ଭୁତକୋଠି ପାଲଟିଛି କ୍ଷୁଦ୍ରଜଳସେଚନ ଡାକବଙ୍ଗଳା

ହରଭଙ୍ଗା: ହରଭଙ୍ଗା ବ୍ଲକ ସଦରମହକୁମା ଚାରିଛକ- ଫୁଲବାଣୀ ରାସ୍ତାକଡରେ ଥିବା କ୍ଷୁଦ୍ରଜଳସେଚନ ବଙ୍ଗଳାଟି ଭୂତକୋଠି ପାଲଟିଛି।ରକ୍ଷଣାବେକ୍ଷଣା ଅଭାବରୁ ବଙ୍ଗଳା ପରିସର ଅନାବନା ଗଛରେ ପୋତି ହୋଇପଡିବା ସହିତ ଏହା ଜନସାଧାରଣଙ୍କ କାମରେ ଆସୁନାହିଁ। ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡିଛି। ଏ ଦିଗରେ ବିଭାଗୀୟ କତୃପକ୍ଷ ଆଦୌ ଦୃଷ୍ଟିଦେଉନଥିବାରୁ ବଙ୍ଗଳା ଘର କେବଳ ଠିକାଦାର ସନ୍ତୁଷ୍ଟି ପାଇଁ ନିର୍ମାଣ ହୋଇଥିବା ମନେହେଉଛି।

ପ୍ରକାଶ ଯେ ବ୍ଲକ ସଦରମହକୁମା ଚାରିଛକ ମଧ୍ୟ ଭାଗ ଦେଇ ଖୋର୍ଦ୍ଧା-ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ ଅତିକ୍ରମ କରିଛି। ଏହି ରାସ୍ତା ଦେଇ ମନ୍ତ୍ରୀ ,ଅମଲାଠାରୁ ଆରମ୍ଭକରି ବଡ ବଡ ବାବୁଙ୍କ ଯାତାୟତ ସୁବିଧା ପାଇଁ କ୍ଷୁଦ୍ରଜଳସେଚନ ବିଭାଗର ଏକ ଡାକବଙ୍ଗଳା ସାଙ୍ଗକୁ ରାଜସ୍ୱ ବିଭାଗର ଗୋଟିଏ ଡାକବଙ୍ଗଳା ସହିତ ବନବିଭାଗର ଏକ ଡାକବଙ୍ଗଳା ରହିଛି।ମାତ୍ର ବନବିଭାଗ ଡାକବଙ୍ଗଳାକୁ ଛାଡିଦେଲେ ଅନ୍ୟ ଦୁଇ ଡାକବଙ୍ଗଳା ଭୂତକୋଠି ଅବସ୍ଥାରେ ପଡିରହିଥିବା ଦେଖିବାକୁ ମିଳିଛି।ଯାହାଫଳରେ ଡାକବଙ୍ଗଳା ନାମକୁ ମାତ୍ର ରହିଥିବାବେଳେ କୌଣସି ସରକାରୀ କାମକୁ ଆସୁନଥିବା ଦେଖିବାକୁ ମିଳିଛି।ଏ ଦିଗରେ ବିଭାଗୀୟ ଉଚ୍ଚ କତୃପକ୍ଷ ସ୍ୱତନ୍ତ୍ର ଦୃଷ୍ଟିଦେବା ସହ ଡାକବଙ୍ଗଳାର ରକ୍ଷଣାବେକ୍ଷଣା ଦିଗରେ ପଦକ୍ଷେପ ଗ୍ରହଣ ପାଇଁ ଦାବୀ ଉଠୁଛି।

Comments are closed.