ବିଭାଗୀୟ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶଙ୍କୁ ଅବମାନନା ! ହରଭଙ୍ଗା ବ୍ଲକ ପଞ୍ଚାୟତ ପି.ଇ.ଓ  ଅଦଳବଦଳରେ ଅନିୟମିତତା ଅଭିଯୋଗ

ଏ.ବି.ଡି.ଓ, ଜି.ପି.ଇ.ଓ, ପି.ଏ, ସହକାରୀ ଯନ୍ତ୍ରୀ ଓ ଯନ୍ତ୍ରୀଙ୍କ ବଦଳି ନାହିଁ

ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକରେ ସରକାରୀ ନିୟମର ଖୋଲାଖୋଲି ଉଲ୍ଲଂଘନ କିଭଳି ଚାଲିଛି ଏହାର ଆଉ ଏକ ନମୁନା ସାମନାକୁ ଆସିଛି । ପଞ୍ଚାୟତିରାଜ ବିଭାଗ ମୁଖ୍ୟ ସଚିବ ଡି.କେ ସିଂଙ୍କ ନିର୍ଦ୍ଦେଶକୁ ଅବମାନନା କରି ହରଭଙ୍ଗା ବି.ଡି.ଓ ପଞ୍ଚାୟତ  ପି.ଇ.ଓ  ବଦଳି ନିର୍ଦ୍ଦେଶରେ ବଡଧରଣର ଅନିୟମିତତା ହୋଇଥିବା ଜଣାପଡିଛି । ପଞ୍ଚାୟତିରାଜ ମୁଖ୍ୟ ସଚିବଙ୍କ ପତ୍ର ସଂଖ୍ୟା- ୧୮୫୭୮ /୧୮/୧୦/୨୦୧୯ରେ ଗୋଟିଏ ପଞ୍ଚାୟତରେ ସର୍ବାଧିକ  ୫ବର୍ଷ କାର୍ଯ୍ୟକରିଥିବା ପି.ଇ.ଓଙ୍କୁ  ଅଲଗା ପଞ୍ଚାୟତକୁ ବଦଳି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଗୋଟିଏ ବ୍ଲକରେ ସର୍ବାଧିକ ୫ବର୍ଷ କାର୍ଯ୍ୟକରୁଥିବା ଏ.ବି.ଡି.ଓ / ଜି.ପି.ଇ.ଓ / ପି.ଏ / ସହକାରୀ ଯନ୍ତ୍ରୀ  ଏବଂ ଯନ୍ତ୍ରୀଙ୍କୁ  ନିଜ ବ୍ଲକ ବ୍ୟତୀତ ସେହି ବ୍ଲକରୁ ଅନ୍ୟ ବ୍ଲକକୁ ବଦଳି କରିବା ପାଇଁ ଏହି ଚିଠିରେ ସଚିବଙ୍କ କଡା ନିର୍ଦ୍ଦେଶ ରହିଛି ।

ଏହି ନିର୍ଦ୍ଦେଶକୁ ୩୧ ଅକ୍ଟୋବର ୨୦୧୯ ସୁଦ୍ଧା କାର୍ଯ୍ୟକାରୀ କରାଯାଇ ୫ନଭେମ୍ବର ୨୦୧୯ ସୁଦ୍ଧା ବିଭାଗୀୟ ମୁଖ୍ୟ ସଚିବଙ୍କୁ ରିପୋର୍ଟ ଦେବାପାଇଁ କଡା ନିର୍ଦ୍ଦେଶ ରହିଛି । ଏହା ସତ୍ୱେ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶକୁ ଅବମାନନା କରାଯାଇ ଦୀର୍ଘ ଅଢେଇବର୍ଷ ପରେ ବଦଳି ନିର୍ଦ୍ଦେଶ କେବଳ ପଂଚାୟତ ପିଇଓଙ୍କ କ୍ଷେତ୍ରରେ ଲାଗୁକରାଯିବା ପଛରେ ବି.ଡି.ଓଙ୍କ ମନ୍ଦ ଉଦେଶ୍ୟ ଥିବା ବୁଝାପଡୁଛି । ଅନ୍ୟପଟେ ପଂଚାୟତ ପିଇଓଙ୍କ ବଦଳିରେ ସଚିବଙ୍କ ନିର୍ଦ୍ଦେଶ ଅନୁପାଳନ ହୋଇନଥିବା ମଧ୍ୟ ସ୍ପଷ୍ଟ ହୋଇଛି । ଯାହାଫଳରେ ଗୋଟିଏ ପଂଚାୟତରେ ସର୍ବାଧିକ ୧୦ବର୍ଷ ଲେଖାଏଁ କାର୍ଯ୍ୟକରିଥିବା ପିଇଓଙ୍କ ସେଠାରୁ ବଦଳି କରାଯାଇନାହିଁ । ସେହିପରି ଗୋଟିଏ ପଞ୍ଚାୟତରେ ୫ବର୍ଷରୁ ଅଧିକ କାର୍ଯ୍ୟକରିଥିବା ପିଇଓଙ୍କୁ ସେହି ପଞ୍ଚାୟତରୁ ବଦଳି କରାନଯାଇ ଅତିରିକ୍ତ ପଞ୍ଚାୟତ ଦାୟିତ୍ୱରେ ଥିବା ପିଇଓଙ୍କୁ ବଦଳି କରାଯିବା ପଛରେ ଏକ ବଡଧରଣର ଦୁର୍ନୀତିର ଗନ୍ଧ ସାମନାକୁ ଆସିଛି ।ଏଭଳି ବେନିୟମ ବଦଳି ନିର୍ଦ୍ଦେଶନାମାକୁ ତୁରନ୍ତ ବାତିଲ କରାଯାଇ ନିୟମ ଅନୁସାରେ ପିଇଓ, ଏବି.ଡି.ଓ, ପି.ଏ, ଜି.ପି.ଇ.ଓ, ସହକାରୀ ଯନ୍ତ୍ରୀ ଏବଂ ଯନ୍ତ୍ରୀଙ୍କ କ୍ଷେତ୍ରରେ ସମାନଭାବରେ ବଦଳି ନିୟମକୁ କାର୍ଯ୍ୟକାରୀ କରିବାକୁ ଦାବି ହେଉଛି ।

prayash

ଏହା ଉପରେ ବିଭାଗୀୟ ମୁଖ୍ୟ ସଚିବ ଦୃଷ୍ଟି ଦେବା ସହ ନିୟମ ବର୍ହିଭୂତ କାର୍ଯ୍ୟକରିଥିବା ବିଭାଗୀୟ ଅଧିକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ସବୁ ମହଲରେ ଦାବି ଉଠୁଛି । ଏ ସର୍ମ୍ପକରେ ହରଭଙ୍ଗା ବି.ଡି.ଓ ସ୍ମିତା ରଥଙ୍କୁ ପଚରାଉଚରା ପାଇଁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ସୁଦ୍ଧା ତାଙ୍କ ମୋବାଇଲ ନଲାଗିବାରୁ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ସୂଚନା ଥାଉ କି  ସରକାରୀ ଯୋଜନାଗୁଡିକ ସୂଚାରୁରୂପେ କାର୍ଯ୍ୟକାରୀକୁ ଦୃଷ୍ଟିରେ  ରଖି ହରଭଙ୍ଗା ବ୍ଲକର ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟକରୁଥିବା ପଞ୍ଚାୟତ ପି.ଇ.ଓ ସ୍ତରରେ ସୋମବାର ଛୋଟଧରଣର ଅଦଳବଦଳ କରାଯାଇଛି । ବ୍ଲକରେ ୨୨ଟି ପଞ୍ଚାୟତରେ ୧୪ଜଣ ପିଇଓ କାର୍ଯ୍ୟକରୁଥିବା ବେଳେ ୧୧ଜଣ ପିଇଓଙ୍କୁ ବଦଳି କରାଯାଇଥିବା ବେଳେ ୦୩ଜଣ ପିଇଓଙ୍କୁ ଆଦୌ ଅଦଳବଦଳ ହୋଇନଥିବାରୁ ପରୋକ୍ଷରେ ସେମାନେ ବ୍ଲକ ପ୍ରଶାସନର ଗେହ୍ଲା ପୁଅ କି ବୋଲି ସାଧାରଣରେ ପ୍ରଶ୍ନଉଠୁଛି ।

ପଞ୍ଚାୟତ ସମିତି ହରଭଙ୍ଗା ପତ୍ର ସଂଖ୍ୟା-୨୬୧୩ ଅନୁସାରେ ପିଇଓ ଶରତ ପୁରୋହିତଙ୍କୁ ବନ୍ଧାପଥର, ସରସରା, ସତ୍ୟବାନ ବେଜିକୁ କଂରଜକଟା, ପୁରୁଣାକଟକ, ପୁରନ୍ଦର ଠେଲାକୁ ଲୁଣିବାହାଲ, ବାମଣ୍ଡା,ବିରଂଚି କାଲସାଏଙ୍କୁ ଛତ୍ରଙ୍ଗ, ବାଣୀଭୁଷଣପୁର, ଜଗଦୀଶ ମଲ୍ଲିକଙ୍କୁ କୁଶଙ୍ଗ, ମହାଲ୍ଲିକପଡା, ଜ୍ଞାନରଞ୍ଜନ ମିଶ୍ରଙ୍କୁ ରାଧାନଗର, ବିରଞ୍ଚିନାରାୟଣ ପଣ୍ଡାଙ୍କୁ ରାମଗଡ, ସୁଶ୍ରୀ ନମିତା ସାହୁଙ୍କୁ ସାମ୍ପୋଚ୍‌, ପ୍ରନୀତ ଗୋପାଳଙ୍କୁ ହରଭଙ୍ଗା, ସନ୍ତୋଷ କୁମାର ରଣାଙ୍କୁ ତିଲେଶ୍ୱର, ପିତାମ୍ବରପୁର, ଅନନ୍ତ ବେହେରାଙ୍କୁ ଶଙ୍କୁଲେଇ, ବୀରନରସିଂହପୁର ପଞ୍ଚାୟତ ଦାୟିତ୍ୱ ପ୍ରଦାନ କରାଯାଇଛି । ଅନ୍ୟପଟେ ତଳଗାଁ ପିଇଓ ଗୁରୁଚରଣ ସେଠୀ, ଧଳପୁର ପିଇଓ ରାଘବାନନ୍ଦ କ୍ଷେତି ଏବଂ ମଥୁରା ପିଇଓ ଶ୍ରୀମତି ନମିତା ସାହୁଙ୍କୁ ଅଦଳବଦଳ କରାଯାଇନାହିଁ ।

kalyan agarbati

Comments are closed.