ଭଗବାନ ଭରସାରେ ହରଭଙ୍ଗା ବୃହତ ପାଇପ୍‌‌ ଜଳ ଯୋଗାଣ ପ୍ରକଳ୍ପ

ନଭେମ୍ବରରେ ପୂରିବ ମିଆଦି, ୧୬ମାସ ପରେ ବି ସରିନି ୫୦ ପ୍ରତିଶତ କାର୍ଯ୍ୟ

ହରଭଙ୍ଗା: ବହୁତ ଦିନର ଦାବୀ ପରେ ହରଭଙ୍ଗାଠାରେ ଜଳ ଜୀବନ ମିଶନ ଯୋଜନାରେ ବୃହତ ପାଇପ୍‌‌ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ନିର୍ମାଣାଧିନ ରହିଛି। ପ୍ରକଳ୍ପ ନିର୍ମାଣ ମିଆଦି ୨ବର୍ଷ ରହିଥିବାବେଳେ ନିର୍ମାଣର ୧୬ମାସ ପରେ ବି ୫୦ ପ୍ରତିଶତରୁ କମ୍‌‌ କାର୍ଯ୍ୟ ସରିଥିବା ଜଣାପଡ଼ିଛି। ପ୍ରକଳ୍ପ ନିର୍ମାଣ ଦାୟିତ୍ୱରେ ଥିବା ଅଧିକ୍ଷଣ ଯନ୍ତ୍ରୀ ଏବଂ ସହକାରୀ ଯନ୍ତ୍ରୀଙ୍କ ତଦାରଖ ସଠିକଭାବେ ହେଉନଥିବାରୁ ଟେଣ୍ଡରଧାରୀ କମ୍ପାନୀ ପ୍ରକଳ୍ପ କାର୍ଯ୍ୟ ମନଇଛା ଚଳାଇଛି। ମୁଖ୍ୟତଃ ପ୍ରକଳ୍ପ ଆରମ୍ଭରୁ ସାଧାରଣ ଲୋକଙ୍କୁ ଅନ୍ଧାରରେ ରଖି ବିନା ସୂଚନା ଫଳକରେ ନିର୍ମାଣକାର୍ଯ୍ୟ କରାଯିବା ପ୍ରକଳ୍ପର ସ୍ୱଚ୍ଛତା ଉପରେ ପ୍ରଶ୍ନଚିହ୍ନ ଲଗାଇଛି। ଅନ୍ୟପଟେ ଦାୟିତ୍ୱରେ ଥିବା ଯନ୍ତ୍ରୀ ଏହାକୁ ଅଣଦେଖା କରିବା କମ୍ପାନୀ ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାକୁ ମଧ୍ୟ ପଦାରେ ପକାଇଛି।

prayash

ସୂଚନା ଅନୁସାରେ, ଜଳ ଜୀବନ ମିଶନ ଯୋଜନାରେ ହରଭଙ୍ଗା ବ୍ଲକର ସମସ୍ତ ଜନସାଧାରଣଙ୍କ ପିଇବା ପାଣି ସମସ୍ୟା ଦୂର ପାଇଁ ୧୯୫କୋଟି୭୦ଲକ୍ଷ ଟଙ୍କା ବ୍ୟୟବରାଦରେ ବୃହତ ପାଇପ୍‌‌ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଗତ ୧୫ ନଭେମ୍ବର ୨୦୨୧ରୁ ଆରମ୍ଭ ହୋଇଛି। ପ୍ରକଳ୍ପ ନିର୍ମାଣ ସମୟ ୨ବର୍ଷ ରହିଥିବାବେଳେ ଏହାର ମିଆଦି ଆସନ୍ତା ୧୪ ନଭେମ୍ବର ୨୦୨୩ରେ ଶେଷ ହେବ। ନିର୍ମାଣକାର୍ଯ୍ୟର ୧୬ମାସପରେ ୩୮ଟି ଓଭରହେଡ ଟ୍ୟାଙ୍କ ନିର୍ମାଣ ଆବଶ୍ୟକତା ଥିବାବେଳେ ସେଥିରୁ ମାତ୍ର ୫ଟି ଓଭରହେଡ ଟ୍ୟାଙ୍କ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଗୋଟିଏ ଓ୍ବାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ କାର୍ଯ୍ୟ ମଧ୍ୟ ଏଯାଏଁ ସମ୍ପୂର୍ଣ୍ଣ ହୋଇପାରିନାହିଁ। ୭୮୦ କିଲୋମିଟର ପାଇପ୍‌‌ ଲାଇନ କାର୍ଯ୍ୟରୁ ମାତ୍ର ୧୮୦ କିଲୋମିଟର ପାଇପ୍‌‌ ଲାଇନ କାର୍ଯ୍ୟ ସରିଥିବା ସୂଚନା ମିଳିଛି।ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କଛପ ଗତିରେ ଚାଲୁଥିବା ନେଇ ଏକ ଶୀର୍ଷକ ଖବର ଗତ ୨୦ ଫେବୃୟାରୀ ସମାଜରେ ପ୍ରକାଶ ପାଇଥିଲା। ଏହାପରେ ବୌଦ୍ଧ ଜିଲ୍ଲାପାଳ ସତ୍ୟରଞନ ସାହୁ ପ୍ରକଳ୍ପ ନିର୍ମାଣର ସବିଶେଷ ତଥ୍ୟ ଜଳ ଓ ପରିମଳ ବିଭାଗକୁ ପତ୍ର ମାଧ୍ୟମରେ ମାଗିବା ସହିତ ସୂଚନା ଫଳକ କାହିଁକି ଲାଗିନାହିଁ ସେ ବିଷୟରେ ଉତ୍ତର ମାଗିଥିଲେ। ଗତକାଲି ଅର୍ଥାତ୍‌‌ ୧୬ତାରିଖ ନିଜେ ଜିଲ୍ଲାପାଳ ହରଭଙ୍ଗାଠାରେ ନିର୍ମାଣାଧିନ ପ୍ରକଳ୍ପ କାର୍ଯ୍ୟ ତଦାରଖ ପାଇଁ ପହଞ୍ଚିଥିଲେ। ପ୍ରକଳ୍ପ ମିଆଦି ସମୟ ଅଧିକ୍ଷଣ ଯନ୍ତ୍ରୀଙ୍କୁ ପଚାରିବା ସହିତ କାର୍ଯ୍ୟର ଅଗ୍ରଗ୍ରତି ଉପରେ ପଚରାଉଚରା କରିଥିଲେ।୨୦୨୩ ଡିସେମ୍ବର ସୁଦ୍ଧା ପ୍ରକଳ୍ପ ସରିବ ବୋଲି ଯନ୍ତ୍ରୀ ଜିଲ୍ଲାପାଳଙ୍କୁ କହିଥିଲେ। ଏହା ସହିତ ୧୮୦ କିଲୋମିଟର ପାଇପ୍‌‌ ଲାଇନ ସରିଥିବାବେଳେ ୪୫୦ କିଲୋମିଟର ପାଇପ ଲାଇନ ପଡ଼ିଥିବା କଥା କହି ଜିଲ୍ଲାପାଳଙ୍କୁ ଯନ୍ତ୍ରୀ ଭୁଆଁ ବୁଲାଇଥିଲେ। ଅନ୍ୟପଟେ ୩୮ଟି ଓଭର ହ୍ୟାଡ ଟ୍ୟାଙ୍କ ନିର୍ମାଣ ହେବାକୁଥିବାବେଳେ ବର୍ତମାନ ସୁଦ୍ଧା ୨ଟିର କାର୍ଯ୍ୟ ଶେଷପର୍ଯ୍ୟାୟରେ ପଂହଚିଥିବା ଜଣାପଡ଼ିଛି। ମିଆଦି ପୁରିବାକୁ ଆଉ ୮ ମାସ ସମୟ ବାକି ରହିଥିବା ବେଳେ ବର୍ତମାନ ସୁଦ୍ଧା ୫୦ ପ୍ରତିଶତରୁ କମ୍‌‌ ନିର୍ମାଣ କାର୍ଯ୍ୟ ସରିଛି। ଯଦି ଆଉ ସମୟ ମିଆଦି ୬ମାସ ବି ବୃଦ୍ଧି କରାଯାଏ, ତା’ ଭିତରେ ବି ପ୍ରକଳ୍ପ କାର୍ଯ୍ୟ ଶେଷ ହେବ କି ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପଂଚାୟତିରାଜ ମନ୍ତ୍ରୀଙ୍କ ଜିଲ୍ଲାରେ ଖୋଦ୍‌‌ ତାଙ୍କ ବିଭାଗର ଜଳ ଓପରିମଳ ବିଭାଗ ଅଧିନରେ ବୃହତ୍‌‌ ପାଈପ୍‌‌ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲୁରହିଛି। ମାତ୍ର ଜିଲ୍ଲାରେ ଜଳ ଓ ପରିମଳ ଅଧିକ୍ଷଣ ଯନ୍ତ୍ରୀ ପଦବୀ ଖାଲିପଡ଼ିବା ଯୋଗୁଁ ପ୍ରକଳ୍ପ କାର୍ଯ୍ୟ ତଦାରଖ ସଠିକ୍‌‌ ଭାବେ ହୋଇପାରୁନଥିବାରୁ ନିର୍ମାଣ କାର୍ଯ୍ୟରେ ବିଳମ୍ବ ଘଟୁଛି। ଅନ୍ୟପଟେ ବ୍ଲକ ଜଳଓ ପରିମଳ ଯନ୍ତ୍ରୀଙ୍କ ହେଡକ୍ୱାର୍ଟରରେ ବହୁ ସମୟରେ ଅନୁପସ୍ଥିତି ରହୁଥିବାରୁ ହରଭଙ୍ଗା ବୃହତ୍‌‌ ପାଇପ୍‌‌ ଜଳ ଯୋଗାଣ ପ୍ରକଳ୍ପ ବର୍ତ୍ତମାନ ଭଗବାନ ଭରସାରେ ଚାଲୁଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି। ସାଧାର ଲୋକଙ୍କ ଟିକସ ପଇସାରେ ନିର୍ମାଣ ହେଉଥିବା ଏତେ ବଡ ପ୍ରକଳ୍ପ ଦିଗରେ ମନ୍ତ୍ରୀ ତଥା ଜିଲ୍ଲାପାଳ ତୀକ୍ଷ୍ନ ଦୃଷ୍ଟି ଦେବାର ଜରୁରୀ ହୋଇପଡ଼ିଛି। ନଚେତ୍‌‌ ସରକାର କା ମାଲ ଦରିଆ ମେ ଡାଲ ନ୍ୟାୟରେ ଯନ୍ତ୍ରୀ ଓକମ୍ପାନୀ କର୍ତ୍ତୃପକ୍ଷଙ୍କ ମଧୁଚନ୍ଦ୍ରିକାରେ ପ୍ରକଳ୍ପ କାର୍ଯ୍ୟ ଯେନତେନ ଉପାୟରେ ସାରିଦେଇ ଛୁ ମାରିବା ସାର ହେବ ବୋଲି ସାଧାରଣରେ ମତପ୍ରକାଶ ପାଉଛି। ଏ ସମ୍ପର୍କରେ ଜଳ ଓ ପରିମଳ ଅଧିକ୍ଷଣ ଯନ୍ତ୍ରୀଙ୍କୁ ପଚାରିବାରୁ ବର୍ତମାନ ସୁଦ୍ଧା ୫ଟି ଓଭର ହ୍ୟାଡ ଟ୍ୟାଙ୍କ କାର୍ଯ୍ୟ ଆରମ୍ଭ ହୋଇଛି। ୧୮୦ କିଲୋମିଟର ପାଇପ୍‌‌ ଲାଇନ କାର୍ଯ୍ୟ ସରିଥିବାବେଳେ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହୋଇନାହିଁ। ନଭେମ୍ବର ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ସରିବା ନେଇ ସେ ବି ଆଶଙ୍କା ପ୍ରକାଶ କରିଛନ୍ତି। ସୂଚନା ଫଳକ ବିଷୟରେ ପଚାରିବାରୁ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ପାଖରେ ଏବେ ଲଗାଇଯାଇଛି। ଆହୁରି ମଧ୍ୟ ଲଗାଯିବାକୁ କମ୍ପାନୀକୁ ନିର୍ଦ୍ଦେଶ ଦିଆଯାଇଛି।

 

Comments are closed.