‘ବିଶ୍ୱ ଜୈବ ଇନ୍ଧନ ମେଣ୍ଟ ମାଧ୍ୟମରେ ଭାରତ ସମଗ୍ର ପୃଥିବୀକୁ ନୂଆ ରାସ୍ତା ଦେଖାଇବ’
ନୂଆଦିଲ୍ଲୀ : ବୈଶ୍ୱିକ ଜୈବ ଇନ୍ଧନ ମେଣ୍ଟ ମାଧ୍ୟମରେ ଭାରତ ସମଗ୍ର ପୃଥିବୀକୁ ଏକ ନୂଆ ରାସ୍ତା ଦେଖାଇବ ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ତଥା ସହରାଞ୍ଚଳ ବିକାଶ ଓ ଆବାସ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି। ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ‘ଏକ୍ସ’ ରେ ଏକାଧିକ ମତ ଦେଇ ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି ଯେ ବସୁଧୈବ କୁଟୁମ୍ବକମ୍ ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏ କ୍ଷେତ୍ରରେ ଯେଉଁ ସବୁ ଉଦ୍ୟମ କରୁଛନ୍ତି ତାହା ଦ୍ୱାରା ଜୈବ ଇନ୍ଧନର ଉତ୍ପାଦନ ଓ ବ୍ୟବହାର ବଢିବ ଏବଂ ଏହା ଫଳରେ ସମଗ୍ର ବିଶ୍ୱରେ ପେଟ୍ରୋଲ ଓ ଡିଜେଲ ଉପରେ ନିର୍ଭରଶୀଳତା ହ୍ରାସ ପାଇବ। ଜି-୨୦ ଶିଖର ସମ୍ମିଳନୀ ଅବସରରେ ବୈଶ୍ୱିକ ଜୈବ ଇନ୍ଧନ ମେଣ୍ଟ ଗଠନ କଥା ଘୋଷଣା କରିଛନ୍ତି। ଏହି ମେଣ୍ଟରେ ୧୯ଟି ଦେଶ ଓ ୧୨ଟି ଆନ୍ତର୍ଜାତିକ ସଂଗଠନ ସାମିଲ ହେବାକୁ ସମ୍ମତି ଦେଇଛନ୍ତି। ବୈଶ୍ୱିକ ଜୈବ ଇନ୍ଧନ ମେଣ୍ଟ (ଜିବିଏ) ଭାରତର ନେତୃତ୍ୱରେ ଗଠିତ ଏକ ଉଦ୍ୟମ ଯେଉଁଥିରେ ବିଭିନ୍ନ ଦେଶର ସରକାର, ଆନ୍ତର୍ଜାତିକ ସଂଗଠନ ଓ ଉଦ୍ୟୋଗପତି ସଦସ୍ୟ ରହିବା ସହିତ ଜୈବ ଇନ୍ଧନର ବ୍ୟବହାରକୁ ଅଗ୍ରାଧିକାର ଦେବେ। ଏହି ମେଣ୍ଟ ମାଧ୍ୟମରେ ଜୈବ ଇନ୍ଧନର ସର୍ବବୃହତ୍ ଉତ୍ପାଦକ ଓ ଖାଉଟି(ବ୍ୟବହାରକାରୀ)ଙ୍କୁ ଏକାଠି କରି ଏହି ବିକଳ୍ପ ଇନ୍ଧନର ବିକାଶ ଓ ବ୍ୟବହାର ବଢାଇବାକୁ ସବୁ ସଦସ୍ୟ କାମ କରିବେ । ଏହା ଫଳରେ ବିଶ୍ୱର ଊର୍ଜା ବ୍ୟବହାର କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିବ। ଏହାଦ୍ବାରା ଅର୍ଥନୀତିରେ ପ୍ରଗତି ହେବା ସହିତ ନିଯୁକ୍ତି ସୃଷ୍ଟି ହେବ। ଏବେ ବିଶ୍ୱରେ ଯେଉଁ ଜୀବାଶ୍ମ ଇନ୍ଧନ ଯଥା ପେଟ୍ରୋଲିୟମ ଓ ଗ୍ୟାସର ସଙ୍କଟ ଦେଖାଦେଇଛି ତାହାର ବିକଳ୍ପ ଭାବେ ଜୈବିକ ଇନ୍ଧନ ଏକ ଗ୍ରହଣଯୋଗ୍ୟ ବିକଳ୍ପ ରୂପେ କାମରେ ଲାଗି ପାରିବ। ଏହା ଦ୍ୱାରା ମେଣ୍ଟର ସଦସ୍ୟ ରାଷ୍ଟ୍ରମାନେ ସହଜରେ ଏହି ଇନ୍ଧନ ପାଇ ପାରିବେ। ଜିବିଏ ବିଶ୍ୱବ୍ୟାପୀ ବିକାଶ କାର୍ଯ୍ୟ ଓ ଊର୍ଜା ପରିବର୍ତ୍ତନ ପ୍ରକ୍ରିୟାକୁ ସହାୟତା ଯୋଗାଇବ। ସବୁ ଦେଶ ଯେପରି ଜୈବ ଇନ୍ଧନ ଉତ୍ପାଦନରେ ଆତ୍ମ ନିର୍ଭରଶୀଳ ହୋଇ ଶସ୍ତାରେ ଇନ୍ଧନ ପାଇପାରିବେ ସେଥିପାଇଁ ଏହି ମେଣ୍ଟ ସାହାଯ୍ୟ ସହଯୋଗ ଯୋଗାଇବ। ଦକ୍ଷତା ନିର୍ମାଣ, ମୂଲ୍ୟ ମିଶ୍ରିତ ଯୋଗାଣ ବ୍ୟବସ୍ଥା ସୃଷ୍ଟି, ବୈଷୟିକ ସହାୟତ ଯୋଗାଣ ଓ ନୂଆ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଏହା ସଭ୍ୟ ରାଷ୍ଟ୍ରଙ୍କୁ ସାହାଯ୍ୟ ସହଯୋଗ କରିବ। ଏହି ସଂସ୍ଥା ମଧ୍ୟ ବାସ୍ତବ ବଜାର ସୃଷ୍ଟି କରି ଏ କ୍ଷେତ୍ରରେ ଉଦ୍ୟୋଗ ଜଗତକୁ ସାହାଯ୍ୟ ସହଯୋଗ ଯୋଗାଇବ। ଜିବିଏ ଭାରତର ଅଧ୍ୟକ୍ଷତା କାଳରେ ଜି-୨୦ର ଏକ ବଡ ସଫଳ ପଦକ୍ଷେପ। ଏହା ଫଳରେ ଆନ୍ତର୍ଜାତିକ ସ୍ତରରେ ଭାରତର ପ୍ରଭାବ ଓ ପ୍ରତିଷ୍ଠା ବଢିବ। ଭାରତୀୟ ଉଦ୍ୟୋଗ ମଧ୍ୟ ଏହାର ସୁଯୋଗ ନେଇ ଜୈବ ଇନ୍ଧନ ଟେକ୍ନୋଲୋଜି ବିଭିନ୍ନ ଦେଶକୁ ଯୋଗାଇ ଲାଭବାନ ହେବ। ୨୦୨୨ରେ ବିଶ୍ୱର ଇଥାନଲ ବଜାରର ଆକାର ଥିଲା ୯୯.୦୬ ବିଲିୟନ ଡଲାର। ୨୦୩୨ ସୁଦ୍ଧା ଏହା ୫.୧% ସିଏଜିଆର୍ ହାରରେ ବଢିବ ବୋଲି ଆକଳନ କରାଯାଇଛି ଏବଂ ୨୦୩୨ ସୁଦ୍ଧା ୧୬୨.୧୬ ବିଲିୟନ ଡଲାରକୁ ଅତିକ୍ରମ କରିବାର ସମ୍ଭାବନା ଅଛି ।
Comments are closed.