www.samajalive.in
Thursday, December 11, 2025
14.1 C
Bhubaneswar

ଇକୋ ପାର୍କରେ ୧୧ ଠେକୁଆ ମୃତ; ରକ୍ଷଣାବେକ୍ଷଣକୁ ନେଇ ଉଠିଲା ପ୍ରଶ୍ନ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବୀରନରସିଂହପୁର ଖଜୁରୀପଡ଼ାସ୍ଥିତ ଯାଯାବର ଇକୋ ପାର୍କରେ ସୋମବାର ବିଳମ୍ବିତ ରାତିରେ ୧୧ଟି ଠେକୁଆଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଠେକୁଆ ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି। ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ଠେକୁଆମାନଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ଅନ୍ୟପଟେ ମୃତ୍ୟୁର କାରଣ ଜାଣିବା ପାଇଁ ପ୍ରଶାସନିକ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ହରଭଙ୍ଗା ପ୍ରାଣୀ ଚିକିତ୍ସା ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମୃତ ଠେକୁଆମାନଙ୍କର ମୃତଦେହ ବ୍ୟବଛେଦ କରିଛନ୍ତି। ମୃତ୍ୟୁର କାରଣ ଜାଣିବା ପାଇଁ ଭୁବନେଶ୍ୱରସ୍ଥିତ ପ୍ରାଣୀ ବିଜ୍ଞାନଗାରକୁ ନମୁନା ପଠାଯିବ ବୋଲି ହରଭଙ୍ଗା ବ୍ଲକ ପ୍ରାଣୀ ଚିକତ୍ସାଧିକାରୀ ବିରେନ୍ଦ୍ର ପୃଷ୍ଟି ସୂଚନା ଦେଇଛନ୍ତି। କେଉଁ କାରଣରୁ ସେମାନଙ୍କ ମୃତ୍ୟୁ ଘଟିଲା ତାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଖୋଳତାଡ ଆରମ୍ଭ ହୋଇଛି। ହରଭଙ୍ଗା ବିଡିଓ ସ୍ୱପ୍ନିତା ନାଏକ, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମନୋଜ ପାତ୍ର, କନିଷ୍ଠ ଯନ୍ତ୍ରୀ ଦିବ୍ୟଲୋଚନ ନାଏକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଘଟଣାର ସରଜମିନ ତଦନ୍ତ ଚଳାଇଥିବା ଜଣାପଡ଼ିଛି।

ପ୍ରକାଶ ଯେ, ଜିଲ୍ଲାରେ ବୀରନରସିଂହପୁର ପଂଚାୟତରେ ୫ଟି ଗାଁକୁ ସଂଲଗ୍ନ କରି ୧୫୦୭ ଏକର ଜଙ୍ଗଲ ଜମିରେ ରାଜ୍ୟର ଦ୍ୱିତୀୟ ନନ୍ଦନକାନନ ନିର୍ମାଣ ପାଇଁ ପ୍ରସ୍ତାବିତ ନନ୍ଦନବନ ଭଳି ଏକ ପରିବେଶ ପାର୍କ ନିର୍ମାଣ ପାଇଁ ଜିଲ୍ଲାପ୍ରଶାସନ ଅଣ୍ଟା ଭିଡିଛି। ନନ୍ଦନବନ ପ୍ରକଳ୍ପ ପାଇଁ ଭାରତ ସରକାରଙ୍କ ଅନୁମୋଦନ ମଧ୍ୟ ଲୋଡାଯାଇଛି। ଏହି ପ୍ରକଳ୍ପ ନିର୍ମାଣ ପୂର୍ବରୁ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଖଜୁରୀପଡ଼ାସ୍ଥିତ ଯାଯାବର ପାର୍ଶ୍ବରେ ଏକ ଇକୋ ପାର୍କ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଛି। ଇକୋ ପାର୍କକୁ ସରସ ସୁନ୍ଦର କରିବା ପାଇଁ ସରକାର ତହବିଲରୁ ଲକ୍ଷ ଲକ୍ଷ ଟଙ୍କା ଶ୍ରାଦ୍ଧ କରାଯାଉଛି। ମାତ୍ର ଏହି ପ୍ରକଳ୍ପ ନିର୍ମାଣ ପୂର୍ବରୁ ପ୍ରୋଗ୍ରାମିଂ ମନିଟରିଂ ୟୁନିଟସେଲ ଭଳି ମାଷ୍ଟରପ୍ଲାନ ନିର୍ମାଣ ହୋଇଛି କି ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି।

- Advertisement -

ଅନ୍ୟପଟେ ସାଧାରଣ ଲୋକଙ୍କୁ ଅନ୍ଧାରରେ ରଖି ମନଇଛା ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଥିବାବେଳେ ସେଠାରେ କିଛିଦିନ ତଳେ ଠେକୁଆ ରଖିବାପାଇଁ ଅତି ବେପାରୁଆ ଢଙ୍ଗରେ ୫୦ରୁ ଶହେଟି ସିମେଣ୍ଟ ଇଟା ଥାକେଇ ଦେଇ ଏକ ନଡା ଛାଉଁଣି ଘର ନିର୍ମାଣ କରାଯାଇଥିଲା। ଏଠାରେ ୧୧ଟି ଠେକୁଆକୁ ଆଣି ଛଡାଯାଇଥିଲା। ବୌଦ୍ଧରେ ଗ୍ରୀଷ୍ମପ୍ରବାହ ଅଧିକ ହେଉଥିବା ସତ୍ତ୍ବେ ଠେକୁଆ ଭଳି ଏକ କୋମଳପ୍ରଜାତିର ତୃଣଭୋଜି ପ୍ରାଣୀଙ୍କ ପାଇଁ ଜଳବାୟୁ, ପରିବେଶ ଭିତିଭୂମି ଏବଂ ବୈଷୟିକ ଦିଗ ଉପରେ ଆବଶ୍ୟକୀୟ ପରାମର୍ଶ ଅଭାବରୁ ଠେକୁଆଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଧଳା ଠେକୁଆଭଳି କୋମଳ ପ୍ରଜାତିର ଏହି ଗୃହପାଳିତ ତୃଣଭୋଜି ପ୍ରାଣୀଙ୍କ ପାଇଁ ତାପମାତ୍ର ୧୨ଡିଗ୍ରୀରୁ ୨୨ଡିଗ୍ରୀ ଏବଂ ଅଧିକରୁ ଅଧିକ ୩୨ଡିଗ୍ରୀ ତାପମାତ୍ରା ଆବଶ୍ୟକତା ରହିଛି। ସଜପରିବା ଏବଂ କଞ୍ଚା ଘାସ ଠେକୁଆଙ୍କ ପ୍ରମୁଖ ଖାଦ୍ୟ ହୋଇଥିବାବେଳେ ଖାଇବା, ପିଇବା ଦିଗରେ ମଧ୍ୟ ଅବହେଳା କରାଯାଇଥିବା ଅନୁମାନ କରାଯାଉଛି। ଠେକୁଆ ପ୍ରକଳ୍ପ ପାଇଁ କେତେଟଙ୍କା ଖର୍ଚ୍ଚ ହୋଇଛି ତାକୁ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇବା ସହିତ ଏହି ଘଟଣାକୁ ୭ନମ୍ବର ଜିଲ୍ଲାପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ର ଦୃଢ ନିନ୍ଦା କରିଛନ୍ତି। ଉନ୍ନୟନ ପ୍ରକଳ୍ପ ନିର୍ମାଣକୁ ସବୁବର୍ଗର ଲୋକେ ସ୍ୱାଗତ କରୁଥିବାବେଳେ ପ୍ରକଳ୍ପ ନିର୍ମାଣ ପାଇଁ କେତେ ଅନୁଦାନ କେଉଁ ବାବଦକୁ ଆସୁଛି, କେତେ ଖର୍ଚ୍ଚ ହେଉଛି ସେ ବିଷୟରେ ଜାଣିବା ପାଇଁ ସାଧାରଣ ଲୋକଙ୍କ ଅଧିକାର ରହିଛି ଏହାକୁ ସାର୍ବଜନୀନ କରିବା ପାଇଁ ସେ ଦାବୀ କରିଛନ୍ତି। ପ୍ରକଳ୍ପ ନିର୍ମାଣ ପୂର୍ବରୁ ସୂଚନା ଫଳକ ସହ ମାଷ୍ଟର ପ୍ଲାନ ଜରିଆରେ କାର୍ଯ୍ୟ କରିବାକୁ ସେ ଜିଲ୍ଲାପ୍ରଶାନକୁ ଆହ୍ୱାନ ଦେଇଛନ୍ତି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories