ଜୁଆଖେଳରେ ହାରି ପତ୍ନୀକୁ ବଳାତ୍କାରୀ ହାତକୁ ଟେକିଦେଲା ପତି !

0

ବାଲେଶ୍ୱର: ବାଲିଆପାଳ ଥାନା ବାଲିକୁଟ ଅଞ୍ଚଳରେ ଜୁଆଖେଳରେ ହାରି ପତ୍ନୀକୁ ପର ପୁରୁଷ ହାତରେ ବଳାତ୍କାର ପାଇଁ ଟେକିଦେବା ପରି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ସଭ୍ୟ ସମାଜରେ ଏଭଳି ଘଟଣା ଶୁଣିବାକୁ ଖରାପ ଲାଗୁଥିଲେ ବି ଘଟଣାର ସତ୍ୟତା ରହିଥିବା ପୁଲିସ କହିଛି । ହାତଧରି ସାତଜନ୍ମ ପାଇଁ ସାଥୀ କରିବାକୁ ଶପଥ ନେଇଥିବା ସ୍ୱାମୀ ପର ପୁରୁଷ ହାତକୁ ବଳାତ୍କାର ପାଇଁ ଟେକିଦେବା ଓ ବଳାତ୍କାର ସମୟକୁ ଉପଭୋଗ କରିବା ଘଟଣା ପରେ  ଏହି ଘଟଣାକୁ ଅନ୍ୟ ପାଖରେ ନ କହିବା ଓ କହିବା ପରେ ନିସ୍ତୁକ ମାଡ଼ ମାରିବା ଘଟଣା ପୀଡ଼ିତାଙ୍କୁ ଯମଯନ୍ତ୍ରଣା ଦେଇଛି। ଏନେଇ ମହିଳାଙ୍କ ଆଖିରୁ ଲୁହ ଶୁଖୁ ନ ଥିବା ବେଳେ ମହିଳାଙ୍କ ବୃଦ୍ଧ ପିତା ହତବାକ ହୋଇ ଯାଇଛନ୍ତି। ଉଭୟ ଏସପିଙ୍କ ନିକଟକୁ ଗୁହାରୀ କରିବାକୁ ଆସିଥିଲେ। ବାଲିଆପାଳ ପୁଲିସ କାର୍ଯ୍ୟାନୁଷ୍ଠାନ ନେଉ ନ ଥବା ପୀଡ଼ିତା ଜଣକ ଅଭିଯୋଗ କରି ଏସପିଙ୍କ ନିକଟରେ ପହଞ୍ଚିଥିବା ବେଳେ ତାଙ୍କ ଅନୁପସ୍ଥିତିରେ କାର୍ଯ୍ୟାଳୟରେ ମହିଳା କର୍ମଚାରୀ ପୀଡ଼ିତାଙ୍କ ସହ ଆଲୋଚନା କରିଥିଲେ।

ଘଟଣା ସମ୍ପର୍କରେ ପୀଡ଼ିତା ମହିଳା କହିଛନ୍ତି ଯେ ୨୩ ତାରିଖ, ବୁଧବାର ରାତି ପ୍ରାୟ ୧୧ଟା ସମୟରେ ସ୍ୱାମୀ ତାଙ୍କୁ ଘରଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂରେ ଥିବା ମାଛଗଡ଼ିଆ ବାଡ଼ିକୁ ଯିବାକୁ ଡାକିଥିଲେ। ସେ ଯିବାକୁ ମନା କରିବା ପରେ ବାଧ୍ୟକରି ଡାକିଥିଲେ ଓ ସେ ସ୍ୱାମୀ ଓ ଶାଶୁଙ୍କ ଜାଣତରେ ସେଠାକୁ ଯାଇଥିଲେ । ବାଡ଼ିଠାରୁ କିଛିବାଟ ଦୂରରେ ଥିବା ବେଳେ ସେହି ଅଞ୍ଚଳର ଅଭି ନାମକ ଯୁବକକୁ ଦେଖିଥିଲେ । ଅଭିକୁ ଦେଖିବା ପରେ ସ୍ୱାମୀ କାର୍ତ୍ତିକ ତାଙ୍କ ଦେହରୁ ଲୁଗା କାଢ଼ି ଦେବା ସହ ଅଭିକୁ ‘ମନ ଖୁସି’ କରିବାକୁ କହିଥିଲେ। ପରେ ଅଭି ତାଙ୍କୁ ବଳାତ୍କାର କରିଥିଲେ। ପାଟି କରିବାରୁ ସେ ତାଙ୍କ ପାଟିରେ ଲୁଗା ଭର୍ତ୍ତି କରି ଦେଇଥିଲେ। ସବୁ ଘଟଣା ଦେଖୁଥିବା ସ୍ୱାମୀ ତାଙ୍କୁ ଉଦ୍ଧାର ନ କରି ବରଂ ଘଟଣା ପରେ ସେଠାରୁ ତାଙ୍କୁ ଘରକୁ ନେଇ ଆସିଥିଲେ ଓ କାହାରିକୁ କହିବାକୁ ମନା କରି ଦେଇଥିଲେ। ହେଲେ ସେ ଏହି ଘଟଣା ନିଜର ଭଉଣୀ ଓ ବାପାଙ୍କୁ ଜଣାଇ ଦେଇଥିଲେ। ଘଟଣା ବାହାରକୁ ଜଣାପଡ଼ିବା ପରେ ସ୍ୱାମୀ କାର୍ତ୍ତିକ ତାଙ୍କୁ ନିସ୍ତୁକ ମାଡ଼ ମାରିବା ସହ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି ।  ଏନେଇ ପୀଡ଼ିତାଙ୍କ ବାପାଙ୍କ ଗାଁର ଭଦ୍ର ଲୋକଙ୍କ ସହ ଆଲୋଚନା କରିଥିଲେ । ହେଲେ ୨୪ ତାରିଖ ରାତି ପର୍ଯ୍ୟନ୍ତ ଘଟଣା ସମାଧାନ ହୋଇ ପାରି ନ ଥିଲା । ଗାଁର ଭଦ୍ରଲୋକ ଆଉ ଦୁଇ ଦିନ ସମୟ ମାଗିଥିଲେ  । ହେଲେ ସୁରକ୍ଷା ଦୃଷ୍ଟିରୁ ପୀଡ଼ିତା ଜଣକ ବାପାଙ୍କ ଘରକୁ ପଳାଇ ଆସିଥିଲେ। ଏହି ଘଟଣାର କୌଣସି ସମାଧାନ ହୋଇନପାରିବାରୁ ୨୮ ତାରିଖ, ସୋମବାର ଦିନ ପୀଡିତା ପୁଲିସରେ ଅଭିଯୋଗ କରିଥିଲେ। ତେବେ ପୁଲିସ ଅଭିଯୋଗ ପାଇ ମାମଲା ରୁଜୁ କରି ନଥିବା ଅଭିଯୋଗ ହୋଇଛି । ଏହାପରେ  ସେ ଏସପିଙ୍କ ନିକଟକୁ ଅଭିଯୋଗ କରିବା ପାଇଁ ଆସିଥିବା କହିଥିଲେ। ତେବେ ସ୍ୱାମୀ କାହିଁକି ଅନ୍ୟ ପୁରୁଷ ହାତକୁ ତାଙ୍କୁ ଟେକିଦେଲେ ବୋଲି ପ୍ରଶ୍ନରେ ପୀଡ଼ିତା କହିଥିଲେ ଯେ, ମୋ ସ୍ୱାମୀ ମଦ ପିଅନ୍ତି ନାହିଁ, ହେଲେ ଜୁଆ ଖେଳନ୍ତି। ଅଭିଯୁକ୍ତ ଅଭି ବାଉଁଶ ବ୍ୟବସାୟ କରେ। ସେ ମୋଠାରୁ ବହୁତ ସାନ। ମୋ ସ୍ୱାମୀ ଜୁଆରେ ହାରି ଏଭଳି କରିଥିବାର ଅନୁମାନ କଥା ସେ ଅଭିଯୋଗ କରିଛନ୍ତି। ୧୫ ବର୍ଷର ପୁଅ ଓ ଝିଅଙ୍କୁ ନେଇ କେମିତି ସମାଜରେ ବଞ୍ଚିବି ବୋଲି ପୀଡିତା ପ୍ରଶ୍ନ କରିଛନ୍ତି ? ନ୍ୟାୟ ଦରକାର ବୋଲି ମହିଳା ଜଣକ କାନ୍ଦିକାନ୍ଦି କହିଛନ୍ତି।

ଏନେଇ ବାଲିଆପାଳ ଥାନାଧିକାରୀ କ୍ଷମାସାଗର ପାଢ଼ୀଙ୍କୁ ଯୋଗା ଯୋଗ କରିଥିବାରୁ କହିଥିଲେ ଯେ ଗାଁଲୋକଙ୍କ ସହ ପୀଡ଼ିତା ୨୮ ତାରିଖରେ ଥାନାକୁ ଆସିଥିଲେ। ଘଟଣାକୁ ଗାଁରେ ସମାଧାନ କରିଦେବେ ବୋଲି ଲିଖିତ ଭାବେ ଥାନାରେ ଦେଇ ଯାଇଥିଲେ। ମୁଁ ସେଦିନ ଛୁଟିରେ ଥିଲି। ଆଜି ଆସି ଶୁଣୁଛି କି ସେ ଏସ୍‌ପିଙ୍କ ନିକଟକୁ ଯାଇଛନ୍ତି ବୋଲି। ସେମାନେ ଯଦି ସମାଧାନ କରିବାକୁ ଚାହିଁ ନ ଥାନ୍ତେ ତେବେ ପୁଲିସ ମାମଲା ରୁଜୁ କରିଥାଆନ୍ତି ବୋଲ ପ୍ରତିକ୍ରିୟା ଦେଇଛନ୍ତି ।

Leave A Reply