ଗଞ୍ଜାମ: ଗଞ୍ଜାମ ସହରରେ ରହିଥିବା ଦୀର୍ଘ ୧୫୦ ବର୍ଷର ପୁରୁଣା ଏକ୍ସ ବୋର୍ଡ଼ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବର୍ତମାନ ସମସ୍ୟା ଘେରରେ ରହିଛି। ପିଲାମାନେ ପାଠ ପଢିବାକୁ ଏଠାରେ ଭଲ ଶ୍ରେଣୀଗୃହ ନାହିଁ। ଯାହାକୁ ନେଇ ସ୍କୁଲ କର୍ତ୍ତୃପକ୍ଷ ବାରମ୍ବାର ଜଣାଇଲେ ମଧ୍ୟ ଏଥିପ୍ରତି କାହାର ଆନ୍ତରିକତା ନାହିଁ କି କେହି ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି। ଏପରିକି ସ୍କୁଲରେ ଥିବା ପ୍ରବେଶ ଘରଟି ବିପଦସଂକୁଳ ଅବସ୍ଥାରେ ରହିଛି। ଯାହାକୁ ନେଇ ଚିନ୍ତାରେ ଅଛନ୍ତି ସ୍କୁଲ କର୍ତ୍ତୃପକ୍ଷ। ଏହା କେତେବେଳେ ଭାଙ୍ଗିବ ତାହାର ସମ୍ଭାବନା ଏଡାଇ ଦେଇହେବନି। ଏତେ ଦିନର ଏହି ପୁରୁଣା ସ୍କୁଲ ପ୍ରତି କାହାର ହେଲେ ଦୃଷ୍ଟି ପଡୁନାହିଁ। ଫଳରେ ଏଠାରେ ପିଲାମାନେ ଶ୍ରେଣୀଗୃହ ନଥିବା ଯୋଗୁଁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘ ଦିନ ଏହି ପୁରୁଣା ସ୍କୁଲ ପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।
ପ୍ରକାଶଯୋଗ୍ୟ ଯେ, ମାଧ୍ୟଖଣ୍ଡ ସାହିରେ ଥିବା ଏହି ସ୍କୁଲଟି ୧୮୬୪ ମସିହାରେ ସ୍ଥାପିତ ହୋଇଥିଲା। ବର୍ତମାନ ଏହି ସ୍କୁଲରେ ପ୍ରାୟ ୩୦୦ରୁ ଊର୍ଦ୍ଧ୍ବ ପିଲାମାନେ ପାଠ ପଢୁଛନ୍ତି। ଏଥିପାଇଁ ରହିଛନ୍ତି ୭ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ଏହି ସ୍କୁଲରେ ଆବଶ୍ୟକ ଶ୍ରେଣୀ ଗୃହ ନଥିବା ଯୋଗୁଁ ସମସ୍ୟା ସୃଷ୍ଟି ହେଉଛି। ଏପରିକି ସହରରେ ପୁଅ ପିଲାମାନେ ପଢିବା ପାଇଁ ଅଷ୍ଟମ ଶ୍ରେଣୀ ପାଇଁ ଏହା ହେଉଛି ଏକ ମାତ୍ର ସ୍କୁଲ। ତଥାପି ସ୍ଥାନୀୟ ନେତାଙ୍କ ଇଚ୍ଛା ଶକ୍ତିର ଅଭାବ ଓ ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଏହି ସମସ୍ୟାର ସମାଧାନ ହେଇପାରୁନି ବୋଲି ଅଭିଭାବକ ମହଲରେ ଆଲୋଚନା ହେଉଛି। ଏ ସମ୍ପର୍କରେ ସ୍ଥାନୀୟ ପ୍ରଧାନଶିକ୍ଷକଙ୍କ ସହ ଯୋଗାଯୋଗ ବେଳେ କହିଛନ୍ତି ଯେ, ଏହି ସମସ୍ୟା ନେଇ ସେ ବାରମ୍ବାର ସମସ୍ତଙ୍କୁ ଅବଗତ କରାଇଛନ୍ତି। କିନ୍ତୁ କୌଣସି ପଦକ୍ଷେପ ନିଆଯାଇନି। ଏହି ସ୍କୁଲରେ ସମସ୍ୟାର ସମାଧାନ ପାଇଁ ଯଥାଶୀଘ୍ର ପଦେକ୍ଷପ ନେବା ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରୁ ଦାବୀ ହେଉଛି ।



