ଦେଢଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ପିପିଲି: ପିପିଲିରୁ ବାହାର ଅଞ୍ଚଳକୁ ଗଞ୍ଜେଇ ଚୋରାଚାଲାଣ କରୁଥିବା ୨ଜଣ ଚୋରା ଗଞ୍ଜେଇ ବେପାରୀଙ୍କୁ ପିପିଲି ପୁଲିସ ଶୁକ୍ରବାର ଗିରଫ କରିଛି । ସେମାନଙ୍କ ନିକଟରୁ ୧୦.୪ କିଲୋଗ୍ରାମ ଗଞ୍ଜେଇ, ଗୋଟିଏ ବାଇକ୍‍, ୨ଟି ମୋବାଇଲ ଫୋନ୍‍ ଓ ନଗଦ ଟଙ୍କା ଜବତ ହୋଇଛି । ଜବତ ଗଞ୍ଜେଇର ମୂଲ୍ୟ ଦେଢଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଏହି ଥାନା ଅନ୍ତର୍ଗତ ଆରୁହା ଗ୍ରାମର ବିଜୟ କୁମାର ଖଟେଇ (୩୪) ଓ ଗୋବିନ୍ଦପୁର ଅଞ୍ଚଳର ଲକ୍ଷ୍ମୀଧର ଖୁଣ୍ଟିଆ (୩୭) ।

prayash

ସୂଚନା ମୂତାବକ, ଜଇସପାଟଣା ଅଞ୍ଚଳରୁ ଏକ ବାଇକ୍‍ରେ ଦୁଇଜଣ ଯୁବକ ଗଞ୍ଜେଇ ନେଇ ଯାଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିବା ପରେ ପିପିଲି ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ପିପିଲି ଥାନା ଏସ୍‍ଆଇ ମମତା ବିଶ୍ୱାଳ, ରାଜନ ବିଶୋଇ, ଏଏସ୍‍ଆଇ ସୁମନ୍ତ କୁମାର ସାହୁ ଓ ପ୍ରକାଶ ମଲ୍ଲିକ ପ୍ରମୁଖ ସେମାନଙ୍କୁ ଧରିବା ପାଇଁ ଉଦ୍ୟମ କରିଥିଲେ । ପିପିଲି ଶିଶୁ ମନ୍ଦିର ପଛପାର୍ଶ୍ବ କେନାଲବନ୍ଧ ରାସ୍ତାରେ ପୁଲିସ ସେମାନଙ୍କୁ ପଛରୁ ଗୋଡାଇ ଧରିଥିଲା । ମାଜିଷ୍ଟ୍ରେଟ୍‍ ଦାୟିତ୍ୱରେ ଥିବା ପିପିଲି ତହସିଲଦାର ଦିଲିପ କୁମାର ମାଝୀଙ୍କ ଉପସ୍ଥିତିରେ ଅଭିଯୁକ୍ତଙ୍କଠାରୁ ଏକ ଟ୍ରଲି ବ୍ୟାଗ୍‍ ମଧ୍ୟରେ ଥିବା ୧୦.୪କେଜି ଓଜନର ଗଞ୍ଜେଇ ସମେତ ବାଇକ୍‍, ୨ଟି ମୋବାଇଲ୍‍ ଫୋନ୍‍ ଓ ନଗଦ ୬୫୦ ଟଙ୍କାକୁ ପୁଲିସ ଜବତ କରିଥିଲା । ଏନେଇ ପୁଲିସ ଏସ୍‍ଆଇ ମମତା ବିଶ୍ୱାଳଙ୍କ ଲିଖିତ ଅଭିଯୋଗ ଉପରେ ପିପିଲି ଥାନାରେ ଏନ୍‍ଡିପିଏସ୍‍ ଆକ୍ଟରେ ଏକ ମାମଲା ରୁଜୁ ହୋଇଛି। ତଦନ୍ତକାରୀ ଅଧିକାରୀ ଏସ୍‍ଆଇ ଭାସ୍କର ମାଣିଆ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି ସନ୍ଧ୍ୟାରେ ପୁରୀ କୋର୍ଟକୁ ଚାଲାଣ କରିଥିବା ସୂଚନା ମିଳିଛି । ଏହି ଗଞ୍ଜେଇ ଚୋରା ଚାଲାଣ ଘଟଣାରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେନେଇ ତଦନ୍ତ ଚାଲିଥିବା ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀ ସୂଚନା ଦେଇଛନ୍ତି।

Comments are closed.