ହଜ୍‌ ଯାତ୍ରା: ଏବର୍ଷ ଯିବେ ୧ .୭୫ଲକ୍ଷ ଭାରତୀୟ

ନୂଆଦିଲ୍ଲୀ: ଚଳିତବର୍ଷ ୧ ଲକ୍ଷ ୭୫ ହଜାର ୨୫ଜଣ ଭାରତୀୟ ହଜ୍‌ ଯାତ୍ରାରେ ଯିବେ। ଏ ନେଇ ଭାରତ ଓ ସାଉଦି ଆରବ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଛି। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ସ୍ମୃତି ଇରାନୀ ଓ ବୈଦେଶିକ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଭି.ମୁରଲୀଧରନ ସାଉଦି ଆରବ ଯାଇ ସେଠାକାର ମନ୍ତ୍ରୀ ଡ. ତୈଫିକ ବିନ ଫୱାନଙ୍କୁ ଭେଟିଥିଲେ। ଆଲୋଚନା ପରେ ହଜ୍‌ ଯାତ୍ରୀଙ୍କ ସଂଖ୍ୟାକୁ ନେଇ ଭାରତ ଓ ସାଉଦି ଆରବ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ହଜ୍‌ କମିଟି ମାଧ୍ୟମରେ ୧ ଲକ୍ଷ ୪୦ ହଜାର ୨୦ଜଣ ଓ ଘରୋଇ ସଞ୍ଚାଳକଙ୍କ ମାଧ୍ୟମରେ ୩୫ ହଜାର ୫ଜଣ ଯାତ୍ରୀ ହଜ୍‌ ଯାତ୍ରାରେ ଯିବେ ବୋଲି ଜଣାପଡ଼ିଛି।

ଏ ସମ୍ପର୍କରେ ସ୍ମୃତି ଇରାନୀ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ଭାରତ ଓ ସାଉଦି ଆରବ ମଧ୍ୟରେ ହଜ୍‌ ଯାତ୍ରୀଙ୍କ ସଂଖ୍ୟାକୁ ନେଇ ବେଶ୍‌ ଫଳପ୍ରଦ ଆଲୋଚନା ହୋଇଥିଲା। ହଜ୍‌ ଯାତ୍ରୀଙ୍କୁ ଭାରତ ସରକାରଙ୍କ ତରଫରୁ ଯେଉଁ ସବୁ ସୁବିଧା ପ୍ରଦାନ କରାଯାଉଛି ତାହାକୁ ସାଉଦି ଆରବ ମନ୍ତ୍ରୀ ପ୍ରଶଂସା କରିଥିଲେ। ସେହିପରି ଭାରତୀୟ ହଜ୍‌ ଯାତ୍ରୀଙ୍କୁ ସାଉଦି ଆରବ ସରକାର ସମସ୍ତ ସହାୟତା ଯୋଗାଇ ଦେବେ ବୋଲି ସ୍ମୃତି ଇରାନୀ ସୂଚନା ଦେଇଥିଲେ। ସ୍ମୃତି ଇରାନୀ ଓ ମୁରଲୀଧରନ ଜିଦ୍ଦାସ୍ଥିତ କିଙ୍ଗ୍‌ ଅବୁଲାଜିଜ୍‌ ଅନ୍ତର୍ଜାତୀୟ ବିମାନବନ୍ଦରର ହଜ୍‌ ଟର୍ମିନାଲ ବୁଲି ଦେଖିଥିଲେ। ଏହି ଟର୍ମିନାଲରେ ହଜ୍‌ ଯାତ୍ରୀଙ୍କ ନିମନ୍ତେ ଥିବା ବ୍ୟବସ୍ଥାକୁ ସେମାନେ ଅନୁଧ୍ୟାନ କରିଥିଲେ। ସ୍ମୃତି ଓ ମୁରଲୀଧରନ ସାଉଦି ଆରବର ଧାର୍ମିକ ବ୍ୟାପାର ନିର୍ଦେଶାଳୟର ସଭାପତି ପ୍ରଫେସର ଅଲ୍ଲି ଏରବାସ୍‌ ଓ ମନ୍ତ୍ରୀ ଡକ୍ଟର ନଇମ ବିନ୍‌ ମୋଖତାରଙ୍କୁ ପୃଥକ୍‌ ପୃଥକ୍‌ ଭାବେ ଭେଟିଥିଲେ। ହଜ୍‌ ଯାତ୍ରା ସୁରୁଖୁରୁରେ ସମ୍ପନ୍ନ ହେବା ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ହଜ୍‌ ଯାତ୍ରୀଙ୍କୁ ଆବଶ୍ୟକ ସ୍ବାସ୍ଥ୍ୟ ସେବା ପ୍ରଦାନ ଉପରେ ଗୁରୁତ୍ବାରୋପ କରାଯାଇଥିଲା।

ସୂଚନାଥାଉ କି ସ୍ମୃତି ଇରାନୀ ଓ ମୁରଲୀଧରନ ଦୁଇଦିନିଆ ସାଉଦି ଆରବ ଗସ୍ତରେ ଯାଇ ଜିଦ୍ଦା ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ସେମାନଙ୍କୁ ସାଉଦି ଆରବ ସରକାରଙ୍କ ତରଫରୁ ସ୍ବାଗତ କରାଯାଇଥିଲା। ସୋମବାର ସ୍ମୃତି ଇରାନୀ ସାଉଦି ଆରବରେ ଥିବା ଭାରତୀୟଙ୍କୁ ଭେଟିଥିଲେ। ଗତ କିଛିବର୍ଷ ହେବ ଭାରତ ଓ ସାଉଦି ଆରବ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ବେଶ୍‌ ବୃଦ୍ଧି ପାଇଛି। ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ଗସ୍ତ ଏହି ସମ୍ପର୍କକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।

Comments are closed.