ଧବଳେଶ୍ୱର ପୀଠ ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ, ଜୁନ୍ ୧୫ରେ ସରିବ କଂକ୍ରିଟସେତୁ ନିର୍ମାଣକାର୍ଯ୍ୟ
ଗୁରୁଡିଝାଟିଆ: ଧବଳେଶ୍ୱର ପୀଠକୁ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ପ୍ରମୁଖ ସ୍ଥାନ ଦେବା ସହ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ୪୦କୋଟିରୁ ଅଧିକ ଟଙ୍କା ଅଟକଳ ରଖି ବିଭିନ୍ନ ପ୍ରକାର ଉନ୍ନୟନ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଉକ୍ତ ଉନ୍ନୟନ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ନିମନ୍ତେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁରେଶ କୁମାର ଦଳାଇ ଆଜି ଧବଳେଶ୍ୱର ପୀଠକୁ ଆସି ସମୀକ୍ଷା କରିଥିଲେ। ପୀଠକୁ ମଞ୍ଚେଶ୍ୱର ପାର୍ଶ୍ବରୁ ସଂଯୁକ୍ତ କରୁଥିବା କଂକ୍ରିଟ ସେତୁ ନିର୍ମାଣଧିନ କାର୍ଯ୍ୟର ତନ୍ନତନ୍ନ କରି ବୁଲି ଦେଖିବା ସହ ବିଳମ୍ବର କାରଣ ପଚାରି ବୁଝିଥିଲେ।
ମଞ୍ଚେଶ୍ୱର ଗାଁ ପାର୍ଶ୍ବରେ ସାଇକେଲ ଷ୍ଟାଣ୍ଡ ପାଖରେ ଥିବା କିଛି ନିର୍ମାଣ ଓ ମନ୍ଦିର ଭଙ୍ଗାଗଲେ ପୁରୁଣା କଟକ-ସମ୍ବଲପୁର ରାସ୍ତା ସହିତ ସେତୁ ସଂଯୁକ୍ତ ହେବ। ଏହାକୁ ବୁଲି ଦେଖିବା ସହିତ ତୁରନ୍ତ କାର୍ଯ୍ୟକାରୀ କରିବା ନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ। ପୀଠ ପରିସରସ୍ଥ ପୋଖରୀ ନିକଟରେ ଥିବା ସୌନ୍ଦର୍ଯ୍ୟକରଣ କାର୍ଯ୍ୟ, ପୀଠକୁ ସୁରକ୍ଷା ଦେବା ପାଇଁ ନଦୀକୂଳରେ ହେଉଥିବା କଳା ମୁଗୁନିପଥରରେ ଶକ୍ତ ସୁରକ୍ଷା ବନ୍ଧ ଆଦି କାର୍ଯ୍ୟର ଅଗ୍ରଗତି ବୁଲି ଦେଖିବା ସହିତ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ।
କେନ୍ଦ୍ରାଞ୍ଚଳ ଆୟୁକ୍ତ ଶ୍ରୀ ଦଳାଇଙ୍କ ଏହି ଗସ୍ତକାଳରେ କଟକ ଜିଲାପାଳ ଭବାନୀ ଶଙ୍କର ଚଇନି, ଆଠଗଡ ଉପଜିଲାପାଳ ହେମନ୍ତ କୁମାର ସ୍ୱାଇଁ, ତହସିଲଦାର ପ୍ରିୟବ୍ରତ ଦାସ, ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସୋମନାଥ ପରିଡା, ନିିର୍ବାହୀ ଯନ୍ତ୍ରୀ ଅଜୟ ମହାପାତ୍ର, ଟିପିସିଓଡିଏଲର ନିର୍ବାହୀ ଯନ୍ତ୍ରୀ ପବିତ୍ର କୁମାର ସାହୁ, ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାମନ୍ତରାୟ, ଏସଡିପିଓ ସତ୍ୟବ୍ରତ ଲେଙ୍କା, ଗୁରୁଡିଝାଟିଆ ଥାନା ଅଧିକାରୀ ରଞ୍ଜନ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ। ମଞ୍ଚଶ୍ୱର ପାର୍ଶ୍ବରୁ ଧବଳେଶ୍ୱରକୁ ସଂଯୋଗ କରୁଥିବା କଂକ୍ରିଟ ସେତୁ ନିର୍ମାଣକାର୍ଯ୍ୟ ମେ’ ଶେଷ ସପ୍ତାହ ପରିବର୍ତ୍ତେ ଜୁନ ୧୫ରେ ସରିବ ବୋଲି ସମୀକ୍ଷା ବୈଠକ ପରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ଦଳାଇ ଗଣମାଧ୍ୟମ ସୂଚନା ଦେଇଥିଲେ।
Comments are closed.