ସ୍ଥାନାନ୍ତର ପାଇଁ ଅମଙ୍ଗ ହେବାରୁ ଦୁର୍ଘଟଣା
ଭୁବନେଶ୍ୱର : ଗଜପତି ଜିଲା ବାରଘର ଅଞ୍ଚଳରେ ପାହାଡ଼ ଧସିବା ଫଳରେ ବହୁ ସଂଖ୍ୟକ ଲୋକ ମୃତାହତ ହେବା ଘଟଣାକୁ ନେଇ ଏବେ ବିରୋଧୀ ଓ ଶାସକ ଦଳ ମୁହାଁମୁହିଁ ହୋଇଛନ୍ତି। ବାତ୍ୟା ପୂର୍ବରୁ ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନଥିଲା ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରୁଥିବାବେଳେ ଏ ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ କହିଛନ୍ତି ଯେ ଗଜପତି ଜିଲା ରାୟଗଡ଼ା ବ୍ଲକର ବାରଘର ଏକ ଦୁର୍ଗମ ପାହାଡ଼ିଆ ଅଞ୍ଚଳ। ବାତ୍ୟା ପୂର୍ବରୁ ସେଠାରୁ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ବ୍ଲକ ଅଧ୍ୟକ୍ଷ ଓ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ(ଆରଡ଼ବ୍ଲୁଏସଏସ) ନିର୍ବାହୀ ଯନ୍ତ୍ରୀ ଗ୍ରାମକୁ ଯାଇ ବୁଝାଇଥିଲେ। ଗ୍ରାମର ୭୫ଟି ପରିବାର ଭିତରୁ ୬୮ପରିବାର ସ୍ଥାନାନ୍ତର କରାଯାଇଥିଲା। ଅବଶିଷ୍ଟ ୭ଟି ପରିବାର ଅନ୍ୟତ୍ର ସ୍ଥାନାନ୍ତର ହୋଇ ଯିବାକୁ ଅମଙ୍ଗ ହୋଇଥିଲେ। ସେହି ୭ଟି ପରିବାର ଏଭଳି ଦୁର୍ଭାଗ୍ୟଜନକ ପରିସ୍ଥିତିର ସମ୍ମୁଖୀନ ହେଲେ। ଶ୍ରୀ ସେଠୀ କହିଥିଲେ ଯେ ରାୟଗଡ଼ା ବ୍ଲକର ଦାନବନ୍ଧଠାରେ ଘଟିଥିବା ଭୂସ୍ଖଳନ ସ୍ଥାନରୁ ମାଟିତଳୁ ୧୧ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ସେମାନଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ପ୍ରତି ମୃତକଙ୍କ ନିକଟତମ ପରିବାର ଲୋକଙ୍କୁ ୪ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଯୋଗାଇଦିଆଯିବ। ଶ୍ରୀ ସେଠୀ କହିଥିଲେ ଯେ ଗଞ୍ଜାମ, ଗଜପତି ଓ ରାୟଗଡ଼ାରେ ବନ୍ୟା ପରିସ୍ଥିତି ଧୀରେ ଧୀରେ ସୁଧୁରୁଛି। ଗତ ୨୪ଘଣ୍ଟାରେ ଏଠାରେ ବର୍ଷା ହୋଇନାହିଁ। ବନ୍ୟା ବିଧ୍ୱସ୍ତ ଗଞ୍ଜାମ ଜିଲାର ଆସିକା ଓ ପୁରୁଷୋତ୍ତମପୁରରେ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ସ୍ୱାଭାବିକ କରାଯାଉଛି। ରାୟଗଡ଼ା ଜିଲାରେ ପରିସ୍ଥିତିରେ ଉନ୍ନତି ଘଟିଛି। ଗଜପତି ଜିଲାର ସବୁ ବ୍ଲକକୁ ସଡ଼କ ଯୋଗାଯୋଗ ପୁନଃସ୍ଥାପିତ ହୋଇପାରିଛି। ରବିବାର ସୁଦ୍ଧା ରିଲିଫ କାର୍ଯ୍ୟ ବନ୍ଦ ହୋଇଯିବ ବୋଲି ସୂଚନା ଦିଆଯାଇଛି। ତେବେ ଗତକାଲି ମୁଖ୍ୟମନ୍ତ୍ରୀ ବନ୍ୟା ପୀଡ଼ିତଙ୍କ ଲାଗି ୧୫ଦିନ ପାଇଁ ଯେଉଁ ରିଲିଫ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ତାହା ଚାଲୁରହିବ। ପ୍ରତି ପୀଡ଼ିତଙ୍କ ବ୍ୟାଙ୍କଖାତାକୁ ଟଙ୍କା ଦିଆଯିବ। ବ୍ୟବସ୍ଥା ଅନୁଯାୟୀ ବୟସ୍କଙ୍କୁ ଦୈନିକ ୬୦ଟଙ୍କା ଓ ୧୨ବର୍ଷରୁ କମ୍ ପିଲାଙ୍କ ଲାଗି ୪୫ଟଙ୍କା ଲେଖାଏଁ ଦୈନିକ ଦିଆଯିବ। ଅନ୍ୟପକ୍ଷରେ ଉତ୍ତରଓଡ଼ିଶାରେ ମଧ୍ୟ ବନ୍ୟା ପରିସ୍ଥିତି ସୁଧୁରିଛି। ଗତ ୧୨ ଘଣ୍ଟା ମଧ୍ୟରେ ବର୍ଷା ହୋଇ ନ ଥିବାରୁ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଜଳକା ଆଦି ନଦୀର ଜଳସ୍ତର ହ୍ରାସ ପାଇବାରେ ଲାଗିଛି।