ଜେମାଦେଇପେଣ୍ଠ : ସୀମାନ୍ତରୁ ହଜିଯାଇଛି ଗାଁ। ମାନଚିତ୍ରରେ ଥିବା ଏହି ପାହାଡିଆ ଗ୍ରାମଟିକୁ ୨୯ବର୍ଷ ତଳେ ଜିଲା ପ୍ରଶାସନିକ ଅଧିକାରୀ ପରିଦର୍ଶନ କରି ଗାଁକୁ ଖୋଜିଥିଲେ, କିନ୍ତୁ ଗାଁ କିମ୍ବା ଜନବସତିର ଚିହ୍ନବର୍ଣ୍ଣ ମିଳିଲା ନାହିଁ। ଗୁରୁତ୍ବପୂର୍ଣ୍ଣ ବିଷୟ ନିଖୋଜ ଥିବା ଏହି ଗଁାରେ ସରକାରୀ ଯୋଜନା କେଉଁ ଆଧାରରେ କାର୍ଯ୍ୟକାରୀ ହୋଇଛି ତାକୁ ନେଇ ବିରାଟ ପ୍ରଶ୍ନ। ରାୟଗଡ଼ା ଜିଲା ଗାଜିଗାଁ ପଞ୍ଚାୟତରେ ଏଭଳି ଏକ ନିଖୋଜ ଗାଁକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।
ସୂଚନାଯୋଗ୍ୟ ଉକ୍ତ ପଞ୍ଚାୟତରେ ସର୍ବମୋଟ ଆଠ ଖଣ୍ଡ ଗ୍ରାମ ଥିଲାବେଳେ ଗୋଟିଏ ଗ୍ରାମ ଉଭାନ ହୋଇ ମାତ୍ର ସାତଖଣ୍ଡ ଗ୍ରାମ ଅଛି। ସୀମାନ୍ତ ଆନ୍ଧ୍ର ସୀମାକୁ ଲାଗିଥିବା ଏହି ପଞ୍ଚାୟତରେ ଗାଜିଗାଁ, ଅଚବା, ଡେକାଗୁଡ଼ା, ଜଙ୍ଗେସୁ, ଚମ୍ପିକୋଟା,ବିଲେଶୁ, ଗେଣ୍ଡାବାଲସା ଓ ଉଦୟ ଗେଣ୍ଡା ରହିଥିଲା। ଅନ୍ୟ ସାତଖଣ୍ଡ ଗ୍ରାମର ଅବସ୍ଥିତି ଥିଲାବେଳେ କେବଳ ଉଦୟ ଗଣ୍ଡା ଗ୍ରାମଟି ଗାଏବ ହୋଇଯାଇଛି।
୧୯୯୨ ମସିହାରେ ରାୟଗଡ଼ା ଜିଲା ଗଠିତ ହେବା ପରେ ତତ୍କାଳୀନ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧ୍ରୁବରାଜ ବାରିକ ନିଜ କର୍ମଚାରୀଙ୍କ ସହ ଉକ୍ତ ଗାଜିଗାଁ ପଞ୍ଚାୟତ ଗସ୍ତ କରିଥିଲେ। ସରକାରୀ ଯୋଜନାର ରୂପରେଖ ପ୍ରସ୍ତୁତ କରିବାକୁ ଯାଇ ମାନଚିତ୍ରରେ ଥିବା ଉଦୟ ଗଣ୍ଡା ଗ୍ରାମକୁ ଖୋଜିଥିଲେ, କିନ୍ତୁ ଯୋଜନା କାର୍ଯ୍ୟକାରୀ ହେବା ତ ଦୂରର କଥା ଗାଁର ପତ୍ତା ମିଳି ନ ଥିଲା। ଫଳରେ ପାହାଡ଼ ତଳେ ଥିବା ଦୁଇ ଚାରି ପରିବାରକୁ କିଛି ସରକାରୀ ସହାୟତା ଯୋଗାଇ ଦେଇଥିଲେ। କ୍ରମଶଃ ସେହି ସହାୟତା ପାଇ ଆସୁଥିବା ଜନବସତି ଗେଣ୍ଡାବାଲସା ଗ୍ରାମ ନାମରେ ପରିଚିତ ହେଲା। ସରକାରୀ ମାନଚିତ୍ରରେ ଏହି ଗ୍ରାମଟି ନ ଥିଲେ ମଧ୍ୟ ସବୁ ସରକାରୀ ଯୋଜନା ଉଦୟ ଗଣ୍ଡା ଗ୍ରାମ ନାଁରେ କାର୍ଯ୍ୟକାରୀ ହେଉଛି।
ପଞ୍ଚାୟତ ନିର୍ବାହୀ ଯନ୍ତ୍ରୀ ଦୁଃଶାସନ ଜେନାଙ୍କ କହିବା ଅନୁଯାୟୀ ପୂର୍ବରୁ ସବୁ ସରକାରୀ ଯୋଜନା ଉଦୟ ଗଣ୍ଡା ଗ୍ରାମ ନାମରେ ନ ହୋଇ ଗେଣ୍ଡାବାଲସା ଗ୍ରାମରେ କାର୍ଯ୍ୟକାରୀ ହେଉଛି। ତହସିଲଦାର ଉମାଶଙ୍କର ବେହେରା କହିଲେ ଅପହଞ୍ଚ ଅଞ୍ଚଳରେ ସରକାରୀ ଯୋଜନା ପହଞ୍ଚିବା ନିଶ୍ଚିତ ଭଲ କଥା। ଉଦୟ ଗଣ୍ଡା ଗ୍ରାମ ମାନଚିତ୍ରରେ ଥିଲେ ମଧ୍ୟ କୌଣସି ଜନବସତି ନ ଥିବାରୁ ସବୁ ସରକାରୀ ଯୋଜନା ପୂର୍ବବତ ଗେଣ୍ଡାବାଲସା ଗ୍ରାମରେ କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି।
ନିଖୋଜ ଗାଁରେ ସରକାରୀ ଯୋଜନା !
Popular Categories



