ଚାକିରି ଦେବା ନାଁରେ କୋଟି କୋଟି ଟଙ୍କା ଠକେଇ

କଟକ : ଚାକିରି ଦେବା ନାଁ ରେ କୋଟି କୋଟି ଟଙ୍କା ଠକେଇ ମାମଲା ସାମ୍ନାକୁ ଆସିଛି । ପୁଅ ଝିଅ ଓ ସ୍ୱାମୀଙ୍କୁ ଠକେଇରେ ସାମିଲ କରାଇ ରାଜ୍ୟ ଓ ରାଜ୍ୟ ବାହାରରୁ ଏକାଧିକ ଚାକିରି ଆଶାୟୀଙ୍କଠାରୁ ଟଙ୍କା ଠକି ନେଇଛନ୍ତି ଜଣେ ମହିଳା । ପୁଅ ଡାନିଏଲ ରାଜ ଗିରଫ ପରେ ଧିରେ ଧିରେ ଠକେଇର କଳାକାରନାମାର ଗୁମର ଖୋଲୁଛି ।

ସରକାରୀ ଚାକିରି ଦେବାକୁ କହି ସାରା ରାଜ୍ୟରେ ଏକାଧିକ ଆଶାୟୀଙ୍କ ଠାରୁ କୋଟି କୋଟି ଟଙ୍କା ଠକେଇ କରିଛନ୍ତି ପୁରା ପରିବାର। ରେଳବାଇ, ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନ, ଓଡ଼ିଶା ଲୋକସେବା ଆୟୋଗ ମାଧ୍ୟମରେ ହେଉଥିବା ବିଭିନ୍ନ ନିଯୁକ୍ତି ପରୀକ୍ଷାରେ ଚାକିରି କରାଇ ଦେବାକୁ କହୁଥିଲେ କଟକ ବିଡ଼ାନାସୀର ସମର୍ପିତା ଚୌଧୁରୀ । ଆଉ ଏଥିରେ ପୁଅ ଡାନିଏଲ ଓ ତାଙ୍କ ସ୍ୱାମୀ ସହଯୋଗ କରୁଥିଲେ । ସମର୍ପିତା ପ୍ରିୟଙ୍କା ପ୍ରିୟଦର୍ଶିନୀ ନାମକ ଜଣେ ଯୁବତୀକୁ ତାଙ୍କ ଝିଅ ପରିଚୟ ଦେଇ ପଞ୍ଚାୟତିରାଜ ବିଭାଗର ବରିଷ୍ଠ ଆଇଏଏସ୍ ଅଧିକାରୀ ବୋଲି କହିଥିଲେ। ଏହାପରେ ଆଶାୟୀଙ୍କ ବିଶ୍ୱାସ ବଢାଇ କୋଟି କୋଟି ଟଙ୍କା ଠକି ଚାଲିଥିଲେ । କେବଳ ଓଡିଶା ନୁହେଁ ଓଡିଶା ବାହାରୁ‌ ମଧ୍ୟ ଏକାଧିକ ଆଶାୟୀ ଙ୍କ ଠାରୁ ଟଙ୍କା ଠକିଥିବା ଅଭିଯୋଗ ହୋଇଛି। ବିଡାନାସୀ ଥାନାରେ ତାଙ୍କ ନାଁ ରେ ଆଜି ପୁଣି ଆଉ ଦୁଇଟି ମାମଲା ରୁଜୁ ହୋଇଛି।

ଅଭିଯୋଗ ଅନୁଯାୟୀ ସମର୍ପିତା ଭୁବନେଶ୍ଵରରେ ଏକ କନସଲଟାନସି ସଂସ୍ଥା ଖୋଲିଥିଲେ। ଏକାଧିକ ବ୍ୟକ୍ତିଙ୍କୁ ସେଠାରେ ରଖି ଆଶାୟୀ ଙ୍କ ଠାରୁ କାଗଜପତ୍ର ନେଇ ଚାକିରି ଦେବ ବୋଲି କହୁଥିଲେ। ହେଲେ ଆଶାୟୀ ପ୍ରାର୍ଥୀ ଯେତେବେଳେ ଜାଣିବାକୁ ପାଇଲେ ଏଭଳି ଠକେଇ ହୋଇଛି ଏହାପରେ ବିଡାନାସୀ ଥାନାରେ ଏତଲା ଦେଇଥିଲେ। ଗତକାଲି ପୁଅ ଡାନିଏଲ ରାଜକୁ ଗିରଫ କରିବା ପରେ ଆଜି ତା ଘରେ ତାଲା ଝୁଲୁଛି। ସମର୍ପିତା ତାଙ୍କ ସ୍ୱାମୀ ଏବଂ ଏହି ଘଟଣାରେ ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଛି। ତେବେ ସମସ୍ତେ ଫେରାର ଥିବା ପୋଲିସ ଜାଣିବାକୁ ପାଇଛି। ପୁଅ ଡାନିଏଲ କୁ ରିମାଣ୍ଡରେ ଆଣିବା ପାଇଁ ପୁଲିସ ଯୋଜନା କରୁଥିବା ବେଳେ ଏଥିରେ ରାଜ୍ୟ ବାହାରର ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଛି। ଆଉ ଯେଉଁମାନେ ଠକାମୀର ଶିକାର ହୋଇଛନ୍ତି ସେମାନେ ମଧ୍ୟ ପୋଲିସ ନିକଟରେ ଅଭିଯୋଗ କରନ୍ତୁ ବୋଲି ଅତିରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡା କହିଛନ୍ତି ।

Comments are closed.