କ୍ରସର ବିରୋଧି ଆନ୍ଦୋଳନ, ତୃତୀୟ ଦିନରେ ଗଣଧାରଣା : ଧାରଣସ୍ଥଳରେ ସୁଦଶାବ୍ରତ ପାଳନ

ପରୀକ୍ଷା ବର୍ଜ୍ଜନ ସହ ଆନ୍ଦୋଳନରେ ସାମିଲହେଲେ ସ୍କୁଲ ପିଲା, ଆନ୍ଦୋଳନକୁ ସିପିଆଇର ସମର୍ଥନ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ତହସିଲ ଅର୍ନ୍ତଗତ ଖରଭୁଇଁଠାରେ ଚାଲିଥିବା ପଥର କୁଆଁରୀ ଓ କ୍ରସର ବିରୋଧି ଗଣଧାରଣା ଗୁରୁବାର ତୃତୀୟ ଦିନରେ ପଂହଚିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ସ୍ଥାନୀୟ ସ୍କୁଲର ଛାତ୍ରଛାତ୍ରୀ ପରୀକ୍ଷା ବର୍ଜ୍ଜନ କରି ସ୍କୁଲ ୟୁନିଫର୍ମ ପିନ୍ଧି ହାତରେ ପ୍ଲା-କାର୍ଡ ଧରି ଆନ୍ଦୋଳନରେ ସମାଲି ହୋଇଛନ୍ତି । ଅନ୍ୟପଟେ ଆନ୍ଦୋଳନରେ ସାମିଲଥିବା ମହିଳାମାନେ ଆଜି ଧାରଣସ୍ଥଳରେ ସୁଦଶାବ୍ରତ ମଧ୍ୟ ପାଳନ କରିଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକଙ୍କ କ୍ରସର ବିରୋଧି ଆନ୍ଦୋଳନରେ ସିପିଆଇ ମଧ୍ୟ ସାମିଲବା ଘଟଣା ଆନ୍ଦୋଳନକୁ ରୋଚକମୋଡକୁ ନେଇଛି। ଅପରାହ୍ନରେ ସିପିଆଇ ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ତଥା ବୌଦ୍ଧ ଜିଲ୍ଲା ଦାୟିତ୍ୱରେ ଥିବା ଦାମୋଦର ବେହେରା, ଜିଲ୍ଲା ସମ୍ପାଦକ ଭିମସେନ ଘିବ୍ଲା, ସହ-ସମ୍ପାଦକ ନେତ୍ରାନନ୍ଦ କହଁର,ପ୍ରଦୀପ କୁମାର ସାହୁ, ଜୟନ୍ତ ଦେହୁରୀ ପ୍ରମୁଖଙ୍କ ନେତୃତ୍ୱରେ ସିପିଆଇ ଜିଲ୍ଲାପରିଷଦର ସମସ୍ତ ସଭ୍ୟ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଦୃଢ ସମର୍ଥନ ଜଣାଇଛନ୍ତି । ଅପରପକ୍ଷରେ ଆନ୍ଦୋଳନର କେନ୍ଦ୍ରବିନ୍ଦୁ କୁହାଯାଉଥିବା ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଅବକାଶ ସାହୁ ଧାରଣାସ୍ଥଳରେ ନିଜର ଭାଷଣରେ ଲୋକଙ୍କୁ ସାହାସ ପ୍ରଦାନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ କମିଟି ସଭାପତି ଅକ୍ଷୟ ନାୟକ, ସମ୍ପାଦକ ହୃଦାନନ୍ଦ ଦେହୁରୀ, ତିଳୋତମା କହଁର, ସୁକୃତା ଭୋଇ, ଶୈଳବାଳା ସାହୁ, ରଞନ ବଗର୍ତୀ ପ୍ରମୁଖ ନେତୃବୃନ୍ଦ ଧାରଣାରେ ସାମିଲ ଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟହେଲା ଧାରଣାର ତିନିଦିନ ପରେ ମଧ୍ୟ ଘଟଣାସ୍ଥଳରେ କୌଣସି ଜଣେ ହେଲେ ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିବା ଜଣାପଡିଛି । ଜଙ୍ଗଲ ଜମି, ଜୀବନ ,ଜୀବିକା ସୁରକ୍ଷା ପାଇଁ ଚାଲିଥିବା ପ୍ରତୀକ ଗଣଧାରଣା ଆଗକୁ କେଉଁମୋଡ ନେଉଛି ତାହା କେବଳ ଦେଖିବାର ବାକି ରହିଛି ।

Comments are closed.