ଭୁବନେଶ୍ୱର : ରତନ ଟାଟାଙ୍କ ପରିଚୟ ହେଉଛି ଶିଳ୍ପପତି, ହେଲେ ତାଙ୍କ ପ୍ରତିଦ୍ବନ୍ଦ୍ବୀଙ୍କଠାରୁ ରତନ ଭିନ୍ନ ଥିଲେ। ଦେଶର ଆର୍ଥିକ ଓ ସାମାଜିକ ଉନ୍ନତି ଥିଲା ତାଙ୍କର ଲକ୍ଷ୍ୟ। ସାଧାରଣ ଲୋକଙ୍କ ଜୀବନରେ ଖୁସି ଆଣିବା ଯେପରି ତାଙ୍କ ପଣ ଥିଲା। ତତ୍କାଳୀନ ବିହାର ଓ ବର୍ତ୍ତମାନର ଜାମ୍ସେଦପୁରରୁ ଟାଟା ଗ୍ରୁପ୍ ତା’ର ଶିଳ୍ପ ଯାତ୍ରା ଆରମ୍ଭ କରିଥିଲା। ୧୯୮୧ରେ ରତନ ଟାଟା ଏଥିରେ ଯୋଗଦେବା ଏବଂ ୧୯୯୧ରେ ଟାଟା ଗ୍ରୁପ୍ର ଅଧ୍ୟକ୍ଷ ହେବା ପରେ ସାଧାରଣ ଲୋକଙ୍କ ପାଖରେ ସେ ପହଞ୍ଚିବାର ପ୍ରୟାସ କରିଥିଲେ। ଉଲ୍ଲେଖଯୋଗ୍ୟ, ଆମ ରାଜ୍ୟ ଓଡ଼ିଶା ସହ ରତନ ଟାଟାଙ୍କର ନିବିଡ଼ ସମ୍ପର୍କ ଥିଲା।
ରତନ ଟାଟାଙ୍କ ଦୂରଦୃଷ୍ଟି ଓ ପ୍ରତିଶ୍ରୁତିବଦ୍ଧତା ଓଡ଼ିଶାର ଉଦ୍ୟୋଗିକ ବିକାଶ ଓ ସାମାଜିକ କଲ୍ୟାଣରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲା। ଶିଳ୍ପ ଓ ଆର୍ଥିକ ବିକାଶ ସହ ସାମାଜିକ ଉତ୍ତରଦାୟିତ୍ୱର ସନ୍ତୁଳନ ରକ୍ଷା କରି ଓଡ଼ିଶାର ସାମଗ୍ରିକ ବିକାଶରେ ନିଜର ସ୍ପଷ୍ଟ ଛାପ ଛାଡ଼ିବାରେ ସକ୍ଷମ ହୋଇଛନ୍ତି। ୧୯୯୯ ମହାବାତ୍ୟା ହେଉ କି ୨୦୧୧ ମସିହା ବନ୍ୟା ବିତ୍ପାତ ଅବା ଅନ୍ୟ ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସବୁବେଳେ ସହଯୋଗ ହାତ ବଢ଼ାଇଛନ୍ତି। ଟାଟା ଗ୍ରୁପ ମାଧ୍ୟମରେ ଦେଶବିଦେଶର ୪ଲକ୍ଷ ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ଦେଇଥିବା ରତନ ଟାଟାଙ୍କ ଓଡ଼ିଶାର ଶିଳ୍ପ, ସାମାଜିକ ବିକାଶ, ଐତିହ୍ୟ ଓ ସାଂସ୍କୃତିକ ସୁରକ୍ଷା, ଏମଏସଏମଇକୁ ସହାୟତା କରିଛି। ଦକ୍ଷତା ବିକାଶ କାର୍ଯ୍ୟକ୍ରମ, ସ୍ୱାସ୍ଥ୍ୟସେବା ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଛି। ଟାଟା ଷ୍ଟିଲ ଓଡ଼ିଶାରେ ପ୍ରାୟ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ କରି ରାଜ୍ୟର ଆର୍ଥିକ ଅଭିବୃଦ୍ଧିରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କଳିଙ୍ଗନଗରଠାରେ ଟାଟା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ରତନ ଟାଟାଙ୍କ ଉଦ୍ୟମ ଓ ପ୍ରତିଶ୍ରୁତିବଦ୍ଧତା ଯୋଗୁଁ ସମ୍ଭବପର ହୋଇପାରିଥିଲା। ଟାଟା ଷ୍ଟିଲ କଳିଙ୍ଗନଗରଠାରେ ଥିବା ପ୍ଲାଣ୍ଟ କଳେବର ବୃଦ୍ଧି କରିବା ସହ ୨୦୨୨ରେ ନୀଳାଚଳ ଇସ୍ପାତ ନିଗମ ଲି. ଓ ଢେଙ୍କାନାଳରେ ଭୂଷଣ ଷ୍ଟିଲକୁ ଅଧିଗ୍ରହଣ କରି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ରାଜ୍ୟର ୧ଲକ୍ଷ ଲୋକଙ୍କୁ ରୋଜଗାର ଦେଇପାରିଛନ୍ତି। ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କରେ ଟାଟା ଷ୍ଟିଲର ଫେରୋକ୍ରୋମ ପ୍ଲାଣ୍ଟ ମଧ୍ୟ କାର୍ଯ୍ୟ କରୁଛି। ଓଡ଼ିଶାର ସଡ଼କ, ବନ୍ଦର, ରାସ୍ତା ସଂଯୋଗୀକରଣ, ଶିଳ୍ପ ଗତିବିଧି, ବିଦ୍ୟୁତ ଯୋଗାଣ ଆଦି କ୍ଷେତ୍ରରେ ଟାଟା ଗ୍ରୁପ୍ ଅର୍ଥନିବେଶ କରିଛି।
କଳିଙ୍ଗ ନଗର ଓ ଗୋପାଳପୁରଠାରେ ଟାଟା ସହଯୋଗରେ ମେଡ଼ିକା ହସ୍ପିଟାଲ ଗ୍ରୁପ ସ୍ଥାନୀୟ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଛି। ୨୦୦୮ରେ ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ଜାଗା ମିଶନ କାର୍ୟ୍ୟକ୍ରମରେ ରତନ ଟାଟା ନିଜର ଆନ୍ତରିକତା ଦେଖାଇ ସହଯୋଗର ହାତ ବଢ଼ାଇ ଥିଲେ। ୧୯୯୯ ମହାବାତ୍ୟାରେ ଉପକୂଳ ଓଡ଼ିଶା ଧ୍ୱଂସବିଧ୍ୱସ୍ତ ହୋଇ ପଡ଼ିଥିବାବେଳେ ସାହାଯ୍ୟ ପାଇଁ ରତନ ଟାଟା ଆଗକୁ ଆସିଥିଲେ। ମହାବାତ୍ୟା ସମୟରେ ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର ଓ ମୟୂରଭଞ୍ଜର ଲୋକେ ସହାୟତା ପାଇଁ ଚାହିଁ ବସିଥିବାବେଳେ ରତନ ଟାଟା ପ୍ରାୟ ୧୨ହଜାର ପ୍ରଭାବିତ ପରିବାରକୁ ରିଲିଫ ସାମଗ୍ରୀ ଯୋଗାଇ ଥିଲେ। ସର୍ବାଧିକ ବାତ୍ୟା ପ୍ରଭାବିତ ଜଗତସିଂହପୁର ଜିଲାର ଆମ୍ବିକି ଓ ଜପା ପଞ୍ଚାୟତର ୬ଟି ଗାଁର ୪୩୫ଟି ପରିବାରକୁ ୨୫୦ବର୍ଗଫୁଟର କୋଠାଘର ପ୍ରଦାନ କରିଥିଲେ। ୨୦୦୧ରେ ବନ୍ୟା ବିତ୍ପାତରେ ଟାଟା ଗ୍ରୁପ୍ ପ୍ରାୟ ୫୦ହଜାର ପରିବାରକୁ ସହଯୋଗର ହାତ ବଢ଼ାଇ ଥିଲା। ୨୦୧୧ ବନ୍ୟା ବିତ୍ପାତବେଳେ ଯାଜପୁର ଜିଲାର ବରୀ ଓ ବଡ଼ଚଣା ଏବଂ ପୁରୀର କଣାସ ବ୍ଲକରେ ବ୍ୟାପକ ସହାୟତା କରିଥିଲେ। ସ୍ଥାନୀୟ ପିଲାଙ୍କୁ ନିଯୁକ୍ତି ସୁଯୋଗ ଦେବା ଓ ପିଲାଙ୍କୁ ଆତ୍ମନିର୍ଭର କରିବା ପାଇଁ ସେମାନଙ୍କର ଦକ୍ଷତା ବିକାଶ କରିବା ଦିଗରେ ରତନ ଟାଟାଙ୍କ ଯୋଗଦାନ ରହିଛି। ହସ୍ତଶିଳ୍ପୀଙ୍କୁ ସେମାନଙ୍କର ଉତ୍ପାଦ ପାଇଁ ପ୍ରୋତ୍ସାହନ ଓ ସ୍ଥାନୀୟ ଉଦ୍ୟୋଗୀଙ୍କୁ ସହାୟତା ପ୍ରଦାନ ଉପରେ ସେ ପ୍ରାଥମିକତା ଦେଉଥିଲେ। ରତନ ଟାଟାଙ୍କ ପ୍ରୟାସ ଯୋଗୁଁ ବାରଙ୍ଗ ନିକଟ ରତାଗଡ଼ଠାରେ ଟାଟା ଗ୍ରୁପର ଏକ ଉନ୍ନତମାନର କ୍ୟାନସର ହସ୍ପିଟାଲ ନିର୍ମାଣ ସମ୍ଭବପର ହୋଇପାରିଛି। କ୍ୟାନସର ସମ୍ପର୍କରେ ଗବେଷଣା,ଶିକ୍ଷା ଓ ଚିକିତ୍ସା ପାଇଁ ଏହି ପ୍ରକଳ୍ପ କାର୍ଯ୍ୟ ଏବେ ଜାରି ରହିଛି। ଗଞ୍ଜାମ ଓ ମୟୂରଭଞ୍ଜରେ ଥିବା ନିଜର ହସ୍ପିଟାଲରେ କ୍ୟାନସର କେୟାର ୱିଙ୍ଗକୁ ମଧ୍ୟ ସୁଦୃଢ଼ କରାଯାଇଛି। ଏହି କ୍ୟାନସର ହସ୍ପିଟାଲ ସ୍ଥାପନ ନିମନ୍ତେ ଆଲୋଚନା ପାଇଁ ରତନ ଟାଟା ନିଜେ ଓଡ଼ିଶା ଆସି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। କଳିଙ୍ଗନଗର ଓ ଗୋପାଳପୁରରେ ଉନ୍ନତମାନର ହସ୍ପିଟାଲ ନିର୍ମାଣ ହୋଇପାରିଛି।
ବହୁତ ଥର ରତନ ଟାଟା ଓଡ଼ିଶା ଗସ୍ତରେ ଆସିଛନ୍ତି। ରତନ ଟାଟା ଓଡ଼ିଶାରେ ଶିଳ୍ପ ସ୍ଥାପନ କରିବାର ନିଷ୍ପତ୍ତି ନେଇଥିଲେ। ୧୯୯୫ ଡିସେମ୍ବରରେ ଗଞ୍ଜାମ ଜିଲାର ଗୋପାଳପୁରରେ ଇସ୍ପାତ କାରଖାନା ନିର୍ମାଣ ପାଇଁ ଓଡ଼ିଶା ସରକାରଙ୍କ ସହ ରତନ ଟାଟା ଚୁକ୍ତି କରିଥିଲେ। ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓ ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ବିପତ୍ତି ବେଳେ ହିଁ ଓଡ଼ିଶାବାସୀଙ୍କ ପ୍ରତି ରତନ ଟାଟାଙ୍କ ଭଲପାଇବା ଜଣା ପଡ଼ିଥିଲା। କଳିଙ୍ଗନଗର ଇସ୍ପାତ ପ୍ରକଳ୍ପ ସହିତ ଢେଙ୍କାନାଳ ଜିଲା ମେରାମୁଣ୍ଡୁଳୀରେ ମଧ୍ୟ ଏକ ଇସ୍ପତା କାରାଖାନାକୁ ଟାଟା ଗ୍ରୁପ୍ କିଣିପାରିଛି। ରତନ ଟାଟାଙ୍କ ନେତୃତ୍ବରେ ଟାଟା ଗ୍ରୁପ୍ ଓଡ଼ିଶାରେ ପଛୁଆ ବର୍ଗଙ୍କ ପାଇଁ ବହୁତ କାମ କରିଛି। ମାତୃ ଓ ଶିଶୁ ସ୍ବାସ୍ଥ୍ୟସେବାରେ ଏହାର କାମ ପ୍ରଶଂସନୀୟ। ରାଜ୍ୟର ପଛୁଆ ଅଞ୍ଚଳରେ ଟାଟା ଗ୍ରୁପ୍ ସ୍ବାସ୍ଥ୍ୟସେବାର ବ୍ୟବସ୍ଥା କରିବା ସହ ସ୍କୁଲ୍ ପ୍ରତିଷ୍ଠା କରିଛି। କୃତୀ ଛାତ୍ରଛାତ୍ରୀଙ୍କୁ ଏହା ବୃତ୍ତି ପ୍ରଦାନ କରିଆସୁଛି।



