ହରଭଙ୍ଗାରେ ଖୋଲିବ ସବୁଦିନ ପଶୁ ଡାକ୍ତରଖାନା; ନିର୍ଦ୍ଦେଶ ଦେଲେ ସି.ଡି.ଭି.ଓ

ହରଭଙ୍ଗା: ୫ଟି ମୋ ସରକାରରେ ସାମିଲ ପରେ ବି ହରଭଙ୍ଗା ବ୍ଲକରେ ପ୍ରାଣୀ ଚିକିତ୍ସା ବିପର୍ଯ୍ୟସ୍ତ ହୋଇପଡିଥିବା ଏକ ଶୀର୍ଷକ ଖବର ସୋମବାର ‘ସମାଜ’ ଦୈନିକ ଖବରକାଗଜରେ ପ୍ରକାଶ ପାଇଥିଲା । ଖବରପଢି ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ବୌଦ୍ଧ ମୁଖ୍ୟ ପଶୁ ଚିକିତ୍ସାଅଧିକାରୀଙ୍କୁ ତଦନ୍ତ କରି ଏକ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ତାଙ୍କ ନିର୍ଦ୍ଦେଶ ଅନୁସାରେ ଗତକାଲି (ସୋମବାର) ଅପରାହ୍ନ ୫ଟା ସମୟରେ ବୌଦ୍ଧ ମୁଖ୍ୟ ପଶୁ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ କୁମାର ରଥ ଏବଂ ଏ.ଡି.ଭି.ଓ ଡାକ୍ତର ପ୍ରଫୁଲ୍ଲ କୁମାର ନାୟକ ପ୍ରମୁଖ ହରଭଙ୍ଗା ପଶୁ ଡାକ୍ତରଖାନାରେ ପଂହଚିଥିଲେ ।

ଡାକ୍ତରଖାନାର ଭିତ୍ତିଭୂମି ଆନୁସଙ୍ଗିକ ଅସୁବିଧା ସୁବିଧା ବୁଲି ଦେଖିବା ସହିତ ହରଭଙ୍ଗା ବ୍ଲକ ପଶୁଚିକିତ୍ସା ଅଧିକାରୀ ଡାକ୍ତର ବିରେନ୍ଦ୍ର ପୃଷ୍ଟିଙ୍କୁ ହେର୍ଡକ୍ୱାର୍ଟର ହରଭଙ୍ଗାରେ ରହି କାମକରିବାକୁ ନିର୍ଦ୍ଦେଶ ଦେଇଥିଲେ ।ଏହା ସହିତ ଏଠାରେ ନିୟୋଜିତଥିବା ଏମ.ଭି.ୟୁ ଡାକ୍ତର ପ୍ରତିଭା ପାଢୀଙ୍କୁ ମଧ୍ୟ ହରଭଙ୍ଗାରେ ରହି ନିଜ ଭ୍ରାମ୍ୟମାଣ ଚିକିତ୍ସା ଗାଡିରେ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ତୁରନ୍ତ ଏ ଦିଗରେ ବିଭାଗ ପକ୍ଷରୁ ସମସ୍ତ ଅଧିକାରୀଙ୍କୁ ଚିଠି ମାଧ୍ୟମରେ ସୂଚନା ଦିଆଯିବ ବୋଲି ସି.ଡି.ଭି.ଓ କହିଛନ୍ତି । ସି.ଡି.ଭି.ଓଙ୍କ ଗସ୍ତ ସମୟରେ ସେଠାରେ ୧୦ରୁ ୧୫ଜଣ ଚାଷୀ ପହଞ୍ଚି ପଶୁ ଡାକ୍ତରଖାନାର ଦୂରାବସ୍ଥା ବିଷୟରେ ତାଙ୍କର ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡିଛି ।

ହେଲେ ସ.ଡି.ଭି.ଓଙ୍କ ନିର୍ଦ୍ଦେଶ ଏବଂ ୫ଟି ସରକାରଙ୍କ ନିୟମକୁ ସରକାରୀ ବାବୁମାନେ କେତେଦୂର ପାଳନ କରୁଛନ୍ତି ତାହା କେବଳ ଆଗକୁ ଦେଖିବା ବାକି ରହିଛି ।ସୂଚନା ଥାଉ କି ଗତ ୨୦୧୨ ମସିହାରୁ ହରଭଙ୍ଗା ପଶୁ ଡାକ୍ତରଖାନାରେ ଦୁଇଟି ଡାକ୍ତର ପଦବୀ ଖାଲିପଡିଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ଏଠାରେ ଡାକ୍ତର ପଦବୀ ପୂରଣ ହୋଇଥିଲେ ମଧ୍ୟ ବାବୁମାନେ ହେର୍ଡକ୍ୱାର୍ଟରରୁ ୨୦ରୁ୨୫ କିମି ଦୂରରେ ରହି ପଶୁ ସେବା ଯୋଗାଇଦେବା ଭଳି ବିକଳ ଚିତ୍ର ବାରମ୍ବାର ନଜରକୁ ଆସିଥିଲା ।

Comments are closed.