟ ସୀମା ନିର୍ଦ୍ଧାରଣ କରାଯିବ। ଏହାଦ୍ୱାରା ପୀଡ଼ିତାଙ୍କୁ ସମୟ ମଧ୍ୟରେ ନ୍ୟାୟ ମିଳିପାରିବ ବୋଲି ଖଟ୍ଟର ସରକାର ଆଶା ବ୍ୟକ୍ତ କରିଛନ୍ତି।

Leave A Reply