ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ କରୋନା ଭୂତାଣୁ ଦ୍ବାରା ୧୫ ଜଣ ଆକ୍ରାନ୍ତ ହୋଇଛନ୍ତି। ଏହାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାର ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ କରିବା ସହିତ ସମସ୍ତ ପରୀକ୍ଷାକୁ ବାତିଲ୍ କରିଦେଇଛନ୍ତି। ଏହା ସହିତ ସରକାରୀ କର୍ମଚାରୀଙ୍କୁ ଅଫିସ ଆସିବାକୁ ମନା କରିଛନ୍ତି। ସବୁ ଘରେ ବସି ଅଫିସ କାର୍ଯ୍ୟ କରିବେ। ଏହା ସହିତ କରୋନା ଆକ୍ରାନ୍ତଙ୍କ ସମ୍ପୂର୍ଣ୍ଣ ଚିକିତ୍ସା ଖର୍ଚ୍ଚ ମାଗଣାରେ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଘୋଷଣା କରିଛନ୍ତି।
ଏସବୁର ତଦାରଖ ପାଇଁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ସ୍କୁଲ, କଲେଜ ଏବଂ ସିନେମା ହଲ୍ ବନ୍ଦ ରଖିବାର ତାରିଖ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହାବ୍ୟତୀତ ସମସ୍ତ ପ୍ରକାର ଧାରଣା ଏବଂ ବିକ୍ଷୋଭ ପ୍ରଦର୍ଶନ ଉପରେ କଟକଣା ଜାରି ହୋଇଛି। କେନ୍ଦ୍ର ସରକାର ଜାରି କରିଥିବା ଆଡ୍ଭାଇଜରୀକୁ ୧୦୦ ପ୍ରତିଶତ କାର୍ଯ୍ୟକାରୀ କରିବା ଲାଗି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଭିଡ଼ ସ୍ଥାନକୁ ନ ଯିବା ଲାଗି ସରକାର ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି।



