ଭୁବନେଶ୍ୱର: ଲିଙ୍ଗିପୁର ଗ୍ରାମପଂଚାୟତ(ଗାଙ୍ଗୋତ୍ରୀନଗର)ରେ ଥିବା ଅଙ୍ଗନୱାଡି କେନ୍ଦ୍ର ବିଗତ ବହୁ ବର୍ଷ ହେଲା ଅବ୍ୟବସ୍ଥାରେ ଚାଲିଛି। ଖୋଦ୍ ରାଜଧାନୀ ଉପକଣ୍ଠରେ ଏହିଭଳି ଅବସ୍ଥା। ୨୦୧୦ ମସିହାରୁ ଏହି ଅଙ୍ଗନୱାଡି କେନ୍ଦ୍ର ଚାଲୁ ରହିଛି। ଏହି ଅଙ୍ଗନୱାଡି କେନ୍ଦ୍ରରେ ଆବଶ୍ୟକୀୟ ଭିତିଭୂମି, ମୌଳିକ ସୁବିଧା ପିଲାମାନଙ୍କୁ ମିଳିବାରୁ ବଂଚିତ। ଅଙ୍ଗନୱାଡି କେନ୍ଦ୍ରଟି ବହୁ ଦୁର୍ଦ୍ଦଶାରେ ଗତି କରୁଛି। ପ୍ରଶାସନ ପାଖରେ ବାରମ୍ବାର ଗୁହାରି କଲାପରେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଶିକ୍ଷା ଏକ ମୌଳିକ ଅଧିକାର। କିନ୍ତୁ ଯେଉଁଭଳି ଭାବରେ ପ୍ରଶାସନ ଉକ୍ତ ଅଙ୍ଗନୱାଡି କେନ୍ଦ୍ରକୁ ସାବତ ପରି ପୁଅ ପରି ବ୍ୟବହାର କରୁଛି ତାହା ଅତ୍ୟନ୍ତ ନିନ୍ଦନୀୟ। ମାସକୁ ୨୬୦୦ଟଙ୍କା ଟଙ୍କା ଦେଇ ଅଙ୍ଗନୱାଡି କେନ୍ଦ୍ର ଚଲାଇବା ଏକ କାଠିକର ବ୍ୟାପାର। ଆଗକୁ ବର୍ଷା ଦିନ ଆସୁଛି, କେଉଁଭଳି ଭାବେ ପିଲାମାନଙ୍କର ଶିକ୍ଷା ବାଧାପ୍ରାପ୍ତ ନହେବ ଉଚ୍ଚ କର୍ତୃପକ୍ଷ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି।
ଗଙ୍ଗୋତ୍ରୀ ନଗର ଭିତରେ ଏକ ସ୍ଥାୟୀ ସରକାରୀ ଜାଗାକୁ ଅଙ୍ଗନୱାଡି କେନ୍ଦ୍ର ନାଁରେ କରିବା ପାଇଁ ଉଦ୍ୟମ କରାଯାଉଥିବାବେଳେ ଉଚ୍ଚ କର୍ତୃପକ୍ଷଙ୍କର ଇଚ୍ଛା ଶକ୍ତି ପାଇଁ ଏହା ହୋଇ ପାରୁନାହିଁ। ଅଙ୍ଗନୱାଡି କେନ୍ଦ୍ରରେ ଛତୁଆ ବଣ୍ଟନଠାରୁ ଆରମ୍ଭ କରି ଛୋଟ ପିଲାମାନଙ୍କର ରୋଷେଇ କରିବା ପାଇଁ ସ୍ଥାନର ଘୋର ଅଭାବ ଦେଖାଦେଇଛି। ଜିଲ୍ଲାପାଳଙ୍କୁ ବିଶେଷ ଭାବରେ ଅନୁରୋଧ କରାଯାଇଛି ଯେ, ଛୋଟ ଛୁଆଙ୍କର ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦିଆ ନଯାଇ ଏକ ସ୍ଥାୟୀ ଜାଗା କିମ୍ବା ଘର ତୁରନ୍ତ ଅଙ୍ଗନୱାଡି କେନ୍ଦ୍ରକୁ ଦିଆଯାଉ।



