ହରଭଙ୍ଗା ବ୍ଲକରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ପୂର୍ବାହ୍ନ ୧୦ଟାରେ ରାସ୍ତାଘାଟ ଜନଶୂନ୍ୟ

ହରଭଙ୍ଗା: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହବୌଦ୍ଧ ଜିଲାବାସୀଙ୍କୁ ଅସହ୍ୟ କଲାଣି। ଲଗାତାର ଗ୍ରୀଷ୍ମପ୍ରବାହ ଜିଲାରେ ଜାରିରହିଛି। ନିର୍ମଳ ଆକାଶରେ ସୂର୍ଯ୍ୟଙ୍କ ପ୍ରଖର କିରଣର ପ୍ରକୋପ ଅସମ୍ଭାଳ ହୋଇପଡୁଛି। ଦିନକୁ ଦିନ ପାରଦ ଉଦ୍ଧ୍ୱର୍ଗାମୀ ହେଉଥିବାରୁ ହରଭଙ୍ଗା ବ୍ଲକ ଅଂଚଳରେ ଅଗ୍ନିବର୍ଷା ଭଳି ସ୍ଥିତି ଦେଖାଦେଇଛି। ସକାଳ ୮ଟା ପରେ ପରେ ଖରାର ପ୍ରକୋପ ଦେଖିବାକୁ ମିଳୁଛି। ପୂର୍ବାହ୍ନ ୧୦ଟା ବେଳକୁ ରାସ୍ତାଘାଟ ଜନଶୁନ୍ୟ ହୋଇପଡୁଛି।

ଏଭଳି ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ବ୍ଲକର ଜନଗହଳିପୁର୍ଣ୍ଣ ସ୍ଥାନ ହରଭଙ୍ଗା, ଚାରିଛକ, ପୁରୁଣାକଟକ, ଛତ୍ରଙ୍ଗ, ମାଧପୁର ଭଳି ସ୍ଥାନଗୁଡିକ ଜନଶୂନ୍ୟ ହୋଇଯାଉଛି। ପ୍ରଚଣ୍ଡ ଅଗ୍ନିବର୍ଷାରେ ସାଧାରଣ ଜନଜୀବନ ସନ୍ତୁଳି ହୋଇଗଲାଣି। ଗ୍ରୀଷ୍ମ ପ୍ରବାହ ସମୟରେ ବାହାରକୁ ବାହାରିବା ପାଇଁ ଲୋକଙ୍କୁ ବାରଣ କରାଯାଇଛି। ଅତି ଜରୁରୀ କାମ ନ ଥିଲେ ପୂର୍ବାହ୍ନ ୧୦ଟା ପରେ ଘରୁ ନ ବାହାରିବାକୁ କୁହାଯାଇଛି।

ଖରାରେ ଯିବାବେଳେ ଜୋତା, ଛତା ଓ ପାଣି ସାଙ୍ଗରେ ନେବାକୁ ପରାମର୍ଶ ଦିଆଯାଇଛି। ଅଂଶୁଘାତ ଜନିତ ଲକ୍ଷଣ ଦେଖାଦେଲେ ତୁରନ୍ତ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯୋଗାଯୋଗ କରିବାକୁ ଜନସାଧାରଣଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.