Patra electronics

ସନ୍ତୁଳିତ ଓ ସୁସ୍ଥ ବିଶ୍ୱପାଇଁ ବନ୍ୟପ୍ରାଣୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଗୁରୁଡିଝାଟିଆ: ଦିନକୁ ଦିନ ପରିବେଶ ଅବକ୍ଷୟମୁଖି ହେଉଛି। ସବୁଜ ବନାନୀ ଉଜୁଡିଯିବା ଫଳରେ ବନ୍ୟପ୍ରାଣୀ ବିପନ୍ନ ଅବସ୍ଥା ଦେଇ ଗତି କରୁଛନ୍ତି। ଯାହାକି ଜୀବଜଗତ ପାଇଁ ଏକ ବିଲକ୍ଷଣ। ଏଥିରୁ ନିସ୍ତାର ପାଇବା ପାଇଁ ସନ୍ତୁଳିତ ଓ ସବୁଜ ବଳୟର ଆବଶ୍ୟକତା ରହିଛି। ଏଥିରେ ବନ୍ୟପ୍ରାଣୀଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ସେଭ ଏଲିଫ୍ୟାଣ୍ଟ ଫାଉଣ୍ଡେସନ ଟ୍ରଷ୍ଟ ଓ ଖୁଣ୍ଟୁଣୀ ବନାଞ୍ଚଳର ମିଳିତ ଆନୁକୂଲ୍ୟରେ ବିଶ୍ୱ ବନ୍ୟପ୍ରାଣୀ ଦିବସ ପାଳନ ଉତ୍ସବରେ ଉପସ୍ଥିତ ବିଶିଷ୍ଟ ଅତିଥିମାନେ ମତପ୍ରକାଶ କରିଥିଲେ। ରାଧାଦାମୋଦରପୁର ସ୍ଥିତ ଧବଳେଶ୍ୱର ବୈଷୟିକ ଓ ନର୍ସିଂ ପ୍ରତିଷ୍ଠାନ ପରିସରରେ ଆୟୋଜିତ ଉତ୍ସବରେ ସେଭ ଏଲିଫ୍ୟାଣ୍ଟ ଫାଉଣ୍ଡେସନ ଟ୍ରଷ୍ଟର ଟ୍ରଷ୍ଟି ତଥା ପ୍ରାକ୍ତନ ଭାରତୀୟ ବନସେବା ଅଧିକାରୀ ଜିତାଶତୃ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁସ୍ଥ ସୁନ୍ଦର ପୃଥିବୀ ପାଇଁ ବନ୍ୟପ୍ରାଣୀଙ୍କ ଗୁରୁତ୍ୱ ସଂପର୍କରେ ଆଲୋକପାତ କରିଥିଲେ।

ଆଠଗଡ ବନଖଣ୍ଡ ସେଭ ଏଲିଫ୍ୟାଣ୍ଟ ଫାଉଣ୍ଡେସନ ଟ୍ରଷ୍ଟର ମୁଖ୍ୟ ସଂଯୋଜକ ଶ୍ୱେତକାନ୍ତ ବେହେରା ସୁସ୍ଥ ଓ ସବୁଜ ପରିବେଶ ସହିତ ବନ୍ୟପ୍ରାଣୀଙ୍କ ସୁରକ୍ଷା ଅଭିବୃଦ୍ଧି ଦିଗରେ ଯୁବ ସମାଜଙ୍କ ଭୂମିକା ସଂପର୍କରେ କହିଥିଲେ। ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ନିଳମାଧବ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଧବଳେଶ୍ୱର ବୈଷୟିକ ପ୍ରତିଷ୍ଠାନର ଅଧ୍ୟକ୍ଷ ଦେବକୀ ନନ୍ଦନ ମହାନ୍ତି ଏଭଳି କାର୍ଯ୍ୟକ୍ରମ ବିଦ୍ୟାର୍ଥୀଙ୍କ ଭିତରେ ପରିବେଶ ଓ ବନ୍ୟପ୍ରାଣୀ ସଂପର୍କର ଉତ୍ସାହ ଭରିଦେବ ବୋଲି କହିଥିଲେ। ବନ୍ୟପ୍ରାଣୀ ଓ ପରିବେଶ ସଂକ୍ରାନ୍ତିୟ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସେବିକା ଓ ବୈଷୟିକ ଅନୁଷ୍ଠାନର କୃତୀ ବିଦ୍ୟାର୍ଥୀ ସିପ୍ରା ପୃଷ୍ଟି, ସୁଚିସ୍ମିତା ସେଠୀ, ବିଷ୍ଣୁପ୍ରିୟା ସ୍ୱାଇଁ, ସ୍ମୃତିରଞ୍ଜନ ସାହୁ ପ୍ରମୁଖଙ୍କୁ ପୁଷ୍ପଗୁଚ୍ଛ ,ପୁସ୍ତକ ଓ ଉତ୍ତରୀୟ ଦିଆଯାଇ ସମ୍ମାନୀତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର ମୁଖ୍ୟ ପ୍ରଶାସନିକ ଅଧିକାରୀ ବସନ୍ତ କୁମାର ନାୟକ, ଅଧ୍ୟାପିକା ଅପୂର୍ବା ମହାନ୍ତି, ବନରକ୍ଷୀ ଅଙ୍କିତା ମହାନ୍ତି,ସ୍ୱଚ୍ଛଶିଳା ପଣ୍ଡା ଙ୍କ ସହିତ ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଉପସ୍ଥିତ ରହି ସହଯୋଗ କରିଥିଲେ। ପ୍ରଶାସନିକ ଅଧିକାରୀ ରମଣୀ ରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.