ହରିରାଜପୁରର ପ୍ରସିଦ୍ଧ ପଞ୍ଚୁଦୋଳ ମେଳଣ ଜମିଲା

ଆତସବାଜିରେ କମ୍ପିଲା ମେଳଣ ପଡିଆ, ଆକାଶ ହେଲା ରଙ୍ଗୀନ, ୧୫ରେ ହରିହାଟ ଓ ୧୬ରେ ଠାକୁର ମେଳଣ

ପିପିଲି : ଓଡିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣର ଜମାଣ ଉତ୍ସବ ରବିବାର ମଧ୍ୟରାତ୍ରରୁ ବିପୁଳ ଜନସମାଗମ ମଧ୍ୟରେ ଆରମ୍ଭ ହୋଇଛି । ରାତି ତମାମ୍‌ ବିଭିନ୍ନ ପ୍ରକାର ଆତସବାଜିରେ ସମଗ୍ର ମେଳଣ ପଡିଆ କମ୍ପି ଉଠିଥିବା ବେଳେ ଆକାଶ ରଙ୍ଗୀନ ହୋଇଯାଇଥିଲା । ମେଳଣର ଜମାଣ ଉତ୍ସବ ସାଙ୍ଗକୁ ଆତସବାଜିକୁ ଉପଭୋଗ କରିବା ପାଇଁ ୩ଲକ୍ଷରୁ ଅଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ନୃତ୍ୟ, ସଂଗୀତ କାର୍ଯ୍ୟକ୍ରମକୁ ଲୋକେ ରାତିତମାମ ମନଭରି ଉପଭୋଗ କରିଥିଲେ ।

prayash


ପୁର୍ବ ରୀତିନିତୀ ଅନୁଯାଇ ପ୍ରସିଦ୍ଧ ଏହି ପଞ୍ଚୁଦୋଳ ମେଳଣର ସ୍ଥାନାଧିପତି ତଥା ହରିରାଜପୁର ଗ୍ରାମର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀପଶ୍ଚିମାଶମ୍ଭୁ ସୋମନାଥଦେବଙ୍କୁ ରାତି ୧୨ଟା ପରେ ଏକ ସୁସଜ୍ଜିତ ଦୋଳବିମାନରେ ମନ୍ଦିରରୁ ଅଣାଯାଇ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ମେଳଣ ପଡିଆକୁ ନିଆଯାଇଥିଲା । ଚିତ୍ତାକର୍ଷକ ଆତସବାଜି ପ୍ରଦର୍ଶନ, ଆଲୋକ ସଜ୍ଜା, ଭଜନ କୀର୍ତ୍ତନ, ଘଣ୍ଟ, ଘଣ୍ଟା, ତୁରୀ, ଶଙ୍ଖନାଦ, କଳଘୋଡା ଓ ଚଇତି ଘୋଡାନାଚ, ପାଇକନୃତ୍ୟ,ଚଢେୟାନୃତ୍ୟ ସହ ଲକ୍ଷାଧିକ ଭକ୍ତଙ୍କ ଗହଣରେ ସ୍ଥାନାଧିପତି ମେଳଣ ପଡିଆରେ ବିଜେ କରିଥିଲେ । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ହରିବୋଲ, ହୁଳହୁଳି ଧ୍ୱନୀରେ ସମଗ୍ର ୧୦୭ ଏକର ପରିମିତ ମେଳଣ ପଡିଆ କମ୍ପି ଉଠିଥିଲା । ପରେ ଅନ୍ୟ ୪ଟି ରାଜପ୍ରତିଷ୍ଠିତ ଦେବ ବିଗ୍ରହ ଯଥା ପ୍ରଭୁ ଶ୍ରୀସୋମନାଥଦେବ (ବୁଢାପଡା), ପ୍ରଭୁ ଶ୍ରୀଗତିଶ୍ୱରଦେବ (କୁସୁମାଟି ଛଣଘର), ପ୍ରଭୁ ଶ୍ରୀନୀଳକଣ୍ଠେଶ୍ୱର ଦେବ(ଭଁସର) ଓ ପ୍ରଭୁ ଶ୍ରୀବାଲୁଙ୍କେଶ୍ୱର ଦେବ (କନ୍ତିଆ)ଙ୍କ ଚଳନ୍ତି ପ୍ରତିମା ସମେତ ବିଭିନ୍ନ ଅଞ୍ଚଳରୁ ଅନ୍ୟ ୭୯ଟି ଦେବ ବିଗ୍ରହଙ୍କୁ ସୁସଜ୍ଜିତ ଦୋଳବିମାନ ମାନଙ୍କରେ ନିଆଯାଇ ମେଳଣ ପଡିଆରେ ବିଜେ କରାଯାଇଥିଲା । ଯାହାକି ରାତିତମାମ୍‌ ଚାଲିଥିଲା । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଚିତ୍ତାକର୍ଷକ ନୃତ୍ୟ ସହ ଏକାଧିକ ମଣ୍ଡପରେ ମେଲୋଡି, ଭଜନ ସମାରୋହ ଓ ଷ୍ଟାର ନାଇଟ୍‌ ଆଦି କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପୁରୀ, ବ୍ରହ୍ମପୁର, ଖୋର୍ଦ୍ଧା, ନୟାଗଡ, କଟକ, ଗଞ୍ଜାମ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୫୦ରୁ ଉର୍ଦ୍ଧ ବାଣ କାରିଗର ଏଠାରେ ସେମାନଙ୍କର ଅତ୍ୟାଧୁନିକ ଆତସବାଜି ପ୍ରଦର୍ଶନ କରିଥିବା ବେଳେ ଶତାଧିକ ମାନସୀକଧାରୀ ଭକ୍ତଙ୍କ ପକ୍ଷରୁ ମଧ୍ୟ ଆତସବାଜି ପ୍ରଦର୍ଶନ କରାଯାଇଥିଲା । ଆତସବାଜିର ପ୍ରଚଣ୍ଡ ଶବ୍ଦରେ ସମଗ୍ର ଅଞ୍ଚଳ କମ୍ପି ଉଠିବା ସହ ଆକାଶ ରଙ୍ଗିନ ହୋଇଯାଇଥିଲା । ଠାକୁରଙ୍କ ଏହି ଜମାଣ ଉତ୍ସବକୁ ଦେଖିବା ପାଇଁ ବିଭିନ୍ନ ଅଞ୍ଚଳରୁ ୩ଲକ୍ଷରୁ ଅଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଦୂରରୁ ଥାଇ ମଧ୍ୟ ଲୋକେ ଏହି ଚିତ୍ତାକର୍ଷକ ଦୃଶ୍ୟକୁ ରାତିତମାମ୍‌ ମନଭରି ଉପଭୋଗ କରିଥିଲେ।

ରବିବାର ରାତିରୁ ଗୁରୁବାର ସଂନ୍ଧ୍ୟା ପର୍ଯ୍ୟନ୍ତ ୫ଦିନ ଧରି ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଦୋଳ ବିମାନରେ ବିଜେ କରିଥିବା ୮୪ ଦେବ ବିଗ୍ରହଙ୍କୁ ଏକାଠି ଦର୍ଶନ କରିବାର ସୌଭାଗ୍ୟ ଲାଭ କରିବା ସହ ଫଗୁ ସିଞ୍ଚନ କରି ଆର୍ଶିବାଦ ଲାଭ କରିବେ । ମେଳଣ ପଡିଆରେ ପ୍ରାୟ ୭ଶହରୁ ଉର୍ଦ୍ଧ ଅସ୍ଥାୟୀ ଦୋକାନ ବଜାର ଖୋଲାଯାଇଛି । ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପୁରୀର ଅତିରିକ୍ତ ଏସ୍‌ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ ପିପିଲି ଏସ୍‌ଡିପିଓ ଦେବଦତ୍ତ ବରାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଡେଲାଙ୍ଗ ଥାନାଧିକାରୀ ଅନିଲ ମହାନ୍ତି, ଫାଣ୍ଡି ଅଧିକାରୀ ଗଦାଧର ନାୟକ ପ୍ରମୁଖ ମେଳଣ ପଡିଆରେ ଉପସ୍ଥିତ ଥିବା ବେଳେ ୨୫ ଜଣ ପୁଲିସ ଅଫିସର, ୫ପ୍ଲାଟୁନ ଫୋର୍ସ ମୂତୟନ ଥିବା ସୂଚନା ମିଳିଛି । ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ରବିବାର ସଂନ୍ଧ୍ୟା ୬ରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ପିପିଲି-ଜଟଣୀ ରାସ୍ତା ଓ କପିଳପ୍ରସାଦ ଠାରୁ ହରିରାଜପୁର ରାସ୍ତାରେ ଭାରିଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଥିଲା ।
୧୪ ଓ ୧୫ ତାରିଖ ସନ୍ଧ୍ୟାରେ ଶିଶୁମାନଙ୍କ ଦ୍ୱାରା ମନ୍ତ୍ରପାଠ ଓ ସନ୍ଧ୍ୟାଆଳତୀ କାର୍ଯ୍ୟକ୍ରମ ରହିଛି । ୧୫ତାରିଖ ଅପରାହ୍ନରୁ ସଂନ୍ଧ୍ୟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳର ୭ଶହ ସଂକୀର୍ତ୍ତନମଣ୍ଡଳୀର ୧୦ହଜାରରୁ ଉର୍ଦ୍ଧ ସଂକୀର୍ତ୍ତନିୟାଙ୍କ ଦ୍ୱାରା ‘ହରିହାଟ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ୧୬ ତାରିଖ ଗୁରୁବାର ଅପରାହ୍ନରେ ଗୋଧୂଳି ଲଗ୍ନରେ ବହୁ ପ୍ରତିକ୍ଷିତ ଠାକୁର ମେଳଣ ଉତ୍ସବ ତଥା ହରିହର ଭେଟ କାର୍ଯ୍ୟକ୍ରମ ପୂର୍ବ ବିଧି ଅନୁଯାଇ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ଓ ମେଳଣ ପରିଚାଳନା କମିଟି ପକ୍ଷରୁ୍ନ ବ୍ୟାପକ ପ୍ରସ୍ତୁତି କରାଯାଇଛି  । ୧୬୩୭ ଖ୍ରୀଷ୍ଟାବ୍ଦରୁ ଆରମ୍ଭ ହୋଇଥିବା ଏହି ପ୍ରସିଦ୍ଧ ମେଳଣକୁ ଅଧିକ ଆକର୍ଷଣୀୟ କରିବାକୁ ମେଳଣ ପରିଚାଳନା କମିଟି ସମେତ ହରିରାଜପୁର ଗ୍ରାମବାସୀ ଓ ବିଭିନ୍ନ ଯୁବ ସଂଗଠନ ସେମାନଙ୍କ ବହୁବିଧ କାର୍ଯ୍ୟକ୍ରମ ଜାରି ରଖିଛନ୍ତି ।

Comments are closed.