ଅହମ୍ମଦାବାଦ : କରୋନା ମହାମାରୀ ପାଇଁ ପ୍ରଭାବିତ ହୋଇଥିବା ଘରୋଇ କ୍ରିକେଟକୁ ଆରମ୍ଭ କରିବା ନେଇ ବିସିସିଆଇ ପଦକ୍ଷେପ ଗ୍ରହଣ କରିଛି। ଜାନୁଆରୀ ୧୦ରୁ ୩୧ ପର୍ଯ୍ୟନ୍ତ ସୟଦ ମୁସ୍ତାକ ଅଲ୍ଲୀ ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟ ଜୈବ ନିରାପତ୍ତା ବଳୟ ମଧ୍ୟରେ ଆୟୋଜିତ ହେବ। ସର୍ବୋଚ୍ଚ ଘରୋଇ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫି ଆୟୋଜନ ନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଆଗ୍ରହ ପ୍ରକାଶ କରିଛନ୍ତି। ଗୁରୁବାର ଅହମ୍ମଦାବାଦରେ ଆୟୋଜିତ ବିସିସିଆଇ ପରିଚାଳନା ପରିଷଦ ବୈଠକରେ ସଭାପତି ଗାଙ୍ଗୁଲି କହିଛନ୍ତି ଯେ ସୟଦ ମୁସ୍ତାକ ଅଲୀ ଟ୍ରଫି ଟ୍ବେଣ୍ଟି୨୦ ପରେ ୫୦ ଓଭର ବିଶିଷ୍ଟ ବିଜୟ ହଜାରେ ଟ୍ରଫି ଆୟୋଜିତ ହେବ। ଉକ୍ତ ଟୁର୍ଣ୍ଣାମେଣ୍ଟ ସହ ରଣଜୀ ଟ୍ରଫି ଆୟୋଜନ ନେଇ ଯଥେଷ୍ଟ ସମ୍ଭାବନା ରହିଛି। ଏଥିପାଇଁ ରାଜ୍ୟ କ୍ରିକେଟ ସଂଘ ପ୍ରସ୍ତୁତ ରହିବାକୁ ଗାଙ୍ଗୁଲି କହିଛନ୍ତି। ସେହିପରି ୨୦୨୧ ଆଇପିଏଲ ମଧ୍ୟରେ ମହିଳା ବିଭାଗର ବିଭିନ୍ନ ବର୍ଗର ଟୁର୍ଣ୍ଣାମେଣ୍ଟ ଏପ୍ରିଲ ଓ ମେ’ରେ ଆୟୋଜିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଘରୋଇ କ୍ରିକେଟରଙ୍କ ସ୍ବାସ୍ଥ୍ୟ ବୀମା ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।
Popular Categories



