ବନ୍ଧ ଉନ୍ନତିକରଣ ନାଁରେ ପୋଖରୀହୁଡ଼ା କାଟିଦେଲେ; ଜଳକଷ୍ଟରେ ଆଉଟୁପାଉଟୁ ଗଣ୍ଡାପାଜୁବାସୀ

ହରଭଙ୍ଗା: ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପାଣି ପାଇଁ ସବୁଠି ହାହାକାର ପରିସ୍ଥିତି ସୃଷ୍ଟି ହେଲାଣି। ଏଭଳି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମୟରେ ବନ୍ଧ ଉନ୍ନତିକରଣ ପାଇଁ ହିଡହାଣି ପାଣି ଶୁଖାଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଯାହାଫଳରେ ଲୋକେ ଗାଧୋଇବାଠାରୁ ଆରମ୍ଭକରି ଗାଈ ଗୋରୁ, ଛେଳି, ମେଣ୍ଢା ପାଣି ପାଇଁ ଡହଳବିକଳ ହେଉଥିବା ଦୃଶ୍ୟ ଯିଏ ଦେଖିଲେ ଆହା କରିବା ସ୍ୱାଭାବିକ। ଏଭଳି ଏକ ଘଟଣା ହରଭଙ୍ଗା ବ୍ଲକ ଦୁର୍ଗମ ତଳଗାଁ ପଂଚାୟତର ଗଣ୍ଡାପାଜୁ ଗ୍ରାମରେ ଦେଖିବାକୁ ମିଳିଛି। ଗଣ୍ଡାପାଜୁ ଗ୍ରାମ ବନ୍ଧ ଉପରେ ପ୍ରାୟ ୪ଶହ ଲୋକ ଗାଧୁଆ ପାଧୁଆ ପାଇଁ ନିର୍ଭର କରନ୍ତି।

ଅନ୍ୟପଟେ ଖରାଦିନେ ଗାଈଗୋରୁଙ୍କ ପାଇଁ ଜଳାଶୟ ନଥିବାରୁ ଅଧିକାଂଶ ଗୃହପାଳିତ ପଶୁ ଏଠାରୁ ପିଇବା ପାଣି ପାଇଁ ନିର୍ଭର କରନ୍ତି। ମାତ୍ର ବନ୍ଧ ଉନ୍ନତିକରଣ ନାଁରେ ହିଡହାଣି ଦେବାରୁ ପାଖାପାଖି ଏକମାସ ହେଲା ବନ୍ଧ ଶୁଖିଲା ପଡ଼ିଛି। ଖରାଭଳି ନିଅଣ୍ଟିଆ ସମୟରେ ଏଭଳି ବନ୍ଧକାମ କାହା ସ୍ୱାର୍ଥରେ କରାଯାଉଛି ତାକୁ ନେଇ ବଡପ୍ରଶ୍ନ ଉଠିଛି। ଏ ଦିଗରେ ବିଡିଓ ତଦନ୍ତକରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ଉଠୁଛି। ଏ ସମ୍ପର୍କରେ ତଳଗାଁ ପଂଚାୟତ ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀ ବାବୁଲା ବେହେରାଙ୍କୁ ପଚାରିବାରୁ ବର୍ତମାନ ସୁଦ୍ଧା ଗଣ୍ଡାପାଜୁ ବନ୍ଧ କାର୍ଯ୍ୟପାଇଁ କୌଣସି ଅନୁମୋଦନ ନଥିବା କହିଛନ୍ତି। ବନ୍ଧହିଡ ହାଣି ପାଣି ଶୁଖାଯିବା ଘଟଣା ବିଷୟରେ ସେ ଜାଣିନଥିବା କହିଥିଲେ।

Comments are closed.